November 25, 2024

ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟ ପକ୍ଷରୁ ପ୍ରକୃତି ଶିବିର ଅନୁଷ୍ଠିତ…..

Share

ଉମରକୋଟ – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସାନ ଖଡକା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରକୃତି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ଜଳବାୟୁ ପରିବର୍ତ୍ତନ ବିଭାଗ ଓ ଭାରତ ସରକାରଙ୍କ ଅଧିନରେ ଥିବା CES ଭୁବନେଶ୍ବରଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉମରକୋଟ ବ୍ଲକ୍ ଚିକଲପଦର ସ୍ଥିତ ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଓ ୧୫ ଜଣ ଗୁରୁଜୀ ଗୁରୁମାଙ୍କୁ ନେଇ ଆୟୋଜିତ ଏହି ପ୍ରକୃତି ଶିବର ରେ ବିଦ୍ୟାଳୟର ପ୍ରିନ୍ସପାଲ ଦୀପିକା ଅଧିକାରୀ ଅଧ୍ୟକ୍ଷତା କରିଥିବାବେଳେ ମାଷ୍ଟର ଟ୍ରେନର ଭାବେ ବରିଷ୍ଠ ଶିକ୍ଷାବିତ୍ ଡ. ପ୍ରଦୀପ କୁମାର ମିଶ୍ର ଯୋଗ ଦେଇ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରକୃତି ଶିବିର ଆୟୋଜନର ମୁଖ୍ୟ ଉଦ୍ଧେଶ୍ୟ ସମ୍ପର୍କରେ ଅବଗତ କରାଇବା ସହ ପରିବେଶର ସୁରକ୍ଷା ସାଙ୍ଗକୁ ଜୀବଜଗତ ପାଇଁ ବୃକ୍ଷ ଲତା ଓ ପଶୁ ପକ୍ଷୀଙ୍କ ଆବଶ୍ୟକତା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ସେପଟେ ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତଥା ସାମ୍ବାଦିକ କାର୍ତ୍ତିକ ମଲ୍ଲିକ ଯୋଗ ଦେଇ ଦିନକୁ ଦିନ ପରିବେଶ ନଷ୍ଟ ହେବା ଓ ପଶୁ ପକ୍ଷୀ ଲୋପ ପାଇବା ପଛର ଅସଲ କର୍ପଟଦାର ହେଉଛନ୍ତି ମଣିଷ । ଏଣୁ ସମାଜରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ନିଜ ମତ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ମଧ୍ୟକୁ ପରିଦର୍ଶନରେ ନେଇ ବିଭିନ୍ନ ପ୍ରକାର ବୃକ୍ଷ, ଫଳ, ଫୁଲ ଓ ଚେରମୂଳର ଉପକାରିତା ସମ୍ପର୍କରେ ଅବଗତ କରାଯିବା ସହ ପତ୍ରକଳା, କୁଇଜ୍, ତର୍କ, ପ୍ରବନ୍ଧ ଏବଂ ଚିତ୍ରାଙ୍କନ ସାଙ୍ଗକୁ ସାତୋଟି ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ସୁବାସ ପାତ୍ର, ଦୁଷ୍ମନ୍ତ ପଟ୍ଟନାୟକ ଓ ଅଶୋକ ପାତ୍ର ଯୋଗ ଦେଇ ପ୍ରକୃତି ଓ ପରିବେଶ ସମ୍ପର୍କରେ ଆଲୋଚନା କରିଥିଲେ ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)