ଏକଡାଳ ଗ୍ରାମରେ ରାମେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ…
ବୁଗୁଡ଼ା : ତା ୧୭/୦୩/୨୪ : ବୁଗୁଡ଼ା ବ୍ଲକ ଅନ୍ତରପଡ଼ା ପଞ୍ଚାୟତ ଅନ୍ତର୍ଗତ ଏକଡାଳ ଗ୍ରାମରେ ରାମେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି l ଶନିବାର ଦିନ ଆରମ୍ଭ ହୋଇଥିବା ଏହି ଷଷ୍ଠ ଦିନାତ୍ମକ ଉତ୍ସବ ଅବସରରେ ଗତକାଲି ଦୀକ୍ଷା ଗ୍ରହଣ,କଳସ ଯାତ୍ରା ଓ ମହାଦୀପ ସ୍ଥାପନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମୁଣ୍ଡରେ କଳସ ଧରି ଢୋଲ ବାଦ୍ୟର ତାଳେ ତାଳେ ଗ୍ରାମ୍ଯ ପରିକ୍ରମା କରିଥିଲେ l ରବିବାର ଦିନ ମଣ୍ଡଳ କରଣ, ବନଯୋଗ, ଅଙ୍କୁରାରୋପଣ ଓ ନାମାଧିବାସ ଅନୁଷ୍ଠିତ ହୋଇଥିଲା l ଏ ଅବସରରେ ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା l ନାମଯଜ୍ଞରେ ଏକଡାଳ, ଝୋଲୋରୀ, ମହୁଲପଲ୍ଲୀ, ପଙ୍କଳବାଡ଼ି, କଞ୍ଚୁରୁ ଓ ଖରିଡା ଗ୍ରାମର ୨ଟି ନାମ ଦଳ ଯୋଗ ଦେଇ ୨୪ ପ୍ରହର ନାମ ସଂକୀର୍ତ୍ତନ କରିଥିଲେ l ସୋମବାର ଦିନ ସୂର୍ଯ୍ୟ ପୂଜା, ଶାଲା ପୂଜା, ଅଗ୍ନି ସ୍ଥାପନ ପରେ ମଙ୍ଗଳବାର ଦିନ ଜୀବନ୍ୟାସ ଦିଆଯାଇ ବୁଧବାର ଦିନ ସିଂହାସନ ଆରୋହଣ କାର୍ଯ୍ୟକ୍ରମ ହେବା ନେଇ ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି l ଉକ୍ତ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ସଦାଶିବ ଖାଡ଼ଙ୍ଗା, ପ୍ରମୋଦ ହୋତା ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କର୍ତ୍ତା ଭାବେ କୋକୋରାମ ଜେନା ଦାୟିତ୍ୱ ତୁଲାଇଛନ୍ତି l ଯଜ୍ଞ କମିଟି ସଭାପତି କାଳୁ ଚରଣ ନାୟକ,ଉପସଭାପତି ଉମେଶ ଚନ୍ଦ୍ର ନାୟକ , ସମ୍ପାଦକ ଜିତେନ୍ଦ୍ର ଗୌଡ଼, କୋଷାଧକ୍ଷ ଧରଣୀ ଜେନାଙ୍କ ସମେତ କମିଟି ସଦସ୍ୟଗଣ ଓ ଗ୍ରାମବାସୀବୃନ୍ଦ ଏଥିରେ ସହଯୋଗ କରୁଥିବାର ଦେଖିବାକୁ ମିଳିଛି ।