ଛୁରୀରେ ଆକ୍ରମଣ କରି ସୁନା ଚେନ୍ ଲୁଟ ଉଦ୍ୟମ, ୧ ଗିରଫ
ବରପାଲି, ୧୧/୧୨ (ସୁଦାମ ଦୀପ) – ଦୀପାବଳି ରାତିରେ ସଡ଼କ ଉପରେ ମହିଳାଙ୍କୁ ଛୁରୀରେ ଆକ୍ରମଣ କରି ସୁନା ଚେନ୍ ଲୁଟ ଉଦ୍ୟମ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ରବିବାର ଦୀପାବଳି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ବରପାଲି କେନାଲ ରୋଡ୍ ସ୍ଥିତ ରାଧା କୃଷ୍ଣ ମନ୍ଦିର ସମ୍ମୁଖରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ମନ୍ଦିରରୁ ବାହାରି ନିକଟସ୍ଥ ତାଙ୍କ ଘରକୁ ଫେରୁଥିବା ବେଳେ ହଠାତ୍ ଜଣେ ଯୁବକ ଉକ୍ତ ମହିଳାଙ୍କୁ ଛୁରୀରେ ଆକ୍ରମଣ କରି ବେକରୁ ସୁନା ଚେନ୍ ଲୁଟି ନେବା ପାଇଁ ଉଦ୍ୟମ କରିଥିଲେ। ସେହି ସମୟରେ ତାଙ୍କ ସ୍ୱାମୀ ସ୍ଥାନୀୟ ଯୁବକଙ୍କ ସହାୟତାରେ ଉକ୍ତ ଯୁବକଙ୍କୁ କାବୁ କରି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଥାନାକୁ ନେଇ ଆସିଥିଲେ।
ଉକ୍ତ ଯୁବକଙ୍କ ନାମ ଶଙ୍କର ବେହେରା ଓ ସେ ବରଗଡ଼ ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଉକ୍ତ ଘଟଣାରେ ଅନ୍ୟ କେତେକଙ୍କ ସମ୍ପୃକ୍ତି ଅଛି ସେ ନେଇ ତଦନ୍ତ ଜାରି ରଖିଛି। ଦୀପାବଳି ପରି ଉତ୍ସବ ସମୟରେ ସହରର ସବୁ ରାସ୍ତା ଲୋକାରଣ୍ୟ ଥିବା ସତ୍ତ୍ୱେ ଏପରି ଲୁଟ ଉଦ୍ୟମ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପରେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ସ୍ଥାନୀୟ ଲୋକେ ଭୟ କରୁଥିବା ଆଲୋଚନା ହେଉଛି l
