ନଦୀ ନେଇଗଲା ଜୀବନ ନଦୀରେ ବୁଡି କାଉଡ଼ିଆ ଭକ୍ତଙ୍କ ମୃତ୍ୟୁ
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଦେହରେ ଗେରୁଆ ବସ୍ତ୍ର ହାତରେ ବାହୁଙ୍ଗି ରେ ପାଣିଭାର ତୁଣ୍ଡରେ ବୋଲ ବମ ହର ହର ବୋମ ଉଚ୍ଚାରଣ କରି ମହାଦେବ ଙ୍କ ଉଦ୍ଧେଶ୍ୟରେ ଜଳ ଲାଗି କରିବା ପାଇଁ ଧାଇଁ ଆସିଥିଲେ ଗଜପତି ଜିଲ୍ଲାରୁ ରାୟଗଡା ଜିଲ୍ଲା । ମନରେ ଅନେକ ଆଶା ଅସୁମାରୀ ଭକ୍ତି ଓ କେତେ ମାନସିକ ରଖି ଦେବଦେଵ ମହାଦେବ ଙ୍କୁ ଶ୍ରାବଣ ମାସରେ ଜଳ ଲାଗି କରିବାକୁ ବାହାରିଥିଲେ କାହ୍ନା । ହେଲେ ସେ କଣ ଜାଣିଥିଲେ ଆଜି ତାଙ୍କର ଶେଷ ଯାତ୍ରା ହେଇଯିବ ବୋଲି । ଶିବ ରୁ ଶବ ପାଲଟିଯିବେ ବୋଲି ।
ଚାଲିଛି ଶ୍ରାବଣ ମାସ । ଆଜି ହେଉଛି ଶ୍ରାବଣର ତୃତୀୟ ଶନିବାର । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଝାଲରସିଂ ଗ୍ରାମର ୨୦ ବର୍ଷ ବୟସ୍କ ଯୁବକ କାହ୍ନା ବଡ଼ ଦଳେଇ ସୋମବାର ଉପଲକ୍ଷେ ମହାଦେବ ଙ୍କୁ ଜଳ ଲାଗି କରିବାକୁ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଭୀମପୁର ଅନ୍ତର୍ଗତ ଭୀମଶଙ୍କର ମନ୍ଦିର କୁ ଆସିଥିଲେ । ମନ୍ଦିରରେ ପୂଜକ ଆସି ନ ଥିବାରୁ ନିକଟସ୍ଥ ମହେନ୍ଦ୍ର ତନୟା ନଦୀରେ ଗାଧୋଇବା ବେଳେ ଗୋଡ଼ ଖସିଯାଇ ଥିଲା । ନଦୀର ସ୍ରୋତ ଏତେ ପ୍ରଖର ଥିଲା ଯେ ଭିତରକୁ ଚାଲି ଯାଇଥିଲେ । ଖବରପାଇ ଗୁଣୁପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ମୃତ ଦେହ ଠାବ କରି ଉଦ୍ଧାର କରିଥିଲେ । ବର୍ତ୍ତମାନ କାହ୍ନା ଙ୍କ ମୃତ ଦେହ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ।
