April 28, 2026

ଜେଲ ଫେରନ୍ତା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ , ଦୁର୍ବୃତ୍ତ ଫେରାର

IMG-20240612-WA0000
Share

 

ବୁଗୁଡା : ତା ୧୨/୦୬/୨୪ : ବୁଗୁଡା ଥାନା ଅନ୍ତର୍ଗତ ଝାଟିକାପଲ୍ଲୀ ଛକରେ ଜନୈକ ଜେଲ୍ ଫେରନ୍ତା ଯୁବକ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆକ୍ରମଣରେ ଗୁରୁତର ଯୁବକ ଜଣକ ହେଲେ ମୋଟାବାଡି ପଞ୍ଚାୟତ ଅନ୍ତର୍ଗତ ବାଲିଛାଇ ଗ୍ରାମର ବିପିନି ପ୍ରଧାନ (୩୨) । ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ବିପିନି ଓ ତାଙ୍କର ମଦ ଦୋକାନ ମାଲିକ ଡି.ଗୋପୀଙ୍କ ସହ ନିଜ ଗାଁ ବାଲିଛାଇରୁ ଭଞ୍ଜନଗରକୁ ବାଇକରେ ଫେରୁଥିବା ବେଳେ ଝାଟିକାପଲ୍ଲୀ ଗାଁ ଛକ ଟ୍ଯୁବ୍ଓ୍ବେଲ୍ ପାଖରେ ପୂର୍ବରୁ ଛକି ରହିଥିବା ତିନି ଜଣ ଦୁର୍ବୃତ୍ତ ଠେଙ୍ଗା ଓ ଶାବଳରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେହି ଆକ୍ରମଣ ସମୟରେ ସାଥିରେ ଥିବା ମାଲିକ ନୀରବଦ୍ରଷ୍ଟା ସାଜିଥିବା ବେଳେ ବିପିନିକୁ ଅଚେତ ଅବସ୍ଥାରେ ଛାଡି ଦୁବୃର୍ତ୍ତ ତିନିହେଁ ଘଟଣା ସ୍ଥଳରୁ ଛୁ ମାରିଥିଲେ । ଏ ଆକ୍ରମଣ ସମ୍ପର୍କେ ଖବର ପାଇ ବିପିନିର ବାପା ତ୍ରିନାଥ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଅନ୍ଯମାନଙ୍କ ସହଯୋଗରେ ପୁଅକୁ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ । ଆକ୍ରମଣରେ ବିପିନିର ମୁହଁରେ ଆଘାତ ସାଙ୍ଗକୁ ଦୁଇ ଗୋଡ ଭାଙ୍ଗି ଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ , ଆଠ ବର୍ଷ ତଳେ ଗାଁର ଏକ କାଜୁ ତୋଟାରେ ବିପିନି ତାଙ୍କର ବଡ ଭାଇ ଭୋବନୀକୁ ହତ୍ଯା କରିଥିବା ଅଭିଯୋଗରେ ଜେଲରେ ରହିଆସୁଥିଲା । ସେ ସାଢେ ସାତ ବର୍ଷ କାଳ ଜେଲରେ ରହିବା ପରେ ଗତ ମାସରେ ଖଲାସ ହୋଇଥିଲା । ତେବେ ଆଜିର ଏହି ମରଣାନ୍ତକ ଆକ୍ରମଣ ବୁଗୁଡା ସହରର ଜନୈକ ଦୁର୍ଦ୍ଦାନ୍ତ ଯୁବକ ତାହାର ଦୁଇ ସହଯୋଗୀଙ୍କ ସହାୟତାରେ ଘଟାଇଥିବା ବେଳେ ଏହା ପଛରେ ତାଙ୍କର ପ୍ରତିଶୋଧ ପରାୟଣା ଭାଉଜଙ୍କ ହାତ ଥାଇପାରେ ବୋଲି ବିପିନି ପ୍ରକାଶ କରିଥିଲେ ହେଁ ପୋଲିସର ତଦନ୍ତ ପରେ ଘଟଣାର ସତ୍ଯାସତ୍ଯ ପଦାକୁ ଆସିବ ବୋଲି ଜଣାଯାଇଛି ।