October 5, 2024

ଲାଞ୍ଜିଗଡ଼ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଶୋଚନୀୟ ..

Share

ଗତ କିଛି ଦିନ ହେଲା ଲାଞ୍ଜିଗଡ଼ରେ ପ୍ରାୟତଃ ବର୍ଷା ଲାଗି ରହିଛି l ଫଳରେ ଲାଞ୍ଜିଗଡ଼ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ବିଶେଷ ପ୍ରଭାବ ପଡିଛି l କିଛି ଦିନର ସାମାନ୍ୟ ବର୍ଷା ଯୋଗୁଁ ଡାକ୍ତରଖାନା ପରିସରରେ ପାଣି ଜମି ରହିଛି l ପାଣି ନିଷ୍କାସନ ହେବାର କୌଣସି ବ୍ୟବସ୍ଥା ନ ଥିବା ଯୋଗୁଁ ଡାକ୍ତରଖାନା କର୍ମଚାରୀ ଓ ରୋଗୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଡାକ୍ତରଖାନାର ଛାତରୁ ପାଣି ଗଳି ରୋଗୀଙ୍କ ଶଯ୍ୟାରେ ପଡୁଛି ଏବଂ ଛାତରୁ ସିମେଣ୍ଟ ଝଡି ରୋଗୀଙ୍କ ଉପରେ ପଡୁଛି l କେତେବେଳେ ଯେ ଵିମ ଖସିପଡିବ ତାର ସ୍ଥିରତା ନାହିଁ l ତେଣୁ ତାହା ବିପଜ୍ଜନକ ମନେକରି ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଦ୍ୱାରା ରୋଗୀମାନଙ୍କ ଚିକିତ୍ସାରେ ଅସୁବିଧା ସୃଷ୍ଟି ହେଉଛି l ଏହା ଦ୍ୱାରା ଉଭୟ ରୋଗୀ ଏବଂ ଡାକ୍ତରଖାନା କର୍ମଚାରୀଙ୍କୁ ହନ୍ତସନ୍ତ ହେବାଜୁ ପଡୁଛି l ଆଗକୁ ଆହୁରି ବର୍ଷା ଦିନ ଅଛି l ତେଣୁ କିଭଳି ଭାବେ ଶୀଘ୍ର ଏ ସମସ୍ୟାର ସମାଧାନ ହୋଇପାରିବ, ସେଥିପାଇଁ ସ୍ଥାନୀୟ ଜନସାଧାରଣଙ୍କ ମନରେ ଉଦବେଗ ଭରି ରହିଛି l କାରଣ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଚଉଦଟି ପଞ୍ଚାୟତ ପ୍ରାୟ ତିରିଶି ହଜାର ଲୋକ ନିର୍ଭର କରନ୍ତି l ତେଣୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏ ବିଷୟରେ ପଦକ୍ଷେପ ନେଇ ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରନ୍ତି l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ – ଉପାନ୍ତ ଖବର, ଓଡିଶା