November 27, 2026

ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଅନୁଷ୍ଠିତ

IMG-20261127-WA0094
Share

ଗଜପତି:- ଗଜପତି ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ୍ ସମ୍ମିଳନୀ କକ୍ଷ ଠାରେ ଡେପୁଟି କଲେକ୍ଟର ଶ୍ରୀ ବିନାୟକ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟତଃ ଜିଲ୍ଲାରେ ଆଧାର ପଞ୍ଜୀକରଣ ଓ ଆଧାର କାର୍ଡ ଅପଡେଟ୍ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ବ୍ୟକ୍ତି ୧୦ ବର୍ଷରେ ଆଧାର କାର୍ଡରେ ଥିବା ବ୍ୟକ୍ତିଗତ ଓ ଠିକଣା ସମ୍ବନ୍ଧୀୟ ତଥ୍ୟ ଅପଡେଟ୍ କରିବା ଆବଶ୍ୟକ। ଏଥିପାଇଁ ଜିଲ୍ଲାରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ମଧ୍ୟ ଆଲୋଚନା କରାଯାଇଛି ।ସେହିପରି ବ୍ୟାଙ୍କ ଖାତା ଖୋଲିବା, ରାସନ କାର୍ଡ, ଛାତ୍ରବୃତ୍ତି ଏବଂ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇବା କ୍ଷେତ୍ରରେ ଆଧାର କାର୍ଡର ଗୁରୁତ୍ୱ ରହିଛି। ଏଥିସହ ରାସନ କାର୍ଡ ବ୍ୟବସ୍ଥା, ବ୍ୟାଙ୍କ ଋଣ ଆବେଦନ ଓ ଆୟକର ରିଟର୍ଣ୍ଣ ଦାଖଲ ଆଦି କ୍ଷେତ୍ରରେ ମଧ୍ୟ ଆଧାରର ଆବଶ୍ୟକତା ରହିଛି। ତେଣୁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ କରିବା ସହ ଆବଶ୍ୟକୀୟ ତଥ୍ୟ ଅପଡେଟ୍ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।ଆଧାର କାର୍ଡ ଅପଡେଟ୍ ପାଇଁ ଜନସାଧାରଣ http://myaadhaar.uidai.gov.in ୱେବସାଇଟ୍ ମାଧ୍ୟମରେ ଅନଲାଇନ୍‌ରେ ଆବେଦନ କରିପାରିବେ। ଏଥିସହ ଜିଲ୍ଲାର ବିଭିନ୍ନ ଜନସେବା କେନ୍ଦ୍ର ସମେତ ଡାକଘର, ବିଭିନ୍ନ ବ୍ୟାଙ୍କ, ବ୍ଲକ କାର୍ଯ୍ୟାଳୟ, ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଆଧାର ସମ୍ବନ୍ଧୀୟ ସେବା ଉପଲବ୍ଧ ରହିଛି। ଜିଲ୍ଲାର ୦’ରୁ ୫ ବର୍ଷ ବୟସର ଶିଶୁମାନଙ୍କ ଆଧାର ପଞ୍ଜୀକରଣ ହାର ବୃଦ୍ଧି କରିବା ସହ ୫ ବର୍ଷ ଓ ୧୫ ବର୍ଷ ବୟସରେ ଆବଶ୍ୟକୀୟ ବାୟୋମେଟ୍ରିକ୍ ଅପଡେଟ୍ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆଧାର ପଞ୍ଜୀକରଣ ଓ ଅପଡେଟ୍ ପ୍ରକ୍ରିୟାକୁ ସହଜ କରିବା ପାଇଁ ପ୍ରତ୍ୟେକ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଶିବିର ଆୟୋଜନ କରିବାକୁ ସ୍ଥିର କରାଯାଇଥିଲା। ଏଥିସହ ମୋବାଇଲ ନମ୍ବର ସଂଯୋଗ, ବାୟୋମେଟ୍ରିକ୍ ଓ ଆବଶ୍ୟକୀୟ ଦସ୍ତାବିଜ ଅପଡେଟ୍ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଡିଏସପି ଶ୍ରୀ ଠାକୁର ଦାସ ମୁର୍ମୁ , ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଅଭିଷେକ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ଭୁଁୟା, ଶ୍ରୀ ଚିରଞ୍ଜୀବୀ ଦୋରା’ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଆଧାର କେନ୍ଦ୍ରର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।—————————————— ଗଣେଶ କୁମାର ରାଜୁପାରଳାଖେମୁଣ୍ଡି(ଗଜପତି)——————————–;———

You may have missed