ଅବାଡ଼ା ଗ୍ରାମରେ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା ଓ ମାନବ ଚାଲାଣ ନିରାକରଣ ସମ୍ପର୍କରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି:- ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଲସା) ପକ୍ଷରୁ ଜିଲ୍ଲା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି’ଙ୍କ ନିର୍ଦ୍ଦେଶକ୍ରମେ ଏବଂ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ’ଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ସମୟରେ ଗୁମ୍ମା ବ୍ଲକ ଅନ୍ତର୍ଗତ ବାଇଝାଲ ଗ୍ରାମ ପଞ୍ଚାୟତର ଅବାଡ଼ା ଗ୍ରାମଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟତଃ ବିଦ୍ୟାଳୟରୁ ପାଠପଢ଼ା ଅଧାରୁ ଛାଡ଼ି ଦେଇଥିବା (ଡ୍ରପ ଆଉଟ) ଛାତ୍ରଛାତ୍ରୀ ମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମ ଲେଖାଇ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ସମ୍ପର୍କରେ ସଚେତନ କରା ଯାଇଥିଲା । ଏଥିସହିତ ମାନବ ଚାଲାଣ ଓ ବାଣିଜ୍ୟିକ ଯୌନ ଶୋଷଣର ପୀଡ଼ିତା ମାନଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ଆଇନସେବା ପ୍ରାଧିକରଣ (ନାଲ୍ସା) ଯୋଜନା, ୨୦୧୫ ସମ୍ପର୍କରେ ବିସ୍ତୃତ ଆଇନଗତ ସଚେତନତା ପ୍ରଦାନ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ପୀଡ଼ିତା ମାନଙ୍କୁ ମିଳୁଥିବା ଆଇନଗତ ସହାୟତା, ସୁରକ୍ଷା ଓ ପୁନର୍ବାସ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ବିମଳ ରାଉଳ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି,. ଶ୍ରୀ ରାଜେଶ କୁମାର ମିଶ୍ର, ସରକାରୀ ଓକିଲ, ଜିଲ୍ଲା ଅଦାଲତ, ଗଜପତି, ଶ୍ରୀ ଦୀପେନ ପରିଡ଼ା, ଖଣି ଅଧିକାରୀ, ପାରଳାଖେମୁଣ୍ଡି, ଶ୍ରୀ ମଳୟ ସେଠୀ, ଖଣି ଅଧିକାରୀ, ପାରଳାଖେମୁଣ୍ଡି, ଶ୍ରୀମତୀ ମମତା ଦେବୀ, ଆଇନଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ , ଶ୍ରୀ ସୁରେନ୍ଦ୍ର ସେଠୀ, ଏଏସ୍ଆଇ, ସେରଙ୍ଗ ଥାନା, ଶ୍ରୀମତୀ ଧରିତ୍ରୀ ପାତ୍ର, ଆଇସିଡିଏସ୍ ସୁପରଭାଇଜର, ଗୁମ୍ମା,ଶ୍ରୀ ଟଙ୍କଧର ମାଝୀ, ଶିକ୍ଷକ, ଅବାଡ଼ା ପ୍ରାଥମିକ ବିଦ୍ୟାଳୟ, ଏବଂ ଶ୍ରୀ ଦୟା ପାଲାକା, ସମାଜସେବୀ ପ୍ରମୁଖ ଅତିଥି ଓ ଅଧିକାରୀ ମାନେ ଉପସ୍ଥିତ ରହି ସାଧାରଣ ଜନତା’ଙ୍କୁ ଉପରୋକ୍ତ ବିଷୟ ଗୁଡ଼ିକ ସମ୍ପର୍କରେ ସଚେତନ କରାଇଥିଲେ । ଅନ୍ୟପକ୍ଷରେ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର ଅଧିକାର, ଶିଶୁ ସୁରକ୍ଷା, ମାନବ ଚାଲାଣ ନିରାକରଣ ଏବଂ ଆଇନ ସେବାର ଉପଲବ୍ଧତା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।—————————————— ଗଣେଶ କୁମାର ରାଜୁପାରଳାଖେମୁଣ୍ଡି(ଗଜପତି)——————————————
