July 31, 2026

ମଦଭାଟିରେ ବେଆଇନ ମଦ ପ୍ରସ୍ତୁତି ନେଇ ବୁଗୁଡା ଥାନାରେ ଦଣ୍ଡପାଣି ପାତ୍ରଙ୍କ ଅଭିଯୋଗ 

IMG-20260731-WA0059
Share

 

ବୁଗୁଡ଼ା : ତା ୩୧/୦୭/୨୬ : ସ୍ଥାନୀୟ ପୋଲିସ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର, କରଚୁଲି ଓ ପାଙ୍ଗିଡ଼ି ଆଦି ଗ୍ରାମସ୍ଥ ମଦଭାଟିରେ ବେଆଇନ ଭାବେ ୟୁରିଆ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ବ୍ଯବହାର କରି ମଦ ପ୍ରସ୍ତୁତ ହେଉଥିବା ଏବଂ ସେହି ମଦ ସେବନକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟୟ ହୋଇପଡୁଥିବା ନେଇ ଜୁଲାଇ ୩୦ ତାରିଖ ଦିନ ବୁଗୁଡା ଥାନାରେ ବିଶ୍ବ ମାନବାଧିକାର ସୁରକ୍ଷା ସଂଗଠନର ରାଜ୍ୟ ସଂଯୋଜକ ବି. ଦଣ୍ଡପାଣି ପାତ୍ର ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗକାରୀ ତାଙ୍କର ଲିଖିତାଭିଯୋଗରେ ଦର୍ଶାଇଛନ୍ତି ଯେ, ଲକ୍ଷ୍ମୀପୁର, କରଚୁଲି ଓ ପାଙ୍ଗିଡ଼ି ଆଦି ଗ୍ରାମରେ ଥିବା ମଦ ଉତ୍ପାଦନ ୟୁନିଟ୍ (ଭାଟି)ଗୁଡିକରେ ମହୁଲ ଫୁଲ ଭଳି ପାରମ୍ପରିକ ଏବଂ ଆଇନଗତ କଞ୍ଚାମାଲ ବ୍ଯବହାର କରିବା ପରିବର୍ତ୍ତେ ଏହି ସଂସ୍ଥାର ମାଲିକ ଏବଂ ପରିଚାଳକମାନେ କିଣ୍ବନକୁ ତ୍ବରାନ୍ବିତ କରିବା ପାଇଁ ୟୁରିଆ ଭଳି ହାନିକାରକ ରାସାୟନିକ ପଦାର୍ଥ ବିନିଯୋଗ କରୁଥିବାରୁ ମଦ୍ଯପାନ କରୁଥିବା ବ୍ଯକ୍ତିଗଣ ଗୁରୁତର ସ୍ବାସ୍ଥ୍ୟ ସମସ୍ଯାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ମଦ୍ଯପାନକାରୀ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଅନ୍ଧତ୍ବ, ବୃକକ୍ ଓ ଯକୃତ ପୀଡା ଭଳି ରୋଗର ଶିକାର ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ଏହାକୁ ଯଦି ବନ୍ଦ ନକରାଯାଏ ତେବେ ନିକଟ ଭବିଷ୍ୟତରେ ବହୁ ସଂଖ୍ୟକ ମଦ୍ଯପାନକାରୀଙ୍କ ଜୀବନହାନୀ ଘଟିବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। ଏଣୁ, ପୋଲିସ ପ୍ରଶାସନ ବେଆଇନ ମଦ ପ୍ରସ୍ତୁତିରେ ଲଗାମ ଲଗାଇବା ଲକ୍ଷ୍ୟରେ ସମ୍ପୃକ୍ତ ଭାଟିଗୁଡିକ ଉପରେ ଚଢାଉ କରି ହାନିକାରକ ରାସାୟନିକ ପଦାର୍ଥ ଏବଂ ଭେଜାଲ ମଦକୁ ଜବତ କରି ନମୁନାକୁ ମାନ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାରକୁ ପଠାଇବା ସହ ହାନିକାରକ ମଦ୍ଯପାନ ସହ ସମ୍ପୃକ୍ତ ବ୍ଯକ୍ତିଙ୍କ ସ୍ବାସ୍ଥ୍ୟ ସୁରକ୍ଷାର ପ୍ରତିକାର ବ୍ଯବସ୍ଥା ସାଙ୍ଗକୁ ଭେଜାଲ ମଦ ପ୍ରସ୍ତୁତକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

You may have missed