September 21, 2024

ବୁଗୁଡ଼ାରେ ଅସହ୍ୟ ହେଉଛି ଡିଜେ ଶବ୍ଦ , ପ୍ରତିକାର ଦାବି

Share

ବୁଗୁଡ଼ାରେ ଅସହ୍ୟ ହେଉଛି ଡିଜେ ଶବ୍ଦ , ପ୍ରତିକାର ଦାବି
ବୁଗୁଡ଼ା : ତା ୦୮/୧୨/୨୩ : ଏବେ ଆରମ୍ଭ ହୋଇ ଯାଇଛି ବିବାହ ଋତୁ । ପ୍ରତ୍ଯେକ ଶୁଭ ତିଥିରେ ବୁଗୁଡ଼ା ସହରର ବିଭିନ୍ନ ସାହିରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଉ ସେହି ସାହି ଓ ଗଳିରେ ବରଯାତ୍ରୀଙ୍କ ସହ ଡିଜେ ଗାଡି ଦେଖିବାକୁ ମିଳୁଛି । ଏହି ଡିଜେ ଗାଡି ଦ୍ବାରା ସୃଷ୍ଟି ହେଉଥିବା ଗୀତର ଶବ୍ଦ ଏତେ ଉଚ୍ଚ ରହୁଛି ଯେ ତାହାକୁ ସହ୍ଯ କରିବା କଷ୍ଟକର ହୋଇପଡୁଛି । ବିଶେଷ କରି ପୌଢ ବ୍ଯକ୍ତି , ରୋଗୀ ଓ ଛୋଟ ଶିଶୁଙ୍କ ପାଇଁ ଏହା ଘାତକ ସାଜିବାର ଆଶଙ୍କାକୁ ବଢାଇ ଦେଉଛି । ଗତ କିଛି ବର୍ଷ ହେବ ସହରରେ ଡିଜେ ଗାଡିର ବିକଟାଳ ଶବ୍ଦରେ ରୋକ ଲଗାଇବାକୁ ଦାବି ହେଉଥିଲେ ମଧ୍ୟ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ବିବାହ ପୂର୍ବରୁ ପ୍ରତ୍ଯେକ ବ୍ଯକ୍ତି ତଥା ତାଙ୍କର ପରିବାର ପକ୍ଷରୁ ବରଯାତ୍ରୀ ପଟୁଆର ବାହାର କରାଯାଉଛି । ବରଯାତ୍ରୀ ପଟୁଆର ବେଳେ ଡିଜେ ଗାଡିର ମ୍ଯୁଜିକକୁ ସବୁଠୁ ବେଶୀ ଗୁରୁତ୍ତ୍ବ ଦିଆଯାଉଛି । ସତ କହିବାକୁ ଗଲେ ଅଧିକାଂଶ ଲୋକ ବରଯାତ୍ରୀ ପଟୁଆର ବେଳେ ଡିଜେ ଗାଡି ବ୍ଯବହାର କରୁଛନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସହରରେ ଥିବା ବ୍ଯାଣ୍ଡ ପାର୍ଟି ତଥା ଡିଜେ ପାର୍ଟି ମାଲିକମାନେ ସେଭଳି ସାଉଣ୍ଡ୍ ବକ୍ସ ଡିଜେ ଗାଡିରେ ଲଗାଇଛନ୍ତି । ସେହି ସାଉଣ୍ଡ୍ ବାକ୍ସରୁ ଅସମ୍ଭାଳ ତୀବ୍ର ଧ୍ବନି ବାହାରୁଛି । ବରଯାତ୍ରୀ ଦଳ ସେହି ଉଚ୍ଚତର ଶବ୍ଦ ତଥା ସଙ୍ଗୀତର ମଜା ଉଠାଉଥିବା ବେଳେ ତାହା ଅନେକଙ୍କ ପାଇଁ ଘାତ କସାଜିପାରେ ବୋଲି ସେମାନେ ଭୁଲି ଯାଉଛନ୍ତି । ରାସ୍ତାରେ ଉଚ୍ଚ ଶବ୍ଦ କରି ଯାଉଥିବା ବେଳେ ଡିଜେ ଗାଡିଟିର ଆଖପାଖରେ ଥିବା ଘରର କବାଟ ଝରକା ଦୁଲୁକାଇ ଦେଉଛି । କେବଳ ଏତିକି ନୁହେଁ, ଘର ଭିତରେ ଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପାଇଁ ଏହି ଶବ୍ଦ ଶୁଣିବା ଅସହ୍ଯ ହୋଇପଡୁଛି । ଏଥି ସହ ହୃଦରୋଗୀ ଏବଂ ଶଯ୍ଯାଶାୟୀ ରୋଗୀଙ୍କ ଉପରେ ଅତ୍ଯନ୍ତ ଖରାପ ପ୍ରଭାବ ପକାଉଛି । ତେଣୁ, ଡିଜେ ଗାଡିର ଉଚ୍ଚ ଶବ୍ଦରେ ରୋକ ଲଗାଇବାକୁ ସହରବାସୀ ଦାବି କରି ଆସୁଛନ୍ତି । ତେବେ ଡିଜେ ଗାଡିର ମାଲିକମାନଙ୍କୁ ପ୍ରଶାସନ ପକ୍ଷରୁ ତାଗିଦ୍ କରିବା ଜରୁରୀ ହୋଇ ପଡିଛି । ଚଳିତ ବର୍ଷ ବିବାହ ଋତୁ ଆରମ୍ଭ ହୋଇଯାଇଥିବାରୁ ସ୍ଥାନେ ସ୍ଥାନେ ଉଚ୍ଚ ଶବ୍ଦ କରି ଡିଜେ ଗାଡି ବୁଲୁଥିବାର ଦେଖିବାକୁ ମିଳୁଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ଯା ଆହୁରି ବଢିବାର ସମ୍ଭାବନା ରହିଥିବାରୁ କୌଣସି ଅଘଟଣ ଘଟିବା ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ସାଧାରଣରେ ଦୃଢ ଦାବି ହେଉଛି ।