January 2, 2025

କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ତ୍ରିରଙ୍ଗା ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା 

Share

 

ସମ୍ବଲପୁର ସଂଘର୍ଷ ଓ ବଳିଦାନର ତୀର୍ଥଘର , କୁଦୋପାଲି ତ୍ୟାଗ ଓ ବୀରତ୍ୱର ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ

 

 

 

 

ସମ୍ବଲପୁର, ୩୦. ୧୨:ସମ୍ବଲପୁର ସଂଘର୍ଷ ଓ ବଳିଦାନର ତୀର୍ଥଘର।ସମ୍ବଲପୁର ଜିଲ୍ଲା ସହ ଯୋଡି ହୋଇ ରହିଥିବା ଐତିହାସିକ କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ୧୮୫୭ ମସିହାର ଆଜିର ଦିନରେ କୁଦୋପାଲି ଘାଟିରେ ବ୍ରିଟିଶମାନଙ୍କ ବିରୋଧରେ ଲଢେଇ କରି ଶହୀଦ ହୋଇଥିବା ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ସୋମବାର ସମ୍ବଲପୁର କୁଦୋପାଲି ଠାରେ ଜିଲ୍ଲା ପ୍ରଶାସନ ସହଯୋଗରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ପବିତ୍ର ଦିନ । କୁଦୋପାଲିର ତ୍ୟାଗ, ଇତିହାସ ଓ ସମର୍ପଣ ଭାବନା କୌଣସି ଗୁଣରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କମ ନୁହେଁ । କୁଦୋପାଲି ଘାଟିରେ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କାରଣରୁ ଦେଶ ସ୍ୱାଧୀନତା ପାଇବା ସହ ଆମର ଗଣତନ୍ତ୍ର ମଜଭୂତ୍ ହୋଇପାରିଛି । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ କହି

କୁଦୋପାଲିର ବଳିଦାନକୁ ଦେଶ ଜାଣିବା ଉଚିତ୍ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

 

ଓଡ଼ିଶାର ପଶ୍ଚିମାଞ୍ଚଳ ବିଶେଷ ଭାବରେ ମାତୃଭୂମିର ସୁରକ୍ଷା ପାଇଁ ଧ୍ରୁବ ସାଏ , ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ, ହଟେ ସିଂ, ଶହୀଦ ମଧୁ ଗଡ଼ତ୍ୟାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମନ୍ତ୍ରୀ ସ୍ମରଣ କରିଥିଲେ।

 

ଛବିଳ ସାଏ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି ଜୟବ୍ରତ ଦେଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କମିଟି ଅଧ୍ୟକ୍ଷ ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।

 

ଅନ୍ୟ ମାନଙ୍କ ମଧ୍ୟ୍ୟରେ ବିଶେଷ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତରାଜ ଓ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ,ଆରଡିସସି ସଚିନ ଆର ଯାଦବ, ଆଇଜି ହିମାଂଶୁ କୁମାର ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସପି ମୁକେଶ ଭାମୁ ପ୍ରମୁଖ ମଞ୍ଚାସିନ ଥିଲେ। ଶେଷରେ ଚନ୍ଦ୍ର ଶେଖର ପଣ୍ଡା ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ କମିଟି ଉପାଧକ୍ଷ ଲକ୍ଷ୍ମଣ ଦେହୁରୀ, କୋଷାଧକ୍ଷ ସାନୁଞ୍ଜୟ ଡନସେନା, ପ୍ରଦ୍ୟୁମ୍ନ ସେଟ, କିଶୋର ମହାକୁଡ଼, ପ୍ରଦୀପ ସୁପକାର, ଡା. ରାଜାରାମ ଷଡ଼ଙ୍ଗୀ, ଶ୍ୟାମଳ ବିଶ୍ୱାସ, ଭରତ ସାହୁ, ଦେବଦତ୍ତ ପ୍ରଧାନ, କପିଳ ପ୍ରଧାନ, ଚନ୍ଦନ ସାହାଣୀ, କ୍ରିଷ୍ଣା ମହାକୁଡ଼, ମାଧବ ଓରାମ, ପୁଷ୍ପାଞ୍ଜଳି ରାଉତ, ଅଞ୍ଜୁ ଭଞ୍ଜ, କେଦାର ବାଗ, ଗଣେଶ ମିର୍ଧା ପ୍ରମୁଖ ପରିଚାଳନା କରିଥିବା ବେଳେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ ସହିତ ଉପ ଜିଲ୍ଲାପାଳ ଡ଼ଃ ପୁଷ୍ପାଞ୍ଜଳୀ ପଣ୍ଡା ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ।

 

*ଇତିହାସରେ କୁଦୋପାଲି*

 

ଉଲି ଉଲି… ଉଲି

ଛବିଳ ସାଏ କେ ବାଜଲା ଗୁଲି

କୁଦୋପାଲି ର ମଝା ଖୁଲି

ଏ ଗୀତ ଆଜି ମଧ୍ୟ ଲୋକେ ଗାଆନ୍ତି।

ଏହି ଗୀତ ପଛରେ ରହିଛି ଏକ ଅଣ ଆଲୋଚିତ,ଉପେକ୍ଷିତ ଇତିହାସ ର ଏକ ବିରାଟ କାହାଣୀ।

 

ସମ୍ବଲପୁର ସହର ଠାରୁ ମାତ୍ର ଦେଢ଼ କିମି ଦୂରରେ ଏକ ଗ୍ରାମ କୁଦୋପାଲି। ସମ୍ବଲପୁର ସହର କୁ ଜଗିବା ପାଇଁ ,ବ୍ରିଟିଶ ମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହି କୁଦୋପାଲି ର ପାହାଡ ଥିଲା ବୀର ସୁରେନ୍ଦ୍ର ସାଏ ଙ୍କ ଅନ୍ୟତମ ମୁଖ୍ୟ ଘାଟି। ଏହା ପାଖରେ ଗଡ ପାଟି,ଝର ଘାଟି,ତବଲା ଆଦି ଘାଟି ଥିଲା ବୀର ସୁରେନ୍ଦ୍ର ସାଏ ଙ୍କ ନେତୃତ୍ବରେ ଦୂର୍ଦ୍ଧର୍ଷ ଇଂରେଜ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିବା ପାଇଁ ସଂଗ୍ରାମୀ ମାନଙ୍କର କେନ୍ଦ୍ର।

କୁଦୋପାଲି ଘାଟି ଦାୟିତ୍ୱରେ ଥିଲେ ବୀର ସୁରେନ୍ଦ୍ର ସାଏ ଙ୍କ ସାନ ଭାଇ ବୀର ଛବିଳ ସାଏ।

 

୧୮୫୭ର କୌଣସି ଏକ ସମୟ। ଇଂରେଜ ବାହିନୀ ଉପରେ ଅତର୍କିତ ଆକ୍ରମଣ କରନ୍ତି ସୁରେନ୍ଦ୍ର ସାଏ ଙ୍କ ଗରିଲା ବାହିନୀ ଯୁଯୁମୁରା ରେ।ଇଂରେଜ ଡାକ୍ତର ମୂର ଙ୍କ ମୃତ୍ୟୁ ହୁଏ ଓ ବହୁତ ଆହତ ହୁଅନ୍ତି।ଜୀବନ ବଞ୍ଚେଇ ପଳାନ୍ତି ଇଂରେଜ ବାହିନୀ।

ଇଂରେଜ ବାହିନୀ ତାହାର ପ୍ରତିଶୋଧ ନେବାକୁ ଯୋଜନା କରନ୍ତି।

 

ସମସ୍ତ ପ୍ରକାରର ପ୍ରସ୍ତୁତି ନେଇ ଇଂରେଜ ବାହିନୀ ୧୭ଡିସେମ୍ବର ୧୮୫୭ଅତର୍କିତ ଆକ୍ରମଣ କରନ୍ତି କୁଦୋପାଲି ଘାଟି ଉପରେ।

ବୀର ଛବିଳ ସାଏଙ୍କ ବିଚକ୍ଷଣ ବୁଦ୍ଧି ବଳରେ ତଥା ପ୍ରଚଣ୍ଡ ଆତ୍ମ ବିଶ୍ୱାସ ର ସହ ସଂଗ୍ରାମୀ ମାନେ ଇଂରେଜ ବାହିନୀ ଉପରେ ପ୍ରତି ଆକ୍ରମଣ କରନ୍ତି।ଇଂରେଜ ପଛ ଘୁଞ୍ଚା ଦେବାକୁ ବାଧ୍ୟ ହୁଅନ୍ତି।

ଯଦିଓ ବା ଇଂରେଜ ମାନଙ୍କ ଘାଟି ଦଖଲ ର ସ୍ବପ୍ନ ସ୍ବପ୍ନ ରେ ରହିଯାଏ ତଥା ଯୁଦ୍ଧ ହାରି ଯାଆନ୍ତି କିନ୍ତୁ କୁଦୋପାଲି ଘାଟି ରେ ପ୍ରଥମ ସମ୍ମୁଖ ଯୁଦ୍ଧରେ ବୀର ଗତି ପ୍ରାପ୍ତ ହୁଅନ୍ତି ୪ଜଣ ସଂଗ୍ରାମୀ।

ଏ ମାଟିର ବୀର ସନ୍ତାନଙ୍କ ରକ୍ତରେ ଏ ମାଟି ରେ ପଡ଼ି ଏହା ରଣଭୂମୀ ରେ ପରିଣତ ହୁଏ।

ଗଣ୍ଡ,ବିଂଝାଲ, ମୁଣ୍ଡା ଆଦି ଜାତିର ସଂଗ୍ରାମୀଙ୍କ ବୀରତ୍ୱର କାହାଣୀ ,ଦେଶ ପାଇଁ ଜୀବନ ଦେବାର ପାଗଳାମି ଆଜି ଶୁଣିଲେ ନିଜକୁ ଗର୍ବ ଅନୁଭବ ହୁଏ।

 

କୁଦୋପାଲି ଯୁଦ୍ଧରେ ଜୀବନ ବଞ୍ଚେଇ ଫେରିଥିବା ଇଂରେଜ ବାହିନୀ ଅପମାନ ର ଜ୍ୱାଳାରେ ଜର୍ଜରିତ ହେଉଥିଲେ।

ମାଡ୍ରାସ ଓ ନାଗପୁର ରୁ ବ୍ରିଟିଶ ରେଜୀମେଣ୍ଟ ମଗାନ୍ତି। ୩୦ ତାରିଖ ମଧ୍ୟ ରାତ୍ରରେ ପ୍ରଚଣ୍ଡ ଥଣ୍ଡା ଭିତରେ ପହଞ୍ଚନ୍ତି ଇଂରେଜ ବାହିନୀ ସମ୍ବଲପୁର।

ଲୋକେ ଜାଣିବା ପୂର୍ବରୁ ସେହି ରାତ୍ରରେ ହିଁ ସେମାନେ ରଣଭୂମି କୁଦୋପାଲି ଆଡ଼କୁ ଅଗ୍ରସର ହୁଅନ୍ତି। ପ୍ରଚଣ୍ଡ ଥଣ୍ଡା ଯୋଗୁଁ ପାହାଡ ଉପରୁ ତଳେ ଥିବା ଏକ ଆମ୍ବ ବଗିଚାରେ ଆସି ଆଶ୍ରୟ ନେଇଥାନ୍ତି ସଂଗ୍ରାମୀ ମାନେ।

ସଂଗ୍ରାମୀ ମାନେ କିଛି ବୁଝି ଉଠିବା ପୂର୍ବରୁ ଇଂରେଜ ମାନେ ଚାରି ପଟୁ ଘେରି ଆକ୍ରମଣ କରି ଦିଅନ୍ତି। ବୀର ଛବିଳ ସାଏ ସମେତ ସଂଗ୍ରାମୀ ମାନେ ପାହାଡ ଉପରକୁ ଉଠିବାର ପ୍ରୟାସ କରୁଥିବା ବେଳେ କୁଦୋପାଲି ଗାଁ ମଝିରେ ଗୁଳି ବାଜେ ପିଠିରେ ଛବିଳ ସାଏଙ୍କର। ସମ୍ମୁଖ ଯୁଦ୍ଧରେ ଜୀବନ ଚାଲି ଯାଏ ବୀର ଛବିଳ ସାଏ ଙ୍କର।

“ରଣଭୂମି କୁଦୋପାଲି ଘାଟି “ରେ ସମ୍ମୁଖ ଯୁଦ୍ଧରେ ସେଦିନ ଵୀରଗତି ପ୍ରାପ୍ତ ହୋଇଥିଲେ ବୀର ସୁରେନ୍ଦ୍ର ସାଏଙ୍କ ଭାଇ ବୀର ଛବିଳ ସାଏ ସମେତ ୫୩ ଜଣ ବୀର ସଂଗ୍ରାମୀ ୩୦ ଡିସେମ୍ବର ୧୮୫୭ରେ। ଏଗାର ଜଣ ସଂଗ୍ରାମୀ ଗିରଫ ହୋଇଥିଲେ ଓ ୪ ଜଣଙ୍କୁ ହୋଇଥିଲା ଫାଶୀ ଦଣ୍ଡ।ମୋଟ ୫୭ ଜଣ ଶହିଦ ହୋଇଥିଲେ ଏହି ଯୁଦ୍ଧରେ।

ଅଣଆଲୋଚିତ,ଉପେକ୍ଷିତ ଏହି ବୀରତ୍ୱର କାହାଣୀ।ଇତିହାସର ଚର୍ଚ୍ଚା ଠାରୁ ଦୂରରେ ଏହି ବଳିଦାନି କାହାଣୀ।ସ୍ୱାଧୀନତା ସଂଗ୍ରାମ ରେ ଓଡ଼ିଶାରେ ଇଂରେଜ ଶାସନ ବିରୋଧରେ ରକ୍ତାକ୍ତ ସଂଗ୍ରାମ କରିଥିଲେ। ଓଡ଼ିଶାର ଜାଳିୱାନା ବାଗ ରେ ପରିଣତ ହୁଏ ଏହି ଛୋଟ ଗ୍ରାମ କୁଦୋପାଲି।ଦୀର୍ଘ ବର୍ଷର ବ୍ୟବଧାନ ପରେ ଛବିଳ ସାଏ ସ୍ମୃତି କମିଟିର ଅନବରତ ଉଦ୍ୟମ ବଳରେ କୁଦୋପାଲି ରଣଭୂମି ଜାତୀୟ ମର୍ଯ୍ୟାଦା ପାଇଁ ବର୍ତ୍ତମାନକୁ ଏକ ସ୍ମାରକୀ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇବାକୁ ଯାଇ ଜନ ସାଧାରଣ ଓ ପର୍ଯ୍ୟଟକଙ୍କ ଭିଡ଼ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।