November 16, 2024

କୃଷ୍ଣ ପ୍ରସାଦ ବ୍ଲକ୍ ରେ ଚାଷ ଜମିକୁ ମିଳୁନାହିଁ ପାଣି, ଚିଲିକା ପର୍ଯ୍ୟଟନ ବିପର୍ଯ୍ୟସ୍ତ, କାମଧନ୍ଦା ନପାଇ ଯୁବକ ହତାଶ… ପ୍ରତିକାର ଦାବିରେ ଜନ ଆନ୍ଦୋଳନ ପାଇଁ ଲୋକେ ହେଲେ ଏକାଠି। ନେତୃତ୍ବ ନେଲେ ସମାଜସେବୀ ରମେଶ ଚନ୍ଦ୍ର ପ୍ରଧାନ

Share

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣ ପ୍ରସାଦ ବ୍ଲକ୍ ର ଚାଷ ଜମିକୁ ନାହିଁ ଜଳସେଚନ ବ୍ୟବସ୍ଥା। ଇନ୍ଦ୍ରଙ୍କ କୃପାରୁ ବର୍ଷା ପାଣିକୁ ଆଶ୍ରୟ କରି ଏଠିକାର ଚାଷୀ ଚାଷ କରି ଆସୁଛି ଶହ ଶହ ବର୍ଷ ତଳୁ। ଶାରଦ ଧାନ ଚାଷ ବର୍ଷ କୁ ଗୋଟିଏ ଥର।ମରୁଡି ହେଲେ ଚାଷୀର ବର୍ଷକର ଆଶା ଓ ଭରସା ମାଟିରେ ମିଶିଯାଏ। କେନାଲ ବ୍ୟବସ୍ଥା ନଥିବାରୁ ଚାଷୀ ହା ହତାଶ ମଧ୍ୟରେ ଗତି କରୁଛି। ଫଳରେ କୃଷ୍ଣପ୍ରସାଦ ବ୍ଳକରେ ବାସ କରୁଥିବା ଚାଷୀକୁଳ ଅଭାବ ଅନାଟନ ଭିତରେ ସମୟ କାଟୁଛନ୍ତି। ସରକାରଙ୍କ ସମସ୍ତ ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅଞ୍ଚଳ ବାସୀଙ୍କ ପାଇଁ ସ୍ବପ୍ନ ସଦୃଶ। ଏହି ବିରାଟ କୃଷିଜୀବୀ ମାନଙ୍କ ସମସ୍ୟା କୁ ଦେଖି ସମସ୍ତେ ଯେମିତି ଆଖି ବୁଜି ଦେଇଛନ୍ତି। ସେହିପରି ଚିଲିକା ଉପରେ ନିର୍ଭର କରି ଚଳୁଥିବା ପରିବାରଙ୍କ ଉପରେ ବେଡି ଉପରେ କୋରଡା ମାଡ ପରି ସ୍ଥାନୀୟ ପ୍ରଶାସନ ଘେରି ଭାଙ୍ଗିବା ନାମରେ ସ୍ଥାନୀୟ ଲୋକଙ୍କ ଭାତହାଣ୍ଡି ଭାଙ୍ଗୁଛି। ଲୋକମାନଙ୍କୁ ଡରାଇ ଥରାଇ କିଛି ଅସାଧୁ ଲୋକେ ନିଜ ହାତ ଚିକ୍କଣ କରି ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି। ତେଣୁ ଲୋକଙ୍କ ଜୀବନ ଜୀବିକା ଆଜି ବିପନ୍ନ ଅବସ୍ଥାରେ। ବିକଳ୍ପ ରୋଜଗାର ଭାବେ ଚିଲିକା ପର୍ଯ୍ୟଟନ ଥିଲା ବେଳେ ଏବଂ ଚିଲିକାରେ ବ୍ୟାପକ ପର୍ଯ୍ୟଟନ ସମ୍ଭାବନା ରହିଥିଲା ବେଳେ ଏ ଦିଗରେ ସୁଚିନ୍ତିତ ମାଷ୍ଟର ପ୍ଲାନ ପ୍ରସ୍ତୁତ ଅଭାବରୁ ଚିଲିକା ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମି ଭୁଷୁଡି ପଡିଛି। ଫଳରେ ଅଞ୍ଚଳରେ ବେକାରୀ, ବୋରୋଜଗାରୀ ଓ ଅଭାବୀ ପରିବାର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଲୋକେ ଉତିଷ୍ଠ ହେଲେଣି। ବ୍ରହ୍ମଗିରି ରେ ବିଚିତ୍ର ଅବସ୍ଥା। ବିରୋଧୀ ଦଳ ବିଧାୟକ ଓ ଶାସକ ଦଳ ନେତା ଦଳ ରେ କୋଣଠେସା। ଏଭଳି ଅଭାବନୀୟ ପରିସ୍ଥିତିରେ ଗୋରୁଆଳ ଗ୍ରାମର ସମାଜସେବୀ ରମେଶ ଚନ୍ଦ୍ର ପ୍ରଧାନ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେଉଛନ୍ତି ଏବଂ ପ୍ରତିକାର ନିମନ୍ତେ ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରୁଛନ୍ତି। ଆଜି ଏହି ବ୍ଳକର ପଣସପଦା ଗ୍ରାମ ପଞ୍ଚାୟତର ଖଣ୍ଡୁଆଳ ଛକରେ ଶତାଧିକ ଗ୍ରାମ ମୁଖିଆ, ଯୁବ ନେତା, ଲୋକ ପ୍ରତିନିଧି, ସାମାଜିକ କର୍ମୀ ଆଦି ଏକାଠି ହୋଇ ଆଞ୍ଚଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ନରସିଂହ ପାଟଣା ଠାରେ ବ୍ୟାରେଜ ନିର୍ମାଣ କରି ସେଠାରୁ ନୂତନ କେନାଲ ମାଧ୍ୟମରେ ବ୍ରହ୍ମଗିରି ଏବଂ କୃଷ୍ଣ ପ୍ରସାଦ ବ୍ଲକ୍ ର ଅଣ ଜଳସେଚିତ ଜମିକୁ ଜଳ ଯୋଗାଇବାକୁ ଲୋକେ ଦାବି କରିଛନ୍ତି। ସେହିପରି ଚିଲିକା ଉପରେ ନିର୍ଭର କରି ଚଳୁଥିବା ପରିବାର ଏବଂ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ କାମଧନ୍ଦା ଯୋଗାଇବାକୁ ଚିଲିକାରେ ପ୍ରାକୃତିକ ପର୍ଯ୍ୟଟନ ଉପରେ ଗୁରୁତ୍ୱ ପ୍ରଦାନ ସହିତ ଚିଲିକାର ପୂର୍ବାଞ୍ଚଳ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସଭାରେ ଦାବି ହୋଇଛି। ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ନେଇ ଅଭିଯୋଗ ହୋଇଛି। ଫନୀ ଫାଇଲିନ କ୍ଷତିଗ୍ରସ୍ତ ଅନେକ ପରିବାର ଏବେ ବି ପଲିଥିନ କୁଡିଆ ତଳେ ରହୁଥିବାରୁ, ତୁରନ୍ତ ସେମାନଙ୍କୁ ଗୃହ ଯୋଗାଇବାକୁ ସଭାରେ ସରକାରଙ୍କ ନିକଟରେ ଦାବି କରାଯାଇଛି। ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ଦିଗରେ ଲଗାତାର ଭାବେ ଆଲୋଚନା, ସଭା ଏବଂ ଶୋଭାଯାତ୍ରା ଆଦି ଆୟୋଜନ କରାଯିବ। ଲୋକମାନଙ୍କ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଗଣ ଆନ୍ଦୋଳନ ଓ ଗଣ ସଂଗଠନ ଜାରି ରହିବ ବୋଲି ସଭାରେ ଯୋଗଦେଇ ବିଶିଷ୍ଟ ସମାଜସେବୀ ରମେଶ ଚନ୍ଦ୍ର ପ୍ରଧାନ କହିଛନ୍ତି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ