ମା’ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି..

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି ପବିତ୍ର ଆଶ୍ୱିନ ଶୁକ୍ଳ ମହାନବମୀ ତିଥିରେ କେଉଁ ପୁରାତନ କାଳରୁ ଚାଲିଆସିଥିବା ପରମ୍ପରା ଅନୁଯାୟୀ ଓ ବହୁ ପ୍ରତୀକ୍ଷିତ କଳାହାଣ୍ଡିର ଇଷ୍ଟଦେବି ମା’ମାଣିକେଶ୍ବରୀଙ୍କ ବହୁ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି। ମୂଳାଷ୍ଟମୀ ଦିନ ଠାରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କ ଷୋଡଦିନାତ୍ମକ ଶାରଦିୟ ପୂଜା ହୋଇଥାଏ। ଗତ କାଲି ପୀଠରେ ମହାଷ୍ଟମୀ ଅବସରରେ ମା’ଙ୍କ ମନ୍ଦିରରେ ଗୁପ୍ତ ତନ୍ତ୍ର ପୂଜା ଓ ବଳି ପର୍ବ ସମାପନ ପରେ ଅର୍ଦ୍ଧରାତ୍ରରେ ମା’ଙ୍କ ଛତର ମନ୍ଦିର ଗର୍ଭଗୃହରୁ କଢ଼ାଯାଇ ମନ୍ଦିର ଠାରୁ ପ୍ରାୟ ୩.୫O କି. ମି ଦୂର ଭବାନୀପାଟଣା ସହରସ୍ଥ ଫାସୀ ଡ଼ଙ୍ଗରରେ ଥିବା ଜେନାଖାଲକୁ ନିଆଯାଇଥିଲା। ଏଠାରେ ରାତି ତମାମ ଗୁପ୍ତ ତନ୍ତ୍ର ବିଧିରେ ପୂଜା ପାଠ କରାଯାଇ ମନ୍ତ୍ର ଜରିଆରେ ବୋଦାବଳି ଦିଆଯାଇଥିଲା। ଏହାପରେ ନବମୀ ତିଥି ଲାଗିବାପରେ ଭୋର ପ୍ରାୟ ୫. ୩O ସମୟରେ ମା’ଙ୍କ ଛତର ଜେନାଖାଲରୁ ମନ୍ଦିର ଅଭିମୁଖେ ବାହାରିଥିଲା। ଏହି ଯାତ୍ରାରେ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲା ସହିତ ପଡୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡ଼ ରୁ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ଯାତ୍ରାରେ ମାନସିକଧାରୀଙ୍କ ଦ୍ୱାରା ହଜାର ହଜାର ସଂଖ୍ୟାରେ ବୋଦା, କୁକୁଡ଼ା ଆଦିଙ୍କ ବଳି ଦିଆଯାଇଥିବାବେଳେ ସମ୍ପୂର୍ଣ ରାଜ ରାସ୍ତା ରକ୍ତରଞ୍ଜିତ ହୋଇଯାଇଥିଲା। ଏଥିସହ ଶହ ଶହ ଘଣ୍ଟ ଓ କଳାହାଣ୍ଡିର ବୀର ବାଦ୍ୟ ଘୁମୁରାର ତାଳେ ତାଳେ ମା’ଙ୍କ ଛତର ଝୁମି ଝୁମି ଆସି କଳାହାଣ୍ଡି ରାଜବାଟିର ମୁଖ୍ୟଦ୍ୱାର ସମ୍ମୁଖରେ ପ୍ରାୟ ୧୨.୧0 ସମୟରେ ପହଞ୍ଚିଥିଲେ।ମୁଖ୍ୟଦ୍ଵାର ଠାରେ କଳାହାଣ୍ଡି ମହାରାଜ ହଳଦୀପାଣିରେ ମା’ଙ୍କ ପାଦ ଧୋଇ ମା’ଙ୍କୁ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ପରିସର ମଧ୍ୟରେ ମା’ମାଣିକେଶ୍ବରୀ ଓ ବୁଢ଼ାରଜା(ଭୈରବ)ଦେବତାଙ୍କୁ ମନ୍ଦିରର ମୁଖ୍ୟ ପୂଜକଙ୍କ ଦ୍ୱାରା ପୂଜାର୍ଚନା କରାଯାଇଥିଲା। ଏହାପରେ ମା’ଙ୍କୁ ମନ୍ଦିରର ଗର୍ଭଗୃହକୁ ନିଆଯାଇଥିଲା।
