November 22, 2024

ଓଡିଶାରେ ଡବଲ ଇଞ୍ଜିନର ଅଙ୍କ କଷା ଶେଷ:କେବଳ ଘୋଷଣାକୁ ବାକି…

Share

ସମ୍ବଲପୁର,: ଏଥର ଓଡିଶାରେ ଚାଲିବ ବିଜେପି ଘୋଷିତ ଡବଲ ଇଞ୍ଜିନ।ଏଥିପାଇଁ ସବୁ ଅଙ୍କ କଷା ସରିଛି। କେବଳ ଘୋଷଣାକୁ ବାକି ଅଛି।
ମିଳିଥିବା ସୂଚନା ମତେ ଲୋକସଭା ପାଇଁ ଆସନ ଭାଗବଣ୍ଟା ଶେଷ ସ୍ତରରେ ପହଞ୍ଜିଥିବା ବେଳେ କେବଳ ବିଧାନସଭା ଆସନ ବୁଝାମଣାରେ ବିଳମ୍ବ ଘଟି ଏକ ଚତୁର ପଣିଆ ମେଣ୍ଟ ପାଇଁ ଗତରାତିରୁ ନୂଆଦିଲ୍ଲୀରେ ପ୍ରୟାସ ଆରମ୍ଭ ହୋଇଛି।

ତେବେ ବିଜେପି ବିଜେଡି ଭିତରେ ହୋଇଥିବା ଅସଲ ମେଣ୍ଟର ବେଣ୍ଟ କାହା ପାଇଁ ହୁଗୁଲା ତ କାହା ପାଇଁ ଭାରି ପଡିଲାଣି।ଲୋକସଭା ଆସନ ଭାଗବଣ୍ଟାକୁ ନେଇ ଚକ ଅଖ ବନ୍ଦ ହେଲା ପରି ଓଡିଶାର ଅନେକ ନେତାଙ୍କ ନିଦ ହଜାଇ ଦେଲାଣି।ବଛା ବଛା ନେତାଙ୍କୁ ବାଛି ଫୋପାଡି ଦେବା ଭଳି ୨ ମେଣ୍ଟର କସରତ୍ ଖେଳ ଆଗାମୀ ଦିନକୁ ନୂଆଁ ସମିକରଣର ବାଟ ଦେଖାଇଲାଣି।ଯେଉଁ ଗଣିତରେ ଉଭୟ ବିଜେଡି ଓ ବିଜେପିର ତଳ ସ୍ତରରେ ଥିବା ନେତା ଓ କର୍ମୀ ମହଳରେ କୋକୁଆ ଭୟ ସୃଷ୍ଟି ହେଲାଣି।ଶୀର୍ଷ ସ୍ତରୀୟ ନେତାଙ୍କ ଯାଦୁରେ ଏବେ ଯେମିତି ଆନେକ ନେତା ଚେପଟା ହୋଇଯିବେ ସେଭଳି ସଙ୍କେତ ମିଳିସାରିଲାଣି।ଯାହାକି ବୋଝ ଉପରେ ନଳିତା ବିଡା ବୋଲି ଉଭୟ ଦଳର ନେତା,କର୍ମୀଠୁ ଆରମ୍ଭ କରି ସାଧାରଣ ଜନତା ଯାଏ ଚର୍ଚା ଆରମ୍ଭ କଲେଣି।

ଗତକାଲି ବିଜେପି ଓ ବିଜେଡିର ଲୋକସଭା ଆସନ ଭାଗବଣ୍ଟାକୁ ନେଇ ଏହି ମେଣ୍ଟର ଅସଲ ସ୍ୱରୂପ ପଦାକୁ ଆସିଯାଇଥିବା ନେଇ ଅସନ୍ତୋଷ ତେଜିଲେଣି।ସ୍ୱାର୍ଥ ଓ ଅହଙ୍କାର ଓ ପ୍ରତିଶୋଧ ଭଳି ସୁବିଧାବାଦୀ ନିତି ଆପଣେଇ ୨୧ ଲୋକସଭା ଆସନର ଭାଗ ବଣ୍ଟା ହୋଇଥିବା ନେଇ ଗୁରୁତର ଅଭିଯୋଗ ଏବେ ସୃଷ୍ଟି ହୋଇଛି।ଯାହାକି ଆପଣା ହସ୍ତେ ଜିହ୍ୱା ଛେଦି..ଭଳି ଅବସ୍ଥା ଉପୁଜିଛି।ମିଳିଥିବା ସୂଚନା ମତେ ୨୧ ଲୋକସଭା ଆସନରୁ ୧୪ ଆସନରେ ବିଜେପି ଓ ୭ ଆସନରେ ବିଜେଡି ଲଢ଼ିବ ବୋଲି ଏକ ତାଲିକା ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଛି। ଆଶ୍ଚର୍ଯ୍ୟର ବିଷୟ ଭୁବନେଶ୍ବର ଭଳି ଛାତିର ହୃଦୟ କାଟି ବିଜେପି ବିଜେଡି ପ୍ରତି ଉତ୍ସର୍ଗିତ ହୋଇ ଅପରାଜିତା ଷଡଙ୍ଗୀଙ୍କ ସିଟକୁ ବିଜେଡି ହାତରେ ଟେକି ଦେବା ଭଳି ଚର୍ଚା ଆରମ୍ଭ ହୋଇଛି।ତେବେ ସେ କଣ ବିଧାନସଭାରୁ ଲଢିବେ କି ବୋଲି ଏବେ ପ୍ରଶ୍ନ ଉଠିଛି।ସେପଟେ କଟକ ଆସନର ଭର୍ତ୍ତୁହରୀ ମହତାବଙ୍କ ପରି ଶ୍ରେଷ୍ଟ ସାଂସଦଙ୍କୁ ହରାଇ ବିଜେଡି ସେହି ଆସନକୁ ବିଜେପି ହାତରେ ଟେକି ଦେବା ଭଳି ଖବର ଆସୁଛି।ଏଭଳି ଗଣିତ କାହିଁକି ଓ କେଉଁ ଆଧାରରେ ହେଉଛି ତାହା କାହାକୁ ଅଛପା ନଥିବା ବେଳେ ୨୧ ଲୋକସଭା ଆସନରୁ କେଉଁ ଦଳ କେଉଁଠୁ ଲଢିବେ ତାହା ଲୋକ ଲୋଚନକୁ ଆସିବା ପରେ ହିଁ ଆଗାମୀ ପାଣିପାଘ କ’ଣ ହେବ ତାହା ସ୍ପଷ୍ଟ ହେବ।ମିଳିଥିବା ସୂତ୍ରରୁ
ଆସିକା,ବ୍ରହ୍ମପୁର,ଭୁବନେଶ୍ବର,ଜଗତସିଂହପୁର,ଯାଜପୁର,କନ୍ଧମାଳ ଓ କେନ୍ଦ୍ରାପଡା ଆସନରେ ବିଜେପି ଲଢ଼ିବାକୁ ମେଣ୍ଟ କୋର କମିଟି ସ୍ଥିର କରିଥିବା ବେଳେ ବାଲେଶ୍ୱର,ବରଗଡ,ଭଦ୍ରକ,ବଲାଙ୍ଗୀର, କଟକ,ଢ଼େଙ୍କାନାଳ,କଲାହାଣ୍ଡି,କୋରାପୁଟ,କେଉଁଝର,ମୟୁରଭଞ୍ଜ,ନବରଙ୍ଗପୁର,ପୁରୀ ସମ୍ବଲପୁର ଓ ସୁନ୍ଦରଗଡ ଭଳି ୧୪ ଟି ବିଜେପି ଆସନରେ ବିଜେପି ଲଢ଼ିବ ବୋଲି କୁହାଯାଉଛି। ଅବଶ୍ୟ ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ ବି ହୋଇପାରେ! ଯଦି ଏହା ସତ ହେବ ତେବେ ଅନେକ ନେତାଙ୍କ ଚେତା ହଜେଇ ବେହୋସ କରିଦେବ।

ସେପଟେ ବିଧାନସଭାର ଆସନରେ କିଏ କେଉଁଠି ଲଢ଼ିବେ ତାକୁ ନେଇ ଅଙ୍କ ନଛିଡିବାରୁ ଅଙ୍କ ଛିଣ୍ଡାଇବାକୁ ବିଜେଡିର ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାଶ ଏକ ସ୍ୱତନ୍ତ୍ର ବିମାନରେ ଗତକାଲି ରାତି ଦିଲ୍ଲୀ ଯାତ୍ରା କରିଛନ୍ତି।କୁଆଡେ ଏ ଅଙ୍କ ଛିଣ୍ଡାଇ ଶିବରାତ୍ରି କିମ୍ବା ତା ବାସୀ ଦିନ ୧୪୭ ଆସନ ଭିତରୁ କେଉଁ ଦଳ କେଉଁଠୁ ଲଢିବେ ତାହା ସ୍ପଷ୍ଟ ହେବ। ଯାହା ଜଣା ପଡୁଛି ଆଗତୁରା ଡେଉଁଥିବା ନେତାଙ୍କୁ ଅସଲରେ ପାନେ ଦେଇ ରାଜନୀତିରୁ ଦୂରେଇ ରଖିଵାକୁ ମଧ୍ଯ ବଡ ଷଡଯନ୍ତ୍ର ଚାଲିଛି।ଯାହା ଶୁଣିଲେ ଅନେକଙ୍କ ହାର୍ଟ ଏଟେକ ହୋଇଯିବ। ଯାହାକି ଲୋକଙ୍କୁ ଚକିତ କରିବ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଆମ ଗଣତନ୍ତ୍ରରେ କିଭଳି ଚାଲିଛି ସୁବିଧାବାଦି ଗୋଟି ଚାଲନା? କହିବି ହେଉନି ବିଜୁ ଜନତା ଦଳ ଗଢିଥିବା ସବୁ ନେତା ବାଦ୍ ପଡିବା ପରେ ଆଉ ଜଣେ ଯେଉଁ ଚାଣକ୍ୟ ରହିଲେ ତାଙ୍କୁ ଦଳ କେଉଁ ସମ୍ମାନ ଓ କିଭଳି ବିଶ୍ୱାସ କରୁଛି। ତାଙ୍କର ପକ୍ଷ ଛେଦନ ପରି ଯଦି କିଛି ଲକ୍ଷଣ ପ୍ରକାଶ ପାଏ ତେବେ ସମଗ୍ର ଭାରତ ବର୍ଷର ଶ୍ରେଷ୍ଟ ମୁଖ୍ୟମନ୍ତ୍ରୀ ବୋଲି ଯେଉଁ ଡିଣ୍ଡିମି ପିଟା ଚାଲିଛି ତାର ଅସଲ ବାଇଦ ବାଜିବ ବିଶେଷ କରି ପଶ୍ଚିମ ଓଡିଶାରେ। ଏବେ ଦେଖିବାକୁ ବାକି ରହିଲା ଲୋକସଭାର ଗୋଛିକଟା ରାଜନୀତି ଠାରୁ ବିଧାନସଭା ଆସନର ଭାଇ ଭାଗର ଦୂରତା କେତେ ?

ବରିଷ୍ଠ ନେତାଙ୍କୁ ପଛରେ ପକାଇ ବିଜେଡିର ଯେଉଁ ୨ ପାୱାର କରିଡର ଦିଲ୍ଲୀରେ ବିଜେପି ସହିତ ଭାଗବଣ୍ଟା ଅଙ୍କ ଛିଡାଇବେ ଅସଲରେ ସେମାନଙ୍କ କରିସ୍ମା ଦେଖିବାକୁ ବର୍ତ୍ତମାନ ଲୋକଙ୍କ ମନରେ ଭରିଛି ଉତ୍ସୁକତା ।
ଆଗରୁ ଗୁଜବ କହୁଥିବା ଏହି ମେଣ୍ଟ ପ୍ରସଙ୍ଗ ଏବେ ସତ ହେବାକୁ ଯାଉଛି। ଗତ ତା.୦୮.୦୩.୨୦୦୯ ଓ ଆଜିର ତା.୦୮.୦୩.୨୦୨୪ ବିଜେପି ବିଜେଡି ଭିତରେ ଏକ ଐତିହାସିକ ଦିନ ହୋଇ ରହିଯିବ।ପ୍ରଥମ ତାରିଖ ୨ଦଳର ବିଚ୍ଛେଦର ଦିନ ହୋଇଥିବା ବେଳେ ଆଜିର ଦିନ ପୁର୍ନଃମିଳନ ଦିବସର ତାତ୍ପର୍ଯ୍ୟ ବହନ କରୁଛି। ହେଲେ ଏତିକିରେ ଏ ମେଣ୍ଟର ରହସ୍ୟ ରହିବ ନାଁ ଆଉ କିଛି ଓଡିଶାବାସୀ ଶୁଣିବେ ତାକୁ ନେଇ ବହୁ ଅପେକ୍ଷା ରହୁଛି।ଅସଲରେ ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତ ପରେହିଁ ଅସଲ ଚିତ୍ର ସ୍ପଷ୍ଟ ହେବ। ନବୀନ ଓ ଅମିତ ଏକାଠି ବସି ଡବଲ ଇଞ୍ଜିନ କଥା କହି ଆମ ଓଡିଶା ନବୀନ ଓଡିଶାର ଅସଲ ଭିତିରି କଥା ରେ ବିଜେଡିକୁ ବିଜେପି ସହିତ ଲୀନ କରିଦେବେନିତ ? କାହିଁ ଏଭଳି ରହସ୍ୟ ନବ ସୂର୍ଯ୍ୟର ସ୍ୱପ୍ନର ଆଲୋକକୁ ବିକିରଣ କରାଯାଉଥିବା ଭଲି ଅନୁମାନ ହେଉଛି।ଯାହାବି ହେଉ ଓଡିଶା ରାଜନୀତିରେ ନୂଆ ସମିକରଣ ହେଉଛି ଏହା କେହିବି ଅସ୍ୱିକାର କରିବେ ନାହିଁ।(ରାଜାରାମ ଷଡଙ୍ଗୀ )