June 29, 2024

କୂଅ ଭିତରେ ଶ୍ବାସରୁଦ୍ଧ ହୋଇ ଶ୍ରମିକଙ୍କ ମୃତ୍ୟୁ 

Share

 

ବୁଗୁଡ଼ା: ତା ୨୯/୧୦/୨୩ : କୂଅ ଭିତରେ ଶ୍ୱାସ ରୁଦ୍ଧ ହୋଇ ଶ୍ରମିକଙ୍କ ମୃତ୍ୟୁ l ଏମିତି ଘଟଣା ଘଟିଛି ବୁଗୁଡ଼ା ସହରର ଅନ୍ନପୂର୍ଣ୍ଣା ନଗର ଦ୍ଵିତୀୟ ଲାଇନ ଶ୍ରୀକୃଷ୍ଣ ନଗରରେ l ମୃତକ ଜଣକ ହେଲେ ଖୋଳଖାଳି ଗ୍ରାମର ଧୋବା ସ୍ୱାଇଁ(୫୫ ) l ଏ ନେଇ ବୁଗୁଡ଼ା ଥାନାରେ କେସ୍ ନଂ ୨୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ , ସ୍ଥାନୀୟ ଶ୍ରୀକୃଷ୍ଣ ନଗର ନିବାସୀ ହରିହର ପାତ୍ରଙ୍କ ଏକ ୩ ଫୁଟିଆ ନନ୍ଦ କୂଅକୁ ସଫା କରିବା ପାଇଁ ଆଜି ଦିନ ୧୧ ସମୟରେ ଖୋଳଖାଳି ଗ୍ରାମର ଧୋବା ସ୍ୱାଇଁ,ଖାଦାଳ ସାହାଣୀ ଓ ମନୁ ସେଠୀ ଆସିଥିଲେ l ପ୍ରଥମେ ମନୁ ମୋଟର ଲଗାଇ ପାଣି ଖାଲି କରିବା ପରେ ଧୋବା କୂଅ ଭିତରେ ପଶି କୂଅ ଭିତରେ ପଡ଼ିଥିବା ପଥର, ମାଟି ଆଦି ବାହାର କରିଥିଲେ ଏବଂ କାମ ସରିବା ପରେ ଧୋବା କୂଅରୁ ଉପରକୁ ଆସିବା ପାଇଁ ଅନ୍ୟ ୨ ସାଥି ଦଉଡି ପକାଇ ଥିଲେ । ଏ ସମୟରେ ଧୋବା ଉପରକୁ ଆଉ ଉଠି ନପାରି ତଳେ ପଡି ଯାଇଥିଲେ l ଖବର ପାଇ ବୁଗୁଡ଼ା ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଧୋବାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର କାମାକ୍ଷୀ ବିଷୋୟୀ ଧୋବାଙ୍କୁ ମୃତ ଘୋଷଣା କରିଥିଲେ l କୂଅ ଭିତରେ ଅମ୍ଳଜାନ ଅଭାବରୁ ଧୋବାଙ୍କ ଜୀବନ ଚାଲି ଯାଇଥିବା ଜଣା ପଡିଛି l ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ସୋମବାର ଦିନ ଭଞ୍ଜନଗର ପଠାଇବେ ବୋଲି ଜଣାଯାଇଛି ।