July 1, 2024

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବୋଲଗଡ଼ ରେ ଅଚଳାବସ୍ଥା: ରୋଗୀ ସେବା ବିପର୍ଯ୍ୟସ୍ତ

Share

 

ଖୋର୍ଦ୍ଧା ,ବୋଲଗଡ଼,(ଉପାନ୍ତ ଖବର): ଜନ ସାଧାରଣ ମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ସୁବିଧାରେ ଯୋଗାଇ ଦେବା ପାଇଁ କେନ୍ଦ୍ର ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନଠାରୁ ଆରମ୍ଭ କରି ରାଜ୍ୟ ସରକାର ଭିତ୍ତିଭୂମୀର ବିକାଶପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣ ସରକାରୀ ଡାକ୍ତରଖାନାରୁ ସେବା ପାଇବା କାଠିକର ପାଠ ହୋଇଯାଇଛି । ଭାତହାଣ୍ଡିରୁ ଗୋଟିଏ ଭଳି ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଦର ମହକୁମାସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ଧରି ଡାକ୍ତର ଅଭାବରୁ ରୋଗୀସେବା ଏକ ପ୍ରକାର ଠପ୍ ହୋଇଯାଇଛି । ବୋଲଗଡ ବ୍ଳକର ସଦର ମହକୁମାରେ ଥିବା ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ୪ଜଣ ସ୍ପେଶାଲିଷ୍ଟ, ଜଣେ ମେଡିକାଲ ଅଫିସର ଓ ଜଣେ ସର୍ଜନ ଭଳି ୬ ଡାକ୍ତରୀ ପଦବୀ ରହିଛି । କିନ୍ତୁ ୧୦ବର୍ଷ ଧରି ଏଠାରେ କୌଣସି ସ୍ପେଶାଲିଷ୍ଟ ଦେଖିବାକୁ ମିଳୁନାହିଁ । ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ କଡ଼ରେ ବୋଲଗଡ ଡାକ୍ତରଖାନା ଅବସ୍ଥିତ । ପ୍ରତିଦିନ ଛୋଟବଡ ବହୁ ଦୁର୍ଘଟଣାଗ୍ରସ୍ଥ ରୋଗୀମାନେ ଏଠାରେ ପ୍ରାଥମିକ ଚିକିତ୍ସା ହୋଇ ଅଧିକ ଚିକିତ୍ସାପାଇଁ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାକୁ ରେଫର କରାଯାଇଥାଏ । ଏହା ସହ ପଶ୍ଚିମ ବୋଲଗଡ଼ ଅଞ୍ଚଳର ୭ଟି ପଞ୍ଚାୟତ ଓ ପଡୋସୀ ଭାପୁର ବ୍ଲକ ଓ ରଣପୁର ବ୍ଲକର ଅନେକ ଗ୍ରାମର ଜନସାଧାରଣ ଏହା ଉପରେ ନିର୍ଭର କରନ୍ତି । ଦୀର୍ଘଦିନ ଧରି ସ୍ପେଶା ଲିଷ୍ଟଙ୍କ ବଦଳରେ ଏଠାକୁ ପାଳି କରି ନବ ନିଯୁକ୍ତ ଏମବିବିଏସ ଡିଗ୍ରୀଧାରୀ ଡାକ୍ତରଙ୍କୁ ସାମୟିକ ଭାବେ ଅନ୍ୟ ଡାକ୍ତରଖାନାରୁ ଖୋର୍ଦ୍ଧା ଜିଲ୍ଲା ସିଡିଏମଓ ପଠାଉଛନ୍ତି । ଫଳରେ କିଛିଦିନ କାର୍ଯ୍ୟକରି ଡାକ୍ତରମାନେ ଉଚ୍ଚଶିକ୍ଷା ନାମରେ ଛୁଟିରେ ରହୁଛନ୍ତି । ପୂର୍ବରୁ ଡାକ୍ତର ଅଭାବ ଯୋଗୁଁ ଏଠିକାର ଚିକିତ୍ସାରେ ଥିବା ଅବ୍ୟବସ୍ଥାପାଇଁ ରୋଗୀମାନେ ମୃତ୍ୟୁମୁଖରେ ପଡିବାରୁ ଆନ୍ଦୋଳନ ହୋଇଥିଲା । ଏପରିକି ବୋଲଗଡ଼ ବଣିକ ସଂଘ ଡାକରାରେ ହୋଇଥିବା ଆନ୍ଦୋଳନରେ ସାମିଲଥିବା ବଣିକମାନଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇ ଦୀର୍ଘବର୍ଷ ହେବ କୋର୍ଟକୁ ଦୈାଡି ଦୈାଡି ନୟାନ୍ତ ହେବାକୁ ପଡିଥିଲା । ଗ୍ରୀଷ୍ମ ପ୍ରବାହ ସମୟରେ ରୋଗୀମାନଙ୍କ ପାଇଁ ବ୍ୟବସ୍ଥିତ ହୋଇଥିବା ଅଂଶୁଘାତ ଚିକିତ୍ସା କକ୍ଷଟି ତାଲାପଡିଥିବା ହେତୁ ଆସୁଥିବା ରୋଗୀମାନେ ବାରଣ୍ଡାରେ ଚିକିତ୍ସା ହେଉଥିବାର ନଜିର ରହିଛି । ସର୍ବଦା ଶୀତତାପ ନିୟନ୍ତ୍ରୀତ ଏହି କୋଠରୀରେ ସିକ୍ୟୁରିଟି ଗାର୍ଡ ଓ ଷ୍ଟାପ୍‌ମାନେ ବିଶ୍ରାମ କରୁଥିବା ଦେଖିବାକୁ ମିଳୁଛି । ଏପରିକି ମହିଳା ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ପରିଶ୍ରାଗାରକୁ ସର୍ବଦା ତାଲା ପକାଇ ରଖି ମହିଳାମାନଙ୍କୁ ପୁରୁଷ ପରିଶ୍ରାଗାର ବ୍ୟବହାର କରିବାକୁ ବାଧ୍ୟ କରାଯାଉଛି । ଡାକ୍ତରଙ୍କ ପରାମର୍ଶରେ ଯଦି ରୋଗୀଙ୍କୁ ରକ୍ତ କିମ୍ବା ଅନ୍ୟ କୈାଣସି ପରୀକ୍ଷା କରାଯିବାପାଇଁ ପରାମର୍ଶ ଦିଆଯାଏ ରୋଗୀଜଣଙ୍କ ଚିତ୍କିସାଳୟ ବାହାର ଘରୋଇ ଲାଭୋଟୋରୀରେ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଏହାବାଦ୍ ଅସ୍ଥିଶଲ୍ୟ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସରେ ମେସିନଟି ଥିଲାବେଳେ ଚିକିତ୍ସାଳୟ ବାହାରେ ରୋଗୀମାନଙ୍କୁ ଚଢ଼ା ଦରରେ ଏକ୍ସରେ କରିବାକୁ ବାଧ୍ୟ ହେଉଥିବା ଏକ ପ୍ରକାର କର୍ମଚାରୀଙ୍କ ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୈାଣସି ଛାତ୍ରଛାତ୍ରୀ ମେଡିକାଲ ଫିଟ୍‌ନେସ୍ ସାର୍ଟିଫିକେଟ ପାଇଁ ଡାକ୍ତରଙ୍କ ନିକଟକୁ ଗଲେ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଖୋର୍ଦ୍ଧାରେ ଫିଟନେସ୍ ପ୍ରମାଣପତ୍ର ଆଣିବାକୁ ପରାମର୍ଶ ଦେଉଥିବା ବେଳେ କୈାଣସି କର୍ମଚାରୀଙ୍କ ନିଜ ଲୋକ ହୋଇଥିଲେ ତୁରନ୍ତ ଫିଟନେସ୍ ସାର୍ଟିଫିକେଟ ଦେଉଥିବା ଅଭିଯୋଗ ହେଉଛି । ଚିକିତ୍ସାଳୟର କର୍ମଚାରୀମାନେ ବିନା ପରିଚୟ ପତ୍ର(ଆଇକାର୍ଡ)ରେ ପରିସରରେ ଟହଲ ମାରୁଥିବାବେଳେ କେଉଁ ସମୟରେ କାହାର ଡ୍ୟୁଟି ରହୁଛି, କିଏ କେଉଁ ସିଫ୍ଟରେ କାର୍ଯ୍ୟ କରୁଛନ୍ତି ତାହା ସାଧାରଣ ଜନତାଙ୍କ ପାଇଁ ଅଦୃଶ୍ୟ ହୋଇଯାଇଛି । ଏ ଅଞ୍ଚଳର ରୋଗୀମାନେ ଚିକିତ୍ସା ପାଇଁ ବାଧ୍ୟହୋଇ ୨୦କି.ମି. ଦୂର ନୟାଗଡ଼ ଜିଲ୍ଲା ଚିକିତ୍ସାଳୟ କିମ୍ବା ୪୦ କି.ମି. ଦୂର ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟକୁ ଯିବାକୁ ବାଧ୍ୟହୋଇ ଯାଉଛନ୍ତି । ସବୁଠାରୁ ଦୁଃଖର ବିଷୟ ରାଜ୍ୟ ସରକାର ମନଇଚ୍ଛା ଠିକାଦାର ଓ ଯନ୍ତ୍ରୀଙ୍କୁ ପୋଷିବାପାଇଁ ଉନ୍ନତିକରଣ ନାମରେ ନିର୍ବାଚନ ପୂର୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚିକିତ୍ସାଳୟରେ କେବଳ ରଙ୍ଗମାରି ସୈାନ୍ଦର୍ଯ୍ୟକରଣ କରାଯାଇଛି । ଏହି ନବକଳେବର ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନକୁ ୩ମାସ ନପୁରୁଣୁ ମୁଖ୍ୟ ଫାଟକର ନାମଫଳକଟିର ଅଧା ଅକ୍ଷର ଗଳିପଡିଥିବା ବେଳେ ସମ୍ପୁର୍ଣ୍ଣ ଚିକିତ୍ସାଳୟର ହେଉଥିବା କନ୍‌ଷ୍ଟ୍ରକସନ୍‌ର ମାନ ଏବଂ ପୂର୍ତ୍ତ ବିଭାଗର ଜେଇଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ନୂତନ ବିଜେପି ସରକାର ପଦକ୍ଷେପ ନେଇ ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରିବା ସହିତ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଭିଜିଲାନ୍ସ ତଦନ୍ତ କରି ଆଖିଦୃଷ୍ଟିଆ ପଦକ୍ଷେପ ନେବାପାଇଁ ଜନସାଧାରଣ ଦାବୀ କରିଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।