September 29, 2024

ବିଜେଡିର ଭବିଷ୍ୟତକୁ ନେଇ ବଢ଼ିଲାଣି ଚିନ୍ତା

Share

ଭୁବନେଶ୍ବର(ରାଜାରାମ ଷଡଙ୍ଗୀ): ବିଜେଡିରେ ଲାଗିଛି ନିଆଁ।ଏହାକୁ ପ୍ରଶମିତ କରିବାକୁ ଏକପ୍ରକାରେ ଦଳ ମୁଖିଆ ଗୋଟି ଚାଳନା ଆରମ୍ଭ କରିଛନ୍ତି ସତ ହେଲେ ଦଳର ଛାମୁଆଁ ନେତାମାନେ ଏଥିରେ ସନ୍ତୁଷ୍ଟ ହୋଇ ପାରୁନାହାଁନ୍ତି।ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ଦଳର ତୃଣମୂଳଠୁ ଆରମ୍ଭ କରି ଶୀର୍ଷସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଭିକେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ(ବବି) ଓ ଆଉ କେତେ ଜଣଙ୍କୁ ଦାୟୀ କରୁଛନ୍ତି। ଏପରିକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିବା ଭଳି ଚାପା ଗୁଞ୍ଜରଣ ଶୁଭିଲାଣି। ଏହି ସମୟରେ ଦଳର ବରିଷ୍ଠ ନେତା ତଥା ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବୟାନ ପାଣିପାଗକୁ ବଦଲାଇ ଦେଲାଣି। ସେ କହିଛନ୍ତି, ଦଳର ଆନୁଷ୍ଠାନିକ ବୈଠକରେ ପରାଜୟର ତର୍ଜମା ହେବ। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତଙ୍କ ସହ ଅଣ ଆନୁଷ୍ଠାନିକ ବୈଠକ କରୁଛନ୍ତି। ଆନୁଷ୍ଠାନିକ ଭାବେ ବୈଠକ ଯେବେ ବସିବ ତେବେ ଯାଇ ସବୁ କଥା ଜଣାପଡ଼ିଯିବ।

ଅନ୍ୟପଟେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଦଳ ପାଇଁ କାଳ ଆଶଙ୍କା କରାଯାଉଛି।ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ ହେଉନଥିବାରୁ ଦଳୀୟ ନେତା, କର୍ମୀ ଓ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ କୁଆଡେ ବଢ଼ିବାରେ ଲାଗିଛି । ଏପଟେ ନିର୍ବାଚନରେ ପରାଜୟର କାରଣକୁ ସମୀକ୍ଷା କରିବା ପାଇଁ ଦଳ ପକ୍ଷରୁ ସକ୍ରିୟତା ମନୋଭାବ ଦେଖାଯାଉନି।ନବୀନ ଚୁପ୍ ରହିବା ଓ ପାଣ୍ଡିଆନଙ୍କୁ ସୁରକ୍ଷା ଦିଆଯିବା କାରଣରୁ ଦଳର ଅନେକ ଛାମୁଆଁ ନେତା ଅସୁଖୀ ରହିଛନ୍ତି।ଫଳରେ ନବୀନ ପଟ୍ଟନାୟକଙ୍କୁ ଭରସା କରି ଆଉ ଦଳରେ ରହିବାକୁ ବିଜେଡିର ଏକ ବୃହତ୍‌ ଗୋଷ୍ଠୀ ଚାହୁଁନଥିବା ବିଷୟ ମଧ୍ୟ ସାମ୍ନାକୁ ଆସୁଛି।ଶୁଣା ଯାଉଛି କାମଚଳା ବଜେଟ୍ ଅଧିବେଶନ ପରେ ପରେ ଦଳ ଭିତରେ ସଙ୍କଟର ଆସିପାରେ।ଏକ ବୃହତ୍ ଗୋଷ୍ଠୀ ବିଜେଡି ଛାଡି ବିଜେପି ମୁହାଁ ହେବାର ମଧ୍ୟ ସମ୍ଭାବନାକୁ ଏଡାଇ ହେଉନାହିଁ।

ସେପଟେ ପଞ୍ଚାୟତରୁ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ ବିଜେଡି ବୈଠକ ବସି ରାଜ୍ୟ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଆୟୋଜନ ପାଇଁ ବିଜେଡି ସୁପ୍ରିମୋ ମନ ସ୍ଥିର କରିଛନ୍ତି।ସେପଟେ ନୂଆ ସରକାର ଆସିଥିବାରୁ ଓ ବିଜେଡିକୁ ଆଗରୁ ସମର୍ଥନ ଦେଉଥିବା ସରପଞ୍ଚ୍ ମାନେ ଆଉ ଆଗପରି ବିଜେଡି ମୁହାଁ ହୋଇନପାରନ୍ତି।ସେମିତିରେ ସରପଞ୍ଚ୍ ମାନଙ୍କ ୧୪ ଦଫା ଦାବି ଭିତରୁ ପ୍ରମୁଖ ଦାବି ଗୁଡିକୁ ଅଣଦେଖା କରି କେବଳ ସେମାନଙ୍କୁ ସନ୍ତୁଷ୍ଟ କରିବା ଭଳି ଭତ୍ତା ବଢାଇବା ଓ ବିଡିଓଙ୍କ କାଉଣ୍ଟର ଦସ୍ତଖତ ଉଚ୍ଛେଦ କରି ସେ ସମୟର ବିଜେଡି ସରକାର ଚୁପ୍ ପଡିଯାଇଥିଲା।ଗ୍ରାମ୍ୟ ବିକାଶ ନେଇ ପଞ୍ଚାୟତ ବ୍ୟବସ୍ଥାରେ ବହୁ ସୁଧାର ଆଣିବାର ଆବଶ୍ୟକତା ରହିଛି।ଏହି ସମୟରେ ବିଜେଡି ନିଜ ବଳ ଦେଖାଇବାକୁ ଯେଉଁ ବିଶ୍ୱାସ ରଖୁଛି ସେଥିରେ ସରପଞ୍ଚ୍ ମାନଙ୍କ ଭୂମିକା ସେତେଟା ସକରାତ୍ମକ ହେବ ଏହା ବିଶ୍ୱାସ କରାଯାଉନି।ତେବେ ବଜେଟ୍ ଅଧିବେସନ ପରେ ପରେ ବିଜେଡିର ଭବିଷ୍ୟତ କଣ ହେବ ତାହା ଜଣା ପଡିବ ।