ଷଷ୍ଠ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ମେଳରେ ମା’ଙ୍କ ଘଟ ପରିକ୍ରମା , ମୀନାବଜାର ଉଦଘାଟିତ 

Share

 

ବୁଗୁଡ଼ା : ତା୩୦/୦୪/୨୫ : ମହାଆଡମ୍ବରରେ ଆୟୋଜିତ ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଘଟ ସାଜସଜ୍ଜାକାରୀ ବସନ୍ତ ବେହେରାଙ୍କ ଦ୍ବାରା ଆକର୍ଷଣୀୟ ସୁମନ ସଜ୍ଜିତ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ସହରର ବିଭିନ୍ନ ସାହିରେ ମେଢ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମୀନାବଜାର ଉଦଘାଟିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା ଝରଣା ଡାକୁଆ, ଝିଲ୍ଲିରାଣୀ ପାତ୍ର, ନମିତା ସ୍ବାଇଁ, ସାଇଶ୍ବେରୀ ପାତ୍ର ଓ ଜୟନ୍ତୀ ବେହେରା

ପ୍ରମୁଖ ମା’ଙ୍କ ଘଟ ଧାରଣ କରି ବଳଦେବ ମନ୍ଦିର , ପୋଲସରା ରୋଡ, ମଦନ ମୋହନ ଛକ, ବୁଦ୍ଧଖୋଲ ରୋଡ ଛକ , ହରିଶରଣପୁର, କୃଷ୍ଣଶରଣପୁର, ବୀରଧନଞ୍ଜୟପୁର, ଜଗତ ପାଟଣା ଆଦି ପରିକ୍ରମା କରି ବଳଦେବ ମନ୍ଦିର ପଥ ଦେଇ ଆସ୍ଥାନକୁ ଫେରିଥିଲେ । ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଘର ଆଗରେ ପୂଜା ସାମଗ୍ରୀ ଏବଂ ପୂର୍ଣ୍ଣ କୁମ୍ଭ ବାଢି ପ୍ରଦୀପ ପ୍ରଜ୍ବଳନ ସହକାରେ ଘଟଧାରିଣୀଙ୍କ ପାଦ ଧୌତ ପୂର୍ବକ ପଞ୍ଚ ଠାକୁରାଣୀଙ୍କ ସ୍ବାଗତ କରିଥିଲେ । ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସହଯୋଗ ଦେଖିବାକୁ ମିଳିଥିଲା ।

You may have missed