ନେଟଙ୍ଗା ସବୁଜ ବାହୀନିକୁ ମିଳିଲା ନେସନାଲ ବେଷ୍ଟ ସୋସିଆଲ ଓ୍ଵାର୍କର ଆଓ୍ଵାର୍ଡ
(ବେଲଗୁଣ୍ଠା ରୁ ପଞ୍ଚାନନ ସାହୁଙ୍କ ରିପୋର୍ଟ)
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ବ୍ଲକର ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହୀନି ନେସନାଲ ବେଷ୍ଟ ସୋସିଆଲ ଓ୍ଵାର୍କର ଆଓ୍ଵାର୍ଡ ରେ ସମ୍ମାନୀତ ହୋଇଛି। ବ୍ରହ୍ମପୁର ସହରର ଗଞ୍ଜାମ କଳା ପରିଷଦ ଠାରେ ଗତକାଲି ଓ୍ଵାରଲଡ୍ ଚାରିଟି ଓ୍ଵେଲଫର ଫାଉଣ୍ଡେସନ ତରଫରୁ ଅନୁଷ୍ଠିତ ହୋଇଥିବା ଏକ ଭବ୍ୟ ସମାରୋହରେ ଅତିଥି ମାନଙ୍କ ଠାରୁ ନେଟଙ୍ଗା ସବୁଜ ବାହୀନି ର ସଦସ୍ୟ ମାନେ ସାର୍ଟିଫିକେଟ, ମେଡାଲ ଓ ଟ୍ରଫି ଗ୍ରହଣ କରିଥିଲେ। ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହୀନିର ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବୃକ୍ଷଚାରା ରୋପଣ ଓ ସାମାଜିକ କାର୍ଯ୍ୟକଳାପ ପାଇଁ ସୋସିଆଲ ଓ୍ଵାର୍କର ବର୍ଗରେ ଓ୍ଵାରଲଡ୍ ଚାରିଟି ଓ୍ଵେଲଫର ଫାଉଣ୍ଡେସନ ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ରକାଶ ଥାଉକି, ନେଟଙ୍ଗା ସବୁଜ ବାହୀନି ର ସଦସ୍ୟ ମାନେ ବର୍ଷର ପ୍ରତ୍ୟେକ ଜାତୀୟ ଦିବସ, ଜାତୀୟ ଉତ୍ସବ, ପର୍ବପର୍ବାଣୀ, ମହାପୁରୁଷଙ୍କ ଜନ୍ମଦିବସ, ଉତ୍ସାହୀ ଓ ଆଗ୍ରହୀ ବ୍ୟକ୍ତି ବିଶେଷଙ୍କ ଜନ୍ମବାର୍ଷିକୀ, ବିବାହୋତ୍ସବ, ଶ୍ରାଦ୍ଧୋତ୍ସବ ଏବଂ ଅନ୍ୟାନ୍ୟ ସାମାଜିକ ମାଙ୍ଗଳିକ କାର୍ଯ୍ୟ ମାନଙ୍କରେ ରାସ୍ତା କଡ, ମଶାଣି ଭୂଇଁ, ମନ୍ଦିର ବେଢ଼ା ଆଦି ସ୍ଥାନରେ ବୃକ୍ଷ ଚାରା ରୋପଣ, ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଏବଂ ବୃକ୍ଷ ଚାରା ବଣ୍ଟନ ଭଳି ମହାନ କାର୍ଯ୍ୟ କରିଥାନ୍ତି। ଏହି ବର୍ଷ ପବିତ୍ର ମହାଶିବରାତ୍ରି, ଜନ୍ମାଷ୍ଟମୀ, ରଥଯାତ୍ରା, ଦୋଳପୂର୍ଣ୍ଣମୀ, ରାକ୍ଷୀପୂର୍ଣ୍ଣିମା, ଶ୍ରୀ ରାମ ନବମୀ, ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, କାରଗିଲ ସହୀଦ ଦିବସ, ବିଶ୍ଵ ପରିବେଶ ଦିବସ, ରବିବାର ଟାଇମ୍ ପାସ୍ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଜାତୀୟ ଓ ଆନ୍ତର୍ଜାତିକ ଦିବସ ମାନଙ୍କରେ ବୃକ୍ଷ ଚାରା ରୋପଣ, ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏବଂ ଏଥିସହିତ ଏକ୍ ପେଡ୍ ମାକେ ନାମ ଓ ଭଉଣୀର ରାଖୀ ପାଉଣା ନାମରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଉତ୍ସାହୀ ଓ ଆଗ୍ରହୀ ଜନସାଧାରଣଙ୍କ ଆର୍ଥିକ, ମାନସିକ ଓ ଶାରିରୀକ ସାହାଯ୍ୟ ଓ ସହଯୋଗ ବଳରେ ଗ୍ରାମ ମଧ୍ୟ ଦେଇ ଯାଇଥିବା ରାସ୍ତା ପାର୍ଶ୍ବରେ ପ୍ରାୟ ଏକ ହଜାର ଟଙ୍କା ବିନିମୟରେ ଚାରା ଗଛ ଗୁଡ଼ିକରେ ଟ୍ରି ଗାର୍ଡ ଲଗାଯାଇଥିଲା। ବୃକ୍ଷ ଗୁଡ଼ିକର ସୁରକ୍ଷା ପାଇଁ ବିଭିନ୍ନ ସହରରେ ଜୀବିକା ନିର୍ବାହ କରୁଥିବା ଗ୍ରାମର କିଛି ବ୍ୟକ୍ତି ଓ ଆଞ୍ଚଳିକ ସଂସ୍ଥା ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଥିଲେ।
