July 5, 2024

ବିଜେଡି ହାରିବା ପଛର ଗୁମର କଥା

Share

ଡା.ରାଜାରାମ ଷଡଙ୍ଗୀ

ସବୁରି ମନ ଭିତରେ ବିଶ୍ୱାସ ଥିଲା ଷଷ୍ଟ ଥର ପାଇଁ ନବୀନ ପଟ୍ଟନାୟକ ସରକାର ଗଢିବେ।ସ୍ୱପ୍ନ ଧୂଲିସାତ ହେଲା।ବିଜେଡି ପ୍ରତି ଲୋକଙ୍କ ଯଥେଷ୍ଟ ଜନମତ ରହିଥିଲେ ମଧ୍ୟ ସରକାର ଗଢ଼ିବା ସମ୍ଭବ ହେଲାନାହିଁ।ଜନତା ଏହି ଫଳାଫଳରେ ଯେତିକି ଆଶ୍ଚର୍ଯ୍ୟ,ତା’ଠୁ ଅଧିକ ତାଜୁବ ହୋଇଛନ୍ତି ରାଜନୈତିକ ଦଳ ଗୁଡିକ।ବିଜେଡିର ନିଦ ହଜି ଯାଇଥିବା ବେଳେ ବିଜେପି ମଧ୍ୟ ହତଚକିତ ହୋଇଛି ପରିବର୍ତ୍ତନରେ।ହେଲେ ଏହା ହେଲା କାହିଁକି ?

ଏହାକୁ ନେଇ ସମସ୍ତେ ଊଣା ଅଧିକେ ଜାଣିଥିଲେ ମଧ୍ୟ ମୁହଁ ଖୋଲିବାକୁ ନାରାଜ।ନିର୍ଚାଚନ ଫଳାଫଳକୁ ନେଇ ହୋଇଥିବା ଏକ୍ଜିଟିଭ୍ ପୁଲ କେତେଦୂର କାମ କରିଛି ତାହା କାହାକୁ ଅଛପା ନୁହେଁ। କିନ୍ତୁ ଏହି ଲେଖକ ଦୀର୍ଘ ଏକ ବର୍ଷ ତଳୁ ଲେଖି ଆସୁଥିବା ରାଜନୈତିକ ଗତିବିଧି ଠାରୁ ଭୋଟ ଗଣତି ପୁର୍ବ ଦିନର ଆକଳନକୁ ଏବେ ଯଦିବି କେହି ବିଶ୍ୱାସକୁ ନେଉ ନାହାଁନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର ମଧ୍ୟ କିଛି ନାହିଁ।କାରଣ ଯାହା ଘଟୁଥିଲା ଓ ଯାହା ହେବାକୁ ଯାଉଥିଲା,ତାହା ହୋଇସାରିଛି।ଏହି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ରଖି ଏହି ଲେଖକ ତାରପୁର୍ନୁମାନ ମଧ୍ୟ କରିଛି।ଏପରିକି କିଛି ଡିବେଟ ଓ ଗଣମାଧ୍ୟମରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିଛି ତାହାର ବାସ୍ତବ ଚିତ୍ର ଉପରେ ନଜର ହଟାଇ ଦେବାବି ଠିକ ହେବ ନାହିଁ।ଅନେକ ତଥ୍ୟ ବାସ୍ତବତାରେ ପ୍ରତିଫଳିତ ହୋଇଛି।

ଏହା ସତ ଲୋକ ପରିବର୍ତ୍ତନ ଚାହୁଁଥିଲେ।ହେଲେ ଦଳ ର ପରିବର୍ତ୍ତନ ଠାରୁ ନେତୃତ୍ୱର ପରିବର୍ତ୍ତନ ଥିଲା ଭୋଟରଙ୍କ ବଡ ପସନ୍ଦ।ଭୋଟର ଉପରେ ଲଦି ଦିଆଯାଉଥିବା ପ୍ରାର୍ଥି ସପକ୍ଷରେ ନଥିଲେ ଭୋଟର। ବରଂ ଭୋଟର ଚାହିଁଥିଲେ ନିଜର ମନୋନୀତ ପ୍ରାର୍ଥୀ ।ବିଜେଡିର ଏହି ଭୁଲ୍ ନିଷ୍ପତ୍ତି ବିଜେପିକୁ ବେଶ୍ ସୁଆଇଛି।ଏହି ପ୍ରଥମ ବିଚାରକୁ ଆମେ ସମସ୍ତେ ବୋଧହୁଏ ଗ୍ରହଣ କରିନେଇଛେ।
ଆଉ ଯଦି ଦ୍ୱିତୀୟ ବିଚାରକୁ ନେବା ବିଜେପି-ବିଜେଡି ମେଣ୍ଟକୁ ନେଇ ନେଇ ଯେଉଁ ହାଲ୍ଲା ଚିଲ୍ଲା ଧରିଲା ତାହା ଉଭୟ ବିଜେପି ଓ ବିଜେଡି ପାଇଁ କ୍ଷତି କାରଣ ଥିଲା।ବରଂ କଂଗ୍ରେସ ଉପରେ ଲୋକଙ୍କ ଆସ୍ଥା ବଢାଇବାର ସମୟ ଦିଆଗଲା। ଯାହା ଫଳରେ ୨୦୧୯ ଅପେକ୍ଷା ୨୦୨୪ରେ କଂଗ୍ରେସର ସଫଳତା ୯ ରୁ ୧୪ ଆସନ ଜିତିବା ନଜରକୁ ଆସିଲା।ଆଉ ଏହି ଲେଖକ କଂଗ୍ରେସକୁ ୧୪ ରୁ ୧୮ ଆସନ ଜିତବ ବୋଲି ଆକଳନ କରିଥିଲା।ସେଥିମଧ୍ୟରୁ ବହୁ କମ୍ ଭୋଟରେ କଂଗ୍ରେସ ପରାଜୟ ବରଣ ବି କରିଛି। ସେହିପରି ସ୍ୱାଧିନ ଓ ଅନ୍ୟାନ୍ୟକୁ ୩ ରୁ ୫ ଆସନ ଛାଡିଥିବା ବେଳେ ତାହା ୪ ରେ ସିମିତ ରହିଲା।ବିଜେଡିକୁ ୫୬ ରୁ ୬୧ ଓ ବିଜେିକୁ ୫୭ରୁ ୬୯ ଆସନରେ ଜିତିବା ଆକଳନ କରିଥିବା ବେଳେ ୩୨ବିଧାନସଭା ସିଟରେ କଡା ଟକ୍କର କୁ ନେଇ ପୁର୍ବାନମାନ କରିଥିଲା।ଏଣୁ ବିଜେଡି ବିଜେପି ମଧ୍ୟରେ କିଏ ସରକାର ଗଠନ କରିବ ତାହା ଫଳାଫଳ ଉପରେ ନିର୍ଭର କରୁଛି ବୋଲି ଏହି ଲେଖକ ବିଭିନ୍ନ ପ୍ରକାଶିତ ଗଣମାଧ୍ୟମରେ ଏଭଳି ତଥ୍ୟ ଭିତ୍ତିକ ଆଲେଖ୍ୟ ଜନତାଙ୍କୁ ଦେଇଛି।ଏଭଳି କ୍ଷେତ୍ରରେ ବିଜେପି ବଡ ସଫଳତା ନେଲା କାରଣ ମେଣ୍ଟକୁ ନେଇ ସବୁ ଚର୍ଚାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବାରମ୍ବାର ଖଣ୍ଡନ କରି ବିଜେପି ପ୍ରତି ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ।ଆରମ୍ଭରୁ ମେଣ୍ଟ ବିପକ୍ଷରେ ମନମୋହନଙ୍କ ଯୁକ୍ତି ବିଜେପିର ବଡ ସଫଳତା କୁହାଯିବ।ଫଳରେ ମେଣ୍ଟ ନିଷ୍ପତ୍ତିରେ ଜବନିକା ପଡିବା ପରେ ବିଜେପି ଓ ବିଜେଡିର ରଣ କୌଶଳର ଆରମ୍ଭ ହୋଇଥିଲା।ଉଭୟଙ୍କ ନିର୍ବାଚନୀ ବୈତରଣୀ ପାରିହେବା କୌଶଳ ଭିନ୍ନ ଥିଲା।ବିଜେପି ଧିର ଗତିରେ କଇଁଛ ପରି ଚାଲିଥିବା ବେଳେ ବିଜେଡି ପରାକ୍ରମି ସିଂହ ପରି ମାଡିଆସିଲା।ଭୋଜି ଭାତର ଆସର ଜମିଲା।ଦଳ ବଦଳର ପାଲା ଚାଲିଲା ।ସଚ୍ଚା ଯାଦୁଗର ଏକାଠି ହେଲେ।ବଡ ଅଙ୍କର ପୁଞ୍ଜି ନିବେଶ ହେଲା।ଦଳ ବାହାରେ ଥିବା ଅନେକ ପ୍ରଭାବଶାଳୀଙ୍କୁ ବିଜେଡି ନିଜର କରିବାକୁ ପ୍ରୟାସ କଲାବେଳେ ବିଜେପି କିନ୍ତୁ ଗୁଣୀ,ଜ୍ଞାନୀ, ସ୍ୱାଭିମାନୀ,ଧର୍ମ,ସଂସ୍କୃତି ସଂପନ୍ନ ବ୍ୟକ୍ତି ବିଶେଷଙ୍କ ନିକଟତର ହେବାକୁ ଲାଗିଲା।ଉଭୟ ଦଳର ରଣକୌଶଳ ଭୋଟର ମାନଙ୍କୁ ଖୁବ୍ ପ୍ରଭାବିତ କରିଥିଲା।କିଏ ଭଳ କିଏ ଖରାପ ଏଭଳି ନିର୍ଣ୍ଣୟ ନେବାରେ ତୃଣମୂଳ ସ୍ତରରେ ଖୁବ୍ ପ୍ରଭାବିତ ହୋଇଥିଲା।

ଯଦି କୁହାଯିବ ନବୀନଙ୍କ ନିଷ୍କ୍ରିୟତା,ବରିଷ୍ଠ ଓ ପୁରୁଖା ନେତାଙ୍କୁ ଅଣଦେଖା, ପାଣ୍ଡିଆନଙ୍କ ପ୍ରତି ଅହେତୁକ ଅନୁକମ୍ପା ମୂଳକ ବିଶ୍ୱାସହିଁ ବିଜେଡିର ବିଫଳତାର ପ୍ରମୁଖ କାରଣ।ଦ୍ୱିତୀୟରେ ବିଜେଡି ନିଜ ସମ୍ମାନକୁ ନିଜେ ଖସାଇଛି।ଶାଗ ମାଛ ପରି ଭୋଟରଙ୍କୁ ବିଜେଡି ପ୍ରଥମରୁହିଁ ବ୍ୟବହାର କଲା।ସଭା ସମିତିରୁ ଭୋଟ ଯାଏ ଭୋଟରଙ୍କୁ କିଣିବାକୁ ଯେଉଁ ପ୍ରୟାସ କଲା ତାହା ମଧ୍ୟବିତ୍ତ ଶ୍ରେଣୀର ଦେହସୁଆ ହୋଇପାରିନି।ଏପରିକି ନବୀନଙ୍କ ଉପରେ ଲୋକଙ୍କ ବିଶ୍ୱାସ ମଧ୍ୟ ଦିନକୁ ଦିନ ତୁଟିବାକୁ ବସିଥିଲା। ନବୀନଙ୍କ କୌତୁକିଆ ଭାଷଣ ଲୋକଙ୍କୁ ଆକୃଷ୍ଟ କରିନଥିଲା।ବିଭିନ୍ନ ସଭା ସମିତିରେ ସ୍ଥାନୀୟ ନେତା କର୍ମୀଙ୍କ ବଦଳରେ ଭଡାଟିଆ ପ୍ରଚାରକ ଛୁଇଁ ପାରିଲେନି ଭୋଟର ହୃଦୟ।ଆଉ ଦେଖିବାକୁ ଗଲେ ବିଜେଡି ଏକ ଆଞ୍ଚଳିକ ଦଳ ଏହା ଜାତୀୟ ଦଳ ନୁହେଁଯେ ବାହାର ରାଜ୍ୟରୁ ଦଳରେ ମିଶାଇ ସଂଗଠନ କରିବ।ସେଥିରେ ରହିଥିଲା ମସ୍ତବଡ ତୃଟୀ।ଓଡିଶାରେ ଚାକିରୀ କରିବାକୁ ଆସିଥିବା ଜଣେ ତାମିଲ୍ ପ୍ରଶାସକଙ୍କୁ ଦଳରେ ମିଶାଇବା ସହିତ ଜଣ ଶୁଣାଣି ନାମରେ ୩୦ ଜିଲ୍ଲା ଗସ୍ତ,ସବୁ ବିଧାନସଭା ଆସନରେ ବିଧାୟକ କିମ୍ବା ପ୍ରାର୍ଥୀ ନଥାଇ ନିଜର ବାହାସ୍ଫୋଟ ମାରିବା ଭଳି କାର୍ଯ୍ୟଧାରାକୁ କେବଳ ବିଜେଡି କର୍ମୀ ଓ ନେତା ଛାତି ଚାପି ସହିଗଲେ ସିନା କିନ୍ତୁ ସାଧାରଣ ଜନତା ଓ ଓଡିଆ ସ୍ୱାଭିମାନୀ ଏହା ସପକ୍ଷରେ ଆଦୌ ନଥିଲେ।ତେଣୁ ନିର୍ବାଚନ ଘୋଷଣା ପୁର୍ବରୁହିଁ ବିଜେଡିର ୩% ଭୋଟ କମିସାରିଥିଲା।ଏହି ଲେଖକ ବହୁ ପୁର୍ବରୁ ଏହା ଲେଖିସାରିଥିଲା।

ପାଣ୍ଡିଆନଙ୍କୁ ଧରି ନବୀନଙ୍କ ଏହି ପଲିଟିକାଲ ଲଞ୍ଚ୍ ଦଳ ପାଇଁ ବୁମେରାଂ ହେବ ବହୁ ପୁର୍ବରୁ ଏଭଳି ସତର୍କ କରିଛି ଏହି ଲେଖକ।ଏପରିକି ନିଲଡୁଙ୍ଗରୀର ବୃହତ ମାର୍କେଟ ଟର୍ମିନାଲର ଉଦାହରଣ ଧରି ଏହି ଜନଶୁଣାନି ଏକ ପ୍ରହସନ ଓ ଭେଲକି ବୋଲି ଏହି ଲେଖକ ସରକାରଙ୍କୁ କଡା ସମାଲୋଚନା କରିବାକୁ ପଛାଇନଥିଲା।ଏପରିକି ଦଳର ବହୁ ତୁଙ୍ଗ ନେତା ମଧ୍ୟ ଏହି ପ୍ରସଙ୍ଗରୁ ଦୂରେଇ ରହିବାକୁ ଓ ନିଶ୍ଚିତ କାର୍ଯ୍ୟକାରୀ ହେବ ବୋଲି ପ୍ରତିଶୃତି ଦେଲେ।ହେଲେ ନବୀନ ଶିଳାନ୍ୟାସ କରିଥିବା ସ୍ଥାନରେ ନିର୍ବାଚନୀ ସଭା ସିନା କଲେ କିନ୍ତୁ ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ଏ ବିଷୟରେ ପଦେ ମୁହଁବି ଖୋଲିଲେ ନାହିଁ।ଯାହାକି ସେହି ଅଞ୍ଚଳରେ ଏହାର ଦଳ ପାଇଁ ବଡ ପ୍ରଭାବ ପଡିଥିଲା। ୧୪୭ ବିଧାନସଭାରେ ସଭା କରିଥିବା ପାଣ୍ଡିଆନ ମଧ୍ୟ ଏହି ଅଞ୍ଚଳକୁ ଆସିବାକୁ ସାହାସ କରିନଥିଲେ।

ଏହାବି କୁହାଯିବ, ପାଣ୍ଡିଆନଙ୍କ ସଭା, ମଞ୍ଚ, ଆଲୁଅ, ପ୍ରଚାର ପ୍ରସାର, ପ୍ରବଳ ମାତ୍ରାରେ ଲୋକବୁହା ଓ ଲୋକଙ୍କ ପାଇଁ ପ୍ରଚୁର ଖାଦ୍ୟ ପାନୀୟର ବ୍ୟବସ୍ଥା ବିଜେଡିର ଅଧୋପତୋନ ପାଇଁ ଦାୟୀ। କଥା ହେଲା ବିଜେଡି ସରକାରରେ ଥିବା ବେଳେ ରାଜନେତା ନୁହେଁ ବରଂ ପ୍ରଶାସକ ହିଁ ସର୍ବେସର୍ବା ଥିଲେ । ଖାସ୍‌ କରି ସିଏମଓକୁ ଘେରି ରହିଥିବା କୁଟେରୀ ଗ୍ୟାଙ୍ଗ ପୂରା ଶାସନ ବ୍ୟବସ୍ଥା ବୁଝୁଥିଲେ । ଆଉ ସେମାନଙ୍କର ନେତୃତ୍ଵ ନେଉଥିଲେ ପାଣ୍ଡିଆନ । ଏମିତିକି ମନଇଚ୍ଛା ଶାସନ ଚଳାଇବା ସହ ପୂରା ନେତାଠାଣୀରେ ରାଜ୍ୟର ୩୧୪ ବ୍ଲକରେ ଚକ୍କର ମାରୁଥିଲେ । ଏମିତିକି ନବୀନ ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ନହେଲେ ସେ ସନ୍ୟାସ ନେଇଯିବେ ବୋଲି କହିବାକୁ ବି ପଛାଇନଥିଲେ ।ଏବେ ତାହାବି ହେଲା।

ଏହା ସତ,ସରକାର ବଦଳିଲା।ବିଜେଡି ନେତାଙ୍କ ଟେନସନ ବଢିଲା । କାରଣ ବିଜେପି ପ୍ରତିଶୃତି ଦେଇଛି ଦୁର୍ନୀତିର ନାୟକମାନଙ୍କୁ ପଠାଯିବ ଜେଲ୍ । ପ୍ରଧାନମନ୍ତ୍ରୀ କହିଥିଲେ ସିଏମ୍ ଅଫିସ ଓ ସିଏମ୍ ଆବାସ ମାଫିଆଙ୍କ କବଜାରେ । ମାଫିଆଙ୍କ ଅଣ୍ଟା ଭାଙ୍ଗିଦେବାକୁ ଚେତାବନୀ ଦେଇଥିଲେ ମୋଦି । ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କିଏ ଆଲୋକ ଲଗେଇଥିଲା, କାହିଁକି ଖୋଲିଲା ? କାହା ପାଖେ ତାର ଉତ୍ତର ନଥିବା ଖୁଲାସାବି ହେଲାଣି।ସେତେବେଳେ ପ୍ରଶ୍ନ ଉଠୁଥିଲା – ଚାଲୁଥିଲା କି ରାଜ୍ୟରେ ସମାନ୍ତରାଳ ସରକାର ? ସରକାରଙ୍କ ବ୍ୟବସ୍ଥା ବାହାରେ ସରକାର ଓ ପ୍ରଶାସନକୁ ମାଡ଼ି ବସିଥିଲା ଅସାମ୍ବିଧାନିକ ବ୍ୟବସ୍ଥା ।ଯାହାକି ଗଣତନ୍ତ୍ର ପ୍ରତିଷ୍ଠା ଓ ଓଡ଼ିଆ ଅସ୍ମିତା ଭଳି ବିଜେପିର ସକରାତ୍ମକ ଭାବଧାରାକୁ ଜନତା ବିଚାର ଭିତରେ ଗୁରୁତ୍ୱ ଦିଆଯାଇଥିଲା।
ଏଭଳି ସବୁ ଆଲୋଚନା ଚର୍ଚା ଭିତରୁ ବିଜେପିର ପଲା ଭାରି ଓ ବିଜେଡି ତଳକୁ ଖସିବା ଅନେକ କାରଣ ନଜରକୁ ଆସୁଛି।ବିଜେଡି ଯେଉଁ ମହିଳା ଭୋଟ ଉପରେ ଅଶା ରଖିଥିଲା ତାକୁ ଏହା ନିରାଶ କରିଛି।ତୃଣମୂଳରେ କାମ କରୁଥିବା ମହିଳା ତୃଣମୂଳ କର୍ମୀ ସହିତ ମହିଳା ସ୍ୱୟଂସହାୟକ ଗୋଷ୍ଠୀ,ଶିକ୍ଷକ,ତୃଣମୂଳ ଲୋକପ୍ରତିନିଧି ପ୍ରମୁଖ ସରକାର ଉପରେ ଆଉ ବିଶ୍ୱାସ କରି ପାରୁନଥିଲେ। ଏହି ସବୁ କାରଣକୁ ନେଇ ବିଜେଡି ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ନେଇ ବିଚାର କରାଯାଉଥିବା ବେଳେ ବିଜେଡି ଏହାକୁ କେତେଦୂର ଗ୍ରହଣ କରିବ ତାହା ଭିନ୍ନ କଥା।

ଏଭିତର ସରକାର ବଦଳିଛି।୨ ଦଳର ଆଭିମୁଖ୍ଯ ମଧ୍ୟ ବଦଳିଛି।ବିଜେପି ଏକ୍ସନ ମୁଡରେ ଥିବା ବେଳେ ବିଜେଡି ଏକ୍ଟିଭ୍ ମୁଡରେ ପହଞ୍ଚିଛି।ଦେଖାଯାଉ ଏହି ୨ ଭାଇ ଅବା ପରଷ୍ପର ବିରୋଧି କୁହାଯାଉଥିବା ୨ ଦଳ ମଧ୍ୟରେ ଆଗକୁ କ’ଣ ରହୁଛି ସଂପର୍କ!