September 29, 2024

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ତୃତୀୟ ବାର୍ଷିକ ଗବେଷଣା ସମ୍ମିଳନୀ ଅନୁଷ୍ଠିତ

Share

 

ଉନ୍ନତ ଓ ମୂଲ୍ୟବୋଧ ଭିତ୍ତିକ ଗବେଷଣା ହିଁ ବିଶ୍ୱବିଦ୍ୟାଳୟର ପରିଚିତି କୁ ବିସ୍ତୃତ କରେ I ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଆହ୍ୱାନରେ, କ୍ରମାଗତ ଭାବେ ତୃତୀୟ ବର୍ଷରେ ପହଂଚିଛି ବାର୍ଷିକ ଗବେଷଣା ସମ୍ମିଳନୀ I ତୃତୀୟ ଗବେଷଣା ସମ୍ମିଳନୀ ୨୮ ସେପ୍ଟେମ୍ବର ୨୦୨୪ ତାରିଖ ରେ ବିଶ୍ୱବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷ ରେ କୁଳପତି ଙ୍କ ପୌରୋହିତ୍ୟ ରେ ଆୟୋଜିତ ହୋଇଯାଇଅଛି I ସମ୍ମିଳନୀ ର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟ ର ବିଭିନ୍ନ ବିଭାଗରେ ପଂଜିକୃତ ହୋଇଥିବା ଗବେଷକ ଓ ଗବେଷିକା ମାନେ ସେମାନଙ୍କ ଗବେଷଣା ସନ୍ନିହିତ ସନ୍ଦର୍ଭକୁ ପୋଷ୍ଟର ମାଧ୍ୟମରେ ପ୍ରକାଶ କରିବା ସହ ବର୍ଣନା କରିଥିଲେ I ଏହି ସମ୍ମିଳନୀ ର ଗବେଷଣା ପୋଷ୍ଟର ଗୁଡିକୁ ଆଠଗୋଟି ବିଭାଗ ଯଥାକ୍ରମେ ଜୀବ ବିଜ୍ଞାନ, ଭୌତିକ ଓ ରସାୟନ ବିଜ୍ଞାନ, ଭାଷା ଓ ସାହିତ୍ୟ, ସାମାଜିକ ବିଜ୍ଞାନ ଓ ମାନବିକୀ, ବାଣିଜ୍ୟ ଓ ପରିଚାଳନା, ଗୃହ ବିଜ୍ଞାନ, ଗଣନ ଓ ଗାଣିତିକ ବିଜ୍ଞାନ, ଆଇନି ରେ ବିଭାଜିତ କରି ମୂଲ୍ୟାଙ୍କନ କରାଯାଇଥିଲା I ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଯଥା ଆଇଜର, ନାଇଜର, ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ଶା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ, ଜାତୀୟ ଆଇନି ବିଶ୍ୱବିଦ୍ୟାଳୟ, ଟ୍ରାଇଡେଣ୍ଟ ଅକାଦେମୀ ର ପ୍ରଫେସର ମାନଙ୍କ ଦ୍ୱାରା ଏହି ମୂଲ୍ୟାଙ୍କନ କାର୍ଯ୍ୟ ସମ୍ପାଦିତ ହୋଇଥିଲା I ବିଶ୍ୱବିଦ୍ୟାଳରେ ଗବେଷଣା ରତ ୧୭୪ ଜଣ ଗବେଷକ ଓ ଗବେଷିକା ସେମାନଙ୍କ ପୋଷ୍ଟର ଉପସ୍ଥାପନା କରିଥିଲେ I

ସମ୍ମିଳନୀର ଦ୍ଵିତୀୟ ପର୍ଯ୍ୟାୟରେ, ଉଦଯାପନୀ ଉତ୍ସବ ଅବସରରେ ପ୍ରମାଣ ପତ୍ର ବଣ୍ଟନ ଓ ପୁରସ୍କାର ବିତରଣ କରାଯାଇଥିଲା I ଆଇଜର କଲିକତା ର ପ୍ରାକ୍ତନ ପଦାର୍ଥ ବିଜ୍ଞାନ ପ୍ରଫେସର, ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅଥିଥି ଭାବେ ଯୋଗ ଦେଇ ଗବେଷକ ମାନଙ୍କୁ ଅନୁପ୍ରାଣିତ କରିଥିଲେ I ସୃଜନ ଶୀଳତା ହିଁ ଗବେଷଣାର ମୂଳାଧାର ବୋଲି ପ୍ରଫେସର ପାଣିଗ୍ରାହୀ ଗୁରୁତ୍ୱାରୋପ କରିଥିଲେ I ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧକ୍ଷ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ଗବେଷଣା ର ବିଭିନ୍ନ ଦିଗ ଉପରେ ରେଖାପାତ କରିଥିଲେ I ଏହି ସଭାର ସମ୍ମାନିତ ଅଥିତି ଭାବେ ଭୁବନେଶ୍ୱର ଟାଟା କନ୍ସଲଟାଆଁସି ସର୍ଭିସେସ ର ଜୀବ ବିଜ୍ଞାନ ମୁଖ୍ୟ ଶ୍ରୀ ଦେବକାନ୍ତ ମିଶ୍ର ଯୋଗ ଦେଇ ଗବେଷଣା ଓ କୃତ୍ରିମ ବୁଦ୍ଧିମତ୍ତା ର ସଂଯୋଗ ସମ୍ବନ୍ଧୀୟ ବିଭିନ୍ନ ଅନାଲୋଚିତ ଦିଗ ଉପରେ ଆଲୋକପାତ କରିଥିଲେ I ବିଶ୍ୱବିଦ୍ୟାଳୟ ର କୁଳପତି, ପ୍ରଫେସର ଦାଶ ଗବେଷଣା ଭିତ୍ତିକ ଉତ୍କର୍ଷତା ଉପରେ ନିଜର ଅଭିମତ ପୋଷଣ କରିବ I ସମ୍ମିଳନୀର ଆବାହକ ଡଃ ଶାରଦା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ସମ୍ମିଳନୀର ସହ ଆବାହକ ଡଃ ସନ୍ଦୀପ କୁମାର ଦାଶ, ଡଃ ଇତିଶ୍ରୀ ଗୀତା କୁମାରୀ, ଡଃ ବିକାଶ କୁମାର ବାଗ ସମ୍ମିଳନୀର ସଫଳ ରୂପାୟନ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ I

 

 

You may have missed