October 6, 2024

ଗଞ୍ଜାମ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ଙ୍କୁ ସହାୟତା ରାଶି ବଣ୍ଟନ ଶିବିର

Share

ଗଞ୍ଜାମ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ଙ୍କୁ ସହାୟତା ରାଶି ବଣ୍ଟନ ଶିବିର
≠===========================
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୂମ୍ମା ପଞ୍ଚାୟତ ହୂମ୍ମା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ବି. ହୃଷିକେଶ ରାଓ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିବା ସହିତ କୃଷକ ମାନଙ୍କ ପରି ଶ୍ରମିକ ମାନେ ହେଉଛନ୍ତି ଦେଶର ମେରୁଦଣ୍ଡ, ଦେଶର ନିର୍ମାଣରେ ସେମାନଙ୍କ ଭୂମିକା ଅଗ୍ରଣୀୟ ବୋଲି କହିଥିଲେ l ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ହିତ ନିମନ୍ତେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇ ବିଭିନ୍ନ ଯୋଜନା ରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି, ସେମାନେ ଏହାର ଲାଭ ଉଠାଇପାରିବେ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, 14 ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ, 15 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଜାମୀ ବେହେରା, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ଡିଏଲସି (ବ୍ରହ୍ମପୁର) ବାବୁ ଚରଣ ପାତ୍ର, ଛତ୍ରପୁର ସହକାରି ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡା ପ୍ରମୁଖ ଯୋଗ ଦେଇ ଯେଉଁ ମାନେ ନିର୍ମାଣ ଶ୍ରମିକ ରେ ଅନ୍ତର୍ଭୁକ୍ତ ହୋଇଛନ୍ତି ସେମାନେ ନିୟମିତ ନିଜ କାର୍ଡ ନବୀକରଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଶିବିରରେ 707 ଜଣ ନିର୍ମାଣ ଶ୍ରମିକଙ୍କୁ ଦୁଇ କୋଟି ଦୁଇ ଲକ୍ଷ 63 ହଜାର 400 ଟଙ୍କା ସହାୟତା ପ୍ରଦାନ କରାଯାଇଛି l ସେଥି ମଧ୍ୟରୁ 410 ଜଣ ହିତାଧିକାରୀଙ୍କୁ ନିଜ ପିଲା ପାଠ ପଢା ବାବଦକୁ 20 ଲକ୍ଷ 43 ହଜାର 400 ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ 213 ଜଣ ହିତାଧିକାରୀଙ୍କୁ ଝିଅ ବିବାହ ବାବଦକୁ 1 କୋଟି 3 ଲକ୍ଷ 75 ହଜାର ଟଙ୍କା, 4 ଜଣ ହିତାଧିକାରୀଙ୍କୁ ପ୍ରସୂତି କାଳୀନ ସହାୟତା ବାବଦକୁ 40 ହଜାର ଟଙ୍କା, 39 ଜଣ ହିତାଧିକାରୀଙ୍କ ପରିବାର ବର୍ଗ ଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦକୁ 76 ଲକ୍ଷ ଟଙ୍କା ଓ 41 ଜଣ ହିତାଧିକାରୀଙ୍କ ପରିବାର ବର୍ଗ ଙ୍କୁ ଶବଦାହ ବାବଦକୁ ଦୁଇ ଲକ୍ଷ 5 ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ଶ୍ରମ ବିଭାଗ ପକ୍ଷରୁ ସୂଚନା ମିଳିଛି l ସେହିପରି ଅଣ ସଂଗଠିତ 2 ଜଣ ମୃତ ଶ୍ରମିକଙ୍କ ପରିବାର ବର୍ଗ ଙ୍କୁ ଦୁଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ 150 ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରାଯାଇଛି l ଶେଷରେ ସହକାରୀ ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟର ବହୁ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ l