ଗଜପତି:- ଜିଲ୍ଲାସ୍ତରୀୟ ଆପାତକାଳୀନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଆପାତକାଳୀନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ । ଏଥିରେ ଗଜପତି ଜିଲ୍ଲାରେ ଥିବା ସମସ୍ତ ପେଟ୍ରୋଲ , ଗ୍ୟାସ ମାଲିକ ଓ ସରକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ମୁଖ୍ୟତଃ ବୃହତ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ମାନଙ୍କରେ ରସାୟନିକ ଦୁର୍ଘଟଣାକୁ କିପରି ମୁକାବିଲା କରିବା ସମେତ ଆଗୁଆ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲା ଆପାତକାଳୀନ ବିଭାଗ କାର୍ଯ୍ୟ କରୁଅଛି ।
ସେହିଭଳି ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ପ୍ରସ୍ତୁତି ରହିବା ପାଇଁ ଜିଲ୍ଲାପାଳ ଶ୍ରୀ ଦାଶ ପେଟ୍ରୋଲ ଓ ଗ୍ୟାସ ଶିଳ୍ପ ସଂସ୍ଥାର ଉପସ୍ଥିତ କର୍ତ୍ତୃପକ୍ଷ ମାନଙ୍କୁ ପରାମର୍ଶ ଦେଇଥିଲେ । ଅଫସାଇଟ୍ ଏମରଜେନ୍ସି ପ୍ଲାନ୍ ପ୍ରସ୍ତୁତ ରଖିବା , ଅବିଛିନ୍ନ ଭାବେ ରାଜ୍ୟ ଓ କେନ୍ଦ୍ର କ୍ରାଇସେସ୍ ଗୃପକୁ ସୂଚନା ପଠାଇବା , ମକଡ୍ରିଲ୍ କରିବା , ବୃହତ ଶିଳ୍ପର ଆଖପାଖ ଅଞ୍ଚଳ ବାସିନ୍ଦା ମାନଙ୍କୁ ରସାୟନିକ ଦୁର୍ଘଟଣାର ଭୟାବହତା ଓ ଏହାର ମୁକାବିଲା କରିବା ନିମନ୍ତେ ସଚେତନତା କରାଇବା ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ କହିଥିଲେ ଯେ , ସମସ୍ତ ଶିଳ୍ପ କର୍ତ୍ତୃପକ୍ଷ ମାନେ ରସାୟନିକ ଦୁର୍ଘଟଣାକୁ ଏଡାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଥିବା ଯୋଗୁଁ ସେ ଦିଗରେ ଅଧିକ ସୁରକ୍ଷା ପାଇଁ କଂଟ୍ରୋଲ ରୁମ୍ ର ଆବଶ୍ୟକତା ରହିଛି ଓ ଅଗ୍ନି ନିରାପତ୍ତାର ବ୍ୟବସ୍ଥା କରିବାକୁ କହିଥିଲେ। ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ , ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ , ଇଣ୍ଡିଆନ୍ ଓଏଲ୍ କର୍ପୋରେସନ୍ ଲିମିଟେଡ୍ ର ପ୍ରତିନିଧି ମାନେ ବୈଠକରେ ଯୋଗଦେଇ ରସାୟନିକ ଦୁର୍ଘଟଣାକୁ କିପରି ରୋକାଯାଇ ପାରିବ , ସେ ଉପରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ସେଥି ମଧ୍ୟରୁ ପେଟ୍ରୋଲିୟମ କିମ୍ବା ଗ୍ୟାସ ସ୍ଥାନାନ୍ତରିତ କରିବା ସମୟରେ ଗାଡ଼ିର ମାନ ଯାଞ୍ଚ କରିବା , ଚାଳକର ଲାଇସେନ୍ସ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଉପରେ କିପରି ନଜର ରଖିହେବ ସେ ସଂପର୍କରେ ଅବଗତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଡେପୁଟି କଲେକ୍ଟର ଶ୍ରୀ କମଳ କାନ୍ତ ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୁବାରକ ମହମ୍ମଦ ଅଲ୍ଲୀ , ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାସ , ଶ୍ରୀ ବନିତ ଷଡ଼ଙ୍ଗୀ , ସହକାରୀ ନିର୍ଦ୍ଦେଶକ ଇସ୍ପାତ ଓ ବଏଲର ଡ଼ିଭିଜନ ରାୟଗଡ଼ା , ଶ୍ରୀ ପ୍ରଦୋଷ ଶତପଥି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ମ୍ୟାନେଜର , ଜିଲ୍ଲା ଅଗ୍ନିଶମ ଅଧିକାରୀ ଓ ସମସ୍ତ ଶିଳ୍ପ , ଗ୍ୟାସ ଓ ପେଟ୍ରୋଲିୟମ ର ମାଲିକ ମାନେ ପ୍ରମୁଖ ଉପସ୍ଥିତ ଥିଲେ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-