September 29, 2024

ଦୂରାବସ୍ଥାରେ ବସଷ୍ଟାଣ୍ଡସ୍ଥିତ ପରିସ୍ରାଗାର , ଯାତ୍ରୀ ହନ୍ତସନ୍ତ , ପ୍ରତିକାର ଦାବି …

Share

ବୁଗୁଡ଼ା : ତା ୨୮/୦୫/୨୪ : ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡରେ ଏନ୍ଏସି ପକ୍ଷରୁ ନିର୍ମିତ ପରିସ୍ରାଗାର ଅତି ଖରାପ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି । ଆବଶ୍ୟକୀୟ ରକ୍ଷଣାବେକ୍ଷଣର ଅଭାବରୁ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ରହିଥିବା ପରିସ୍ରାଗାର ବ୍ଯବହାର ଅନୁପଯୋଗୀ ହୋଇପଡିଛି । ପାଣିର ଅଭାବ ଏବଂ ଅସ୍ବଚ୍ଛତା ଯୋଗୁଁ ପରିସ୍ରାଗାର ଦୁର୍ଗନ୍ଧର ଆଗାର ପାଲଟିଛି । ଆଭ୍ଯନ୍ତରୀଣ ଅବ୍ଯବସ୍ଥା ସମ୍ପର୍କେ ଅବଗତ ନଥିବା କୌଣସି ଯାତ୍ରୀ ଭୁଲବଶତଃ ପରିସ୍ରା କରିବା ପାଇଁ ଏହା ମଧ୍ୟକୁ ପ୍ରବେଶ କରିଲେ ପରିସ୍ରା କରିବା ବଦଳରେ ବାନ୍ତି କରି ଫେରିବାକୁ ପଡୁଛି । ତେଣୁ ପୁରୁଷ ଯାତ୍ରୀମାନେ ବସଷ୍ଟାଣ୍ଡ ପରିସରସ୍ଥ ପାଚେରୀ କଡରେ ପରିସ୍ରା କରିବାକୁ ବାଧ୍ୟ ହେଉଥିବା ବେଳେ ମହିଳା ଯାତ୍ରୀମାନେ ନାନା ପ୍ରକାର ଅସ୍ବଭାବିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ପ୍ରତ୍ଯେକ ଦିନ ବସଷ୍ଟାଣ୍ଡକୁ ଆସୁଥିବା ଶହ ଶହ ଯାତ୍ରୀ ପରିସ୍ରା କରିବା ପାଇଁ ଏଭଳି ହନ୍ତସନ୍ତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ କୋଣସି ସୁଫଳ ମିଳୁନାହିଁ । ଅବ୍ଯବସ୍ଥିତ ପରିସ୍ରାଗାର ଯୋଗୁଁ ବିଶେଷ କରି ମହିଳା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏନ୍ଏସି କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି ।