January 31, 2025

ନିର୍ମାଣଧିନ ଅପେକ୍ଷା ରେ କଲ୍ୟାଣ ମଣ୍ଡପ

Share

 

କୋଲନରା ( ସଞ୍ଜୀବ କଣ୍ଡାଗରୀ ): କୋଲନରା ବ୍ଲକ ଅନ୍ତର୍ଗତ ବଡଖିଲାପଦର ସଦର ପଞ୍ଚାୟତର ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ୨୦୨୧ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା କିନ୍ତୁ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଯାଇ ଥିବା ବେଳେ ବି ଉକ୍ତ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ହୋଇ ପାରୁନାହିଁ | ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ, ବଡ ଖିଲାପଦର ଗ୍ରାମରେ ଲୋକଙ୍କ ବିଭିନ୍ନ ପ୍ରକାର ସୁବିଧା ଦୃଷ୍ଟିରୁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ପୂର୍ବତନ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କର କମଳରେ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ୧୪ ସିଏଫସି, ମନରେଗା ଓ ଏସପିସି ଯୋଜନା ଦ୍ବାରା ୩୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଜାନୁଆରି ୨୯ ତାରିଖ ୨୦୨୧ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ନିଜେ ମନ୍ତ୍ରୀ ଉପସ୍ଥିତ ରହି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ | କିନ୍ତୁ ଭିତ୍ତି ପ୍ରସ୍ତର ସ୍ଥାପନର ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ମଧ୍ୟ କଲ୍ୟାଣ ମଣ୍ଡପର ଫାଉଣ୍ଡେସନ କାର୍ଯ୍ୟ ମଧ୍ୟ ନିର୍ମାଣ ହୋଇପାରି ନାହିଁ | କେବଳ ଜମି ଚିହ୍ନଟ କରାଯାଇ ମାଟି ସମତୁଳ କରି ଛାଡି ଦିଆ ଯାଇଥିବା ଦେଖିବାକୁ ମିଳିଛି | ଯଦ୍ବାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ଯଦି କଲ୍ୟାଣ ମଣ୍ଡପ ନିର୍ମାଣ କରିବାର ନ ଥିଲା ତାହେଲେ କାହିଁକି ଦେଖାଣିଆ ପାଇଁ ଏଭଳି ଭିତ୍ତି ପ୍ରସ୍ତର ସ୍ଥାପନ କରି ଛାଡି ଦିଆଗଲା ବୋଲି ଲୋକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି | ପଞ୍ଚାୟତ ହେଡ୍ କ୍ୱାର୍ଟର ହୋଇଥିବା ହେତୁ ବଡ ଖିଲାପଦର ଠାରେ ଯଦି କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଏ ତାହେଲେ ଲୋକଙ୍କ ବହୁ ଆବଶ୍ୟକୀୟ ସମୟରେ କାମରେ ଆସି ପାରିଥାନ୍ତା । ହେଲେ ଏହି ଦେଖାଣିଆ କାମ ଭୋଟ୍ ରାଜନୀତି ବୋଲି ଲୋକେ କହିଛନ୍ତି | ଏଠାରେ ଗୋଟିଏ କଥା ସ୍ପଷ୍ଟ ବାରି ହେଉଛି କି କେବଳ କାଗଜ କଲମରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ନିର୍ମାଣ ହୋଇଛି କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା ଦେଖାଦେଇଛି | ୨୦୨୧ ମସିହାରେ ଜମି ଚିହ୍ନଟ କରାଯାଇ ଯଦି କଲ୍ୟାଣ ମଣ୍ଡପ ନିମନ୍ତେ ଫାଇଲ ଖୋଲା ଯାଇଥିଲା, ତେବେ ସେଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ବଦଳରେ ଏକ ଅଳିଆ କୁଣ୍ଡ କିଭଳି ନିର୍ମାଣ କରାଗଲା ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ପକେଟ ଗରମ କରିବା ପାଇଁ କୌଣସି ମଧୁଚନ୍ଦ୍ରିକା ହୋଇ ନାହିଁ ତ ବୋଲି ଲୋକେ ଅଭିଯୋଗ କରିଛନ୍ତି | ବଡ ଖିଲାପଦର ଠାରେ କଲ୍ୟାଣ ମଣ୍ଡପ ନ ଥିବା ହେତୁ ସ୍ଥାନୀୟ ଲୋକଙ୍କ ବିବାହ, ବ୍ରତ, ଦଶାହ ସହ ବହୁ ମାଙ୍ଗଳିକ କାର୍ଯ୍ୟରେ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡୁଛି | ବିଶେଷ କରି ବର୍ଷା ଦିନେ ବିଭିନ୍ନ କାର୍ଯ୍ୟ ପାଇଁ ଉପଯୁକ୍ତ ସ୍ଥାନ ଅଭାବରୁ ସମସ୍ୟା ଦେଖା ଦେଉଥିବା ଲୋକେ କହିଛନ୍ତି | ସେହିପରି କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ସ୍ଥାନୀୟ ଗ୍ରାମବାସୀ ବେଶ୍ ଉପକୃତ ହେବା ସହ ପଞ୍ଚାୟତକୁ ମଧ୍ୟ ରାଜସ୍ବ ମିଳି ପାରିଥାନ୍ତା ବୋଲି କୁହାଯାଇଛି | ଆଉ ଏକ କଥା ଯଦି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା ତାହେଲେ ସେହି ଟଙ୍କା କେଉଁ ଆଡେ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ତେଣୁ ଲୋକଙ୍କ ସୁବିଧା ଦୃଷ୍ଟିରୁ ବଡ ଖିଲାପଦର ଠାରେ ତୁରନ୍ତ କଲ୍ୟାଣ ମଣ୍ଡପ ନିର୍ମାଣ ଦିଗରେ ଉଭୟ ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମର ନିଳିନ୍ଦ୍ରି ହୁଇକା, ପି ପ୍ରଶାନ୍ତ, ବସନ୍ତ ହୁଇକା, ମେଘନାଥ କଣ୍ଡାଗରି ଓ ଡ଼ମ୍ବୁ କୁଲିଶିକାଙ୍କ ସମେତ ବଡ ଖିଲାପଦର ଅଭିଯୋଗ କରିଛନ୍ତି |ଏହି ସମ୍ପର୍କରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ସୋନାଲି ପ୍ରଧାନ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ କାହିଁକି ବିଳମ୍ବ ହେଲା ଜିଲ୍ଲା ପ୍ରଶାସନ ତଦନ୍ତ କରିବାକୁ ସାଧାରଣ ରେ ଦାବିହୋଇଛି।

You may have missed