October 5, 2024

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ, ନାନା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

Share

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ, ନାନା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ବୁଗୁଡ଼ା : ତା୨୭/୧୧/୨୩ : ଧର୍ମ ମାସ କାର୍ତ୍ତିକର ପୂର୍ଣ୍ଣିମାରେ ବୁଗୁଡ଼ା ଅଞ୍ଚଳର ବାଘୁଆ ନଦୀ ଏବଂ ବିଭିନ୍ନ ପୁଷ୍କରିଣୀରେ ବୋଇତ ବନ୍ଦାଣ ପର୍ବ ପାଳନ ସାଙ୍ଗକୁ ଠାକୁର ଦର୍ଶନ ପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କାର୍ତ୍ତିକ ମାସର ଶେଷ ସୋମବାର ଦିନ ହିଁ ପୂର୍ଣ୍ଣିମୀ ହେତୁ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ବହୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଶୃଙ୍ଖଳାରେ ଦର୍ଶନ ପାଇଁ ଭକ୍ତମାନେ ଲମ୍ବା ଧାଡିରେ ଠିଆ ହୋଇ ଠାକୁର ଦର୍ଶନ କରିଥିଲେ । ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ବୁଦ୍ଧଖୋଲ ଗେଟଠାରୁ ମନ୍ଦିର ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ସ୍ବେଚ୍ଛାସେବୀ ଓ ପୋଲିସ ନିୟୋଜିତ ଥିଲେ । ଘାଟି ରାସ୍ତାରେ ବାଇକ ଗୁଡିକର ରହଣି ବ୍ୟବସ୍ଥା କରାଯାଇ ଥିବାରୁ ଭକ୍ତମାନେ ଗାଡି ରଖି ପ୍ରାୟ ୩ କିଲୋମିଟର ରାସ୍ତା ଚାଲି ଚାଲି କିମ୍ବା ପାହାଚ ଚଢି ପଞ୍ଚ ମହାଦେବଙ୍କୁ ଦର୍ଶନ କରିଥିଲେ । ବୁଦ୍ଧଖୋଲ ଉନ୍ନୟନ କମିଟିର ସଦସ୍ୟଗଣ ଏବଂ ସ୍ବେଚ୍ଛାସେବୀମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ | ବୁଦ୍ଧଖୋଲ ସମେତ କୁବେରେଶ୍ବର ଓ ଆମ୍ବିଳିଝରର ଲୋକନାଥେଶ୍ବର, ବାଲିପଦରସ୍ଥ ନୀଳକଣ୍ଠେଶ୍ବର ବେତାରସିଂର ସପ୍ନେଶ୍ବର ମନ୍ଦିର , ଉଦିପୁରର କପିଳେଶ୍ଵର ଆଦି ଶୈବପୀଠ ସାଙ୍ଗକୁ ବୁଗୁଡାର ବଳଦେବ ମନ୍ଦିର , ବିରଞ୍ଚି ନାରାୟଣ ମନ୍ଦିର , ସୋମନାଥ ମନ୍ଦିର , ବାଲୁଙ୍କେଶ୍ଵର ମନ୍ଦିର ଓ ରଘୁନାଥ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଅନ୍ୟପକ୍ଷରେ, ବୁଗୁଡ଼ା ସମେତ ଆଦିପୁର , ଗୋଲିଆ , ପଙ୍କଳସାହି ଓ କାନନକୁଟୀର ଆଦି ଗ୍ରାମରେ ଆୟୋଜିତ ନାମଯଜ୍ଞ ଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ।