ଜଳମଗ୍ନ ବଉଳ ଗାଁ ଧାନକ୍ଷେତରେ ପହଞ୍ଚି ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀସୁନାର ଖେତକୁ ଜଳମଗ୍ନ ହୋଇଥିବାର ଦେଖି ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦେଲେ ଆଶ୍ୱାସନା
ଛତ୍ରପୁର ତା ୨୩/୧୧/୨୬(ଅରୁଣ କୁମାର ପଣ୍ଡା )ବାତ୍ୟା ‘ଅର୍ଣ୍ଣବ’ ଓ ‘ଆକଭାନ୍’ର ଦୁଇ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଅଞ୍ଚଳରେ ଉଭୟ ବାତ୍ୟାର ପ୍ରଭାବରେ ବ୍ୟାପକ ଧାନ ଫସଲ ଜଳମଗ୍ନ ହୋଇ ରହିଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଞ୍ଚଳ ଗସ୍ତ କରି ଜଳମଗ୍ନ ଧାନକ୍ଷେତଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗ୍ରାମୀଣ ପରିବେଶ ଓ ଚାଷୀ ପରିବାରରୁ ଆସିଥିବା ମୁଖ୍ୟମନ୍ତ୍ରୀ କେବଳ ଦୂରରୁ ଫସଲ ନଦେଖି ନିଜେ ପାଣି ଭିତରକୁ ଓହ୍ଲାଇ ବୁଡ଼ି ରହିଥିବା ଧାନ ଫସଲର କ୍ଷୟକ୍ଷତି ପରଖିଥିଲେ। ଯାହାକୁ ଦେଖି ସ୍ଥାନୀୟ ଲୋକଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଆଚମ୍ବିତ ହୋଇଯାଇଥିଲେ ।ଯେଉଁ କ୍ଷେତରେ ଚାଷୀ ସୁନାର ଫସଲ ଅମଳ କରିବାର ସ୍ୱପ୍ନ ଦେଖିଥିଲା, ତାହା ଆଜି ପୋଖରୀର ଭ୍ରମ ସୃଷ୍ଟି କରୁଥିବା ଦେଖି ମୁଖ୍ୟମନ୍ତ୍ରୀ ଗଭୀର ମର୍ମାହତ ହେବା ସହ ଦୁଃଖ ପ୍ରକାଶ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରି ରହିଥିବା ହଜାର ହଜାର ଚାଷୀ, ମହିଳା, ବୟସ୍କ ଓ ଗ୍ରାମବାସୀଙ୍କ ସହ ସେ ସିଧାସଳଖ ଆଲୋଚନା କରି ସେମାନଙ୍କ ଦୁଃଖ ଓ ସମସ୍ୟା ଶୁଣିଥିଲେ। ଏହା ଲୋକଙ୍କ ସରକାର ଏବଂ ପ୍ରତ୍ୟେକ ଦୁଃଖ ଓ ଦୁର୍ଦ୍ଦଶା ସମୟରେ ସରକାର ଜନସାଧାରଣଙ୍କ ସହ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ ଥିବାରୁ କେହି ଭୟଭୀତ ବା ବ୍ୟତିବ୍ୟସ୍ତ ନହୋଇ ଧୈର୍ଯ୍ୟ ରଖିବାକୁ ସେ ଅନୁରୋଧ କରିଥିଲେ। ଜଣେ ସାଧାରଣ ମଣିଷଙ୍କ ଭଳି ଗାଁକୁ ଆସି ସେମାନଙ୍କ ଦୁଃଖ ଶୁଣିବାର ମୁଖ୍ୟମନ୍ତ୍ରୀଙ୍କ ଏହି ସରଳ ଆଚରଣ ଉପସ୍ଥିତ ଗ୍ରାମବାସୀଙ୍କ ମନରେ ଆଶ୍ୱସ୍ତି ଓ ନୂଆ ଭରସା ସୃଷ୍ଟି କରିଥିଲା। ଲୋକମାନେ, ବିଶେଷକରି ଉତ୍ସାହୀ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପାଖରୁ ଦେଖି ବହୁତ ଖୁସି ହୋଇଥିଲେ । ଏହି କ୍ଷେତ୍ର ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ, କୃଷି ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପ୍ରାଣୀସମ୍ପଦ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଜଣ ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଚାଷୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଫସଲ କ୍ଷୟକ୍ଷତି, ଜଳ ନିଷ୍କାସନ, କୃଷି ସମସ୍ୟା ଓ ଜୀବିକା ଉପରେ ପଡ଼ିଥିବା ପ୍ରଭାବ ସମ୍ପର୍କରେ ପଚାରି ବୁଝିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ଦେଇଥିଲେ। ରାଜ୍ୟର ଶୀର୍ଷ ନେତୃତ୍ୱ ଓ ପ୍ରଶାସନିକ ଅଧିକାରୀମାନେ ଏକାଠି ଗାଁକୁ ଆସି ସମସ୍ୟା ବୁଝୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।
