ରାସ୍ତା କଡରୁ ହଟିଲା ବିପଦ ପୂର୍ଣ୍ଣ ଥୁଣ୍ଟା ଗଛ
ବୁଗୁଡ଼ା : ବୁଗୁଡ଼ା ବ୍ଲକ ଜେଏକ ଗାଁ ନିକଟ ବୁଗୁଡ଼ା-କରସିଙ୍ଗି ମୁଖ୍ୟ ରାସ୍ତା କଡରେ ଦୀର୍ଘ ଦିନ ହେଲା ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଥିବା ଥୁଣ୍ଟା ଶୁଖିଲା ଗଛକୁ ଶେଷରେ କଟାଯାଇଛି । ତଳ ଦିନେ ଏହି ଥୁଣ୍ଟା ଗଛର ଏକ ଡାଳ ହଠାତ୍ ଭାଙ୍କି ପଡିବାରୁ ଓଡଗାଁ ଅଞ୍ଚଳର ଏକ ବାଇକ୍ ଆରୋହୀ ଦମ୍ପତି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବର୍ଷା ପବନ ସମୟରେ ସେହି ରାସ୍ତା ଦେଇ ଯିବାକୁ ଲୋକେ ବିପଦ ମଣୁଥିଲେ । ବିଶେଷ କରି ଦୈନିକ ସେହି ରାସ୍ତା ଉପରେ ନିର୍ଭର କରି ଯାତାୟତ କରୁଥିବା ଆଖପାଖ ଗ୍ରାମର ଲୋକେ ସେହି ଥୁଣ୍ଟା ଗଛକୁ ଅତିକ୍ରମ କଲାବେଳେ ଆଶଙ୍କାଗ୍ରସ୍ତ ହେଉଥିଲେ । ଏ ନେଇ ବାରମ୍ବାର ଖବର ପ୍ରକାଶ ହୋଇଥିଲେ ସୁଦ୍ଧା ନା ବନ ବିଭାଗ ନା ପୂର୍ତ୍ତ ବିଭାଗ କେହି ହେଲେ କର୍ଣ୍ଣପାତ କରୁ ନ ଥିବାରୁ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । ତେବେ ଜନସାଧାରଣଙ୍କ ଶଙ୍କା ଜନିତ ଉକ୍ତ ସମସ୍ଯାକୁ ଗୁରୁତ୍ୱ ନଦେଇ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଲୋକେ ସେହି ଶଙ୍କାପ୍ରଦ ଥୁଣ୍ଟା ଶୁଖିଲା ଗଛଟିକୁ ଉଚ୍ଛେଦ କରି ପ୍ରଶଂସା ଭାଜନ ହୋଇଥିବା ଜଣାଯାଇଛି ।