November 27, 2024

ଶ୍ରୀକ୍ଷେତ୍ରରେ ପ୍ରଥା ଓ ପରଂପରା କ୍ରମେ ପବିତ୍ର ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତଙ୍କ ସହ ଫଗୁ ଖେଳିଛନ୍ତି

Share

ଶ୍ରୀକ୍ଷେତ୍ରରେ ପ୍ରଥା ଓ ପରଂପରା କ୍ରମେ ପବିତ୍ର ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତଙ୍କ ସହ ଫଗୁ ଖେଳିଛନ୍ତି। ଦୋଳପୁର୍ଣ୍ଣିମା ପାଇଁ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି। ସେପଟେ ଦୋଳବେଦୀରେ ଦୋଳଠାକୁର ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସମସ୍ତ ରୀତି, ନୀତି ସଂପନ୍ନ ହୋଇଛି। ସେହିପରି ରତ୍ନସିଂହାସନସ୍ଥ ଚତୁର୍ଦ୍ଧାବିଗ୍ରହ ରାଜାଧିରାଜ ବା ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି।ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଆଧ୍ୟାତ୍ମିକ ପରିବେଶ। ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ସଂକୀର୍ତ୍ତନ ସହ ବେଦପାଠ। ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର‌ ପରିକ୍ରମା ମାର୍ଗରେ ଆଧ୍ୟାତ୍ମିକ ତଥା ଧାର୍ମିକ ପରିବେଶ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ସମସ୍ତ ବ୍ୟବସ୍ଥା। ତେବେ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରଫିଟା, ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହେବାପରେ ନାଭିକଟା ମଣ୍ତପକୁ ଦିଅଁ ବିଜେ କରିଥିଲେ। ମହାପ୍ରଭୁ ରାଜାଧିରାଜ ବା ସୁନାବେଶ ଏବଂ ନାଭିକଟା ମଣ୍ତପ ନୀତି ସଂପନ୍ନ ହେବାପରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ , ଭୂଦେବୀ, ଶ୍ରୀଦେବୀ ବିମାନକୁ ବିଜେ କରିଥିଲେ। ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନି ଏବଂ ରଙ୍ଗବେରଙ୍ଗର ଫଗୁ ମଧ୍ୟରେ ବଡ଼ଦାଣ୍ତ ଦେଇ ବିମାନ ଦୋଳବେଦୀରେ ପହଞ୍ଚିଥିଲା। ସେଠାରେ ଦୋଳବେଦୀର ତଳ ଓ ଉପର ଭାଗରେ ବିମାନ ସାତ ଘେରା ପରିକ୍ରମା କରିବା ପରେ ଠାକୁର ଦୋଳବେଦୀରେ ବରାଜିତ ହୋଇଥିଲେ।ଶତାଧିକ ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବିମାନ ଆଗରେ ଏବଂ ପରିକ୍ରମା ସମୟରେ ଫଗୁ ଛିଞ୍ଚି ଛିଞ୍ଚି ଆତ୍ମବିଭୋର ହୋଇ ପଡ଼ିଥିଲେ। ଭକ୍ତଙ୍କ ସହ ଅବୀର ଓ ଫଗୁ ଖେଳିଥିଲେ ମହାପ୍ରଭୁ। ବଡ଼ଦାଣ୍ତ ଏବଂ ଦୋଳବେଦୀ ଚତୁଃପାର୍ଶ୍ୱରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ। ସେପଟେ ଆଜିର ଏହି ପବିତ୍ର ଦୋଳବୁର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧାବିଗ୍ରହ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଥିବା ଦେଖାଯାଇଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଦୋଳବେଦୀ ଉପରେ ଦୋଳଠାକୁରଙ୍କ ସମସ୍ତ ରୀତିନୀତି ସଂପାଦିତ ହେବାପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଦୋଳବେଦୀକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ବିଶ୍ୱାସ ଅନୁଯାୟୀ ଦୋଳପୁର୍ଣିମାରେ ଦୋଳବେଦୀରେ ଠାକୁରଙ୍କ ଦର୍ଶନ ସହ ତାଙ୍କ ଚରଣରୁ ଅବିର ନେଇ ମୁଣ୍ତରେ ସ୍ପର୍ଶ କଲେ ମହାପୁଣ୍ୟ ମିଳିଥାଏ।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)