September 29, 2024

ବାରମ୍ବାର ଅଭିଯୋଗ ସତ୍ତ୍ବେ ଥମୁନି ବ୍ଲାଷ୍ଟିଂ, ହାତବାନ୍ଧି ବସିଛି ପୋଲିସ ପ୍ରଶାସନ….

Share

ବୁଗୁଡ଼ା : ତା ୧୫/୦୫/୨୪ : ପାହାଡ଼ ଲିଜ ନଥାଇ ବେଆଇନ ବ୍ଲାଷ୍ଟିଂ ଚାଲିଛି l ପ୍ରତିଦିନ ଟ୍ରିପ ଟ୍ରିପ ପଥର ବୁହା ହେଉଛି l ପୋଲିସ ପ୍ରଶାସନକୁ ଖାତିର ନକରି ଦିନ ଦ୍ବିପହରରେ କମ୍ପ୍ରେସର ମେସିନ ଲଗାଇ ମାଫିଆ ଗୋଷ୍ଠୀ ବ୍ଲାଷ୍ଟିଂ ଚଳାଇଛନ୍ତି l ଏମିତି ଦୃଶ୍ୟ ବୁଗୁଡ଼ା ବ୍ଲକ ମାଣିତରା ଗ୍ରାମ ନିକଟରେ ଥିବା ଭାଲୁ ପାହାଡ଼ରେ ଦେଖିବାକୁ ମିଳିଛି l ଏହି ପାହାଡ଼ କାହାକୁ ଲିଜ ଦିଆ ଯାଇନଥିଲେ ମଧ୍ୟ ମାଫିଆମାନେ ଏହି ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ କରି ଟ୍ରାକ୍ଟରରେ ପଥର ଚାଲାଣ କରୁଥିବା ନଜରକୁ ଆସୁଛି l ଉକ୍ତ ପାହାଡ଼ରେ ବହୁ ସଂଖ୍ୟକ ମୟୁର ରହୁଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପାହାଡ଼ ଲିଜ ଦିଆ ଯାଉନଥିବା ବେଳେ ଏହାର ସୁଯୋଗ ନେଇ ମାଫିଆମାନେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରି ଚୋରା ଚାଲାଣ ଚାଲିଛି l ବାରମ୍ବାର ଅଭିଯୋଗ କଲେ ମଧ୍ୟ ଠିକ ସମୟରେ ପୋଲିସ କିମ୍ବା ପ୍ରଶାସନ ପହଞ୍ଚୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l କିଛି ଦିନ ତଳେ ଏହି ପାହାଡ଼ରୁ ପଥର ଚୋରା ଚାଲାଣ ବେଳେ ବୁଗୁଡ଼ା ପୋଲିସ ଦ୍ବାରା ଗୋଟିଏ ଟ୍ରାକ୍ଟର ସିଜ ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ଫାଇନ ଆଦାୟ କରି ଉକ୍ତ ଟ୍ରାକ୍ଟର ଛାଡି ଦିଆଯାଇଥିଲା l ପୂର୍ବରୁ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରୁ ବେଲଚା, କଡେଇ ଆଦି ଜବତ କରିଥିଲେ ବୋଲି ସ୍ଥାନୀୟ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର କହିଥିଲେ l ମାଇନିଙ୍ଗ ବିଭାଗ ଅଧୀନରେ ଆସୁଥିବା ଉକ୍ତ ପାହାଡ଼ର ସୁରକ୍ଷା ପାଇଁ ମାଇନିଙ୍ଗ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ବୁଗୁଡ଼ାରେ ରହୁ ନଥିବାରୁ ମାଫିଆ ମାନେ ସକ୍ରିୟ ହୋଇ ଉଠୁଥିବା ଅଭିଯୋଗ ହେଉଛି l ହଜାର ହଜାର ସଂଖ୍ୟାରେ ମୟୁର ବାସ କରୁଥିବା ଏହି ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ ଯୋଗୁଁ ପଶୁପକ୍ଷୀଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି ଏବଂ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଭୟରେ ମୟୁରମାନେ ଉକ୍ତ ସ୍ଥାନ ଛାଡି ଚାଲି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଦୃଢ଼ ଦାବି ହେଉଛି ।