ହଟ୍ ସିଟରେ ସମ୍ବଲପୁର:ହେବ ବିଗ୍ ଫାଇଟ
ସମ୍ବଲପୁର:ଆରମ୍ଭରୁ ସମ୍ବଲପୁର ଲୋକସଭା ଆସନରେ ହାଇଭୋଲଟେଜ।ହାଇପ୍ରୋଫାଇଲର ମହା ଲଢେଇ ଦେଖିବାକୁ ମିଳିବ। ଏହି ଆସନରେ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ବିଜେଡି ମଧ୍ୟ ତାର ପ୍ରାର୍ଥୀ ଘୋଷଣା କରି ପ୍ରଣବ ପ୍ରକାଶ ଦାଶ ଓରଫ ବବି ଦାଶଙ୍କୁ ଏହି ମୈଦାନକୁ ଛାଡିଛି।ଅର୍ଥାତ୍ ହଟ ସିଟରେ ଏବେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ।
ସମ୍ବଲପୁର ଆସନର ଗୁରୁତ୍ୱ ରହୁଥିବାରୁ ଏବେ ୨ ହେଭିୱେଟ ନେତାଙ୍କ ହାରଜିତ୍ ସମ୍ମାନର ପ୍ରଶ୍ନ ହୋଇଛି।ଜାତୀୟ ରାଜନୈତିକ ଦଳ କଂଗ୍ରେସ ତାର ପ୍ରାର୍ଥୀ କିଏ ହେବ ସ୍ୱଷ୍ଟ କରିନଥିଲେ ମଧ୍ୟ ବର୍ତ୍ତମାନକୁ ମଇଦାନରେ ଧର୍ମେନ୍ଦ୍ର ବନାମ୍ ପ୍ରଣବ ଲଢେଇ ବିଗ୍ ଫାଇଟର ସୂଚନା ଦେଉଛି।ତେବେ କଂଗ୍ରେସ ପ୍ରାର୍ଥୀ ଦେବାପରେ ଅସଲ ହାରଜିତର ଅଙ୍କ ସହଜ ହୋଇଯିବ।
ଓଡିଶାର ଏହି ପ୍ରମୁଖ ସମ୍ବଲପୁର ଲୋକସଭା ଆସନକୁ ନେଇ କେହି କହିପାରିବ ନାହିଁ ନିଜ ବିଜୟ ସୁନିଶ୍ଚିତ ।ଗତ ୩ ଥରର ନିର୍ବାଚନକୁ ପର୍ଯ୍ୟାଲୋଚନା କଲେ କୌଣସି ଦଳ ବିଜୟର ପୁନରାବୃତ୍ତି ସ୍ୱାଦ ଚାଖିପାରିନାହିଁ।କଂଗ୍ରେସ,ବିଜେଡି ଓ ବିଜେପିର ପ୍ରାର୍ଥୀ ବିଜୟ ହୋଇ ଏହି ଆସନରେ ପ୍ରତିନିଧିତ୍ୱ କରିଛନ୍ତି।ଅର୍ଥାତ୍ ଗତ ୩ ଥର ନୂଆଁ ଦଳର ନେତୃତ୍ୱ ଉପରେ ଭରସା କରିଛି ଏହି ଲୋକସଭା ମଣ୍ଡଳୀ । ଗତ ୨୦୧୯ ନିର୍ବାଚନରେ ବିଜେପିର ନିତେଶ ଗଙ୍ଗଦେବ ୪,୭୩,୭୭୦ ଖଣ୍ଡ ଭୋଟପାଇ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ନଳୀନୀ କାନ୍ତ ପ୍ରଧାନଙ୍କୁ ହରାଇଥିଲେ। ଅବଶ୍ୟ ନଳୀନୀ ମଧ୍ୟ ଭୋଟ ହାରରେ ସେମିତି ବଡ ଅଙ୍କରେ ପଛୁଆ ନଥିଲେ।ସେ ୪,୬୪,୬୦୮ ଭୋଟ ପାଇଥିଲେ। ସେହିପରି ତା ପୁର୍ବଥର ଅର୍ଥାତ୍ ୨୦୧୪ରେ ବିଜେଡିର ନଗେନ୍ଦ୍ର ପ୍ରଧାନ ବିଜେପିର ସୁରେଶ ପୂଝାରୀଙ୍କୁ ହରାଇ ବିଜୟୀ ହୋଇଥିଲେ।ସେତେବେଳେ ନଗେନ୍ଦ୍ର ୩,୫୮,୬୬୧ ଭୋଟ ପାଇଥିବା ବେଳେ ସୁରେଶ ନେଇଥିଲେ ୩,୨୮,୦୪୨ ଖଣ୍ଡ ଭୋଟ।ଏହା ଆଗରୁ କଂଗ୍ରେସର ଅମର ନାଥ ପ୍ରଧାନ ବିଜୟୀ ହୋଇଥିଲେ । ଏହି ସବୁ ବିଗତ ଦିନର ହାରଜିତରେ ଭୋଟହାର ବିଶେଷ ପାର୍ଥକ୍ୟ ନଥିବା ବେଳେ କିନ୍ତୁ ଚଳିତ ନିର୍ବାଚନ ଚୋଚକ ମୋଡରେ ପହଞ୍ଚିବା ଆକଳନ କରାଯାଉଛି। ଉଭୟ ଦଳର ନେତା ସ୍ଥାନୀୟ ଜିଲ୍ଲାର ନୁହଁନ୍ତି। ଜଣେ ପଶ୍ଚିମ ଓଡିଶାର ତ ଜଣେ ଉପକୂଳ ଅଞ୍ଚଳର। ଭୋଟର କାହାକୁ କେମିତି ଗ୍ରହଣ କରିବେ ପଛ କଥା । କିନ୍ତୁ ଉଭୟ ପ୍ରାର୍ଥୀଙ୍କୁ ଉଭୟ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢିଛି।ପ୍ରାର୍ଥୀ ଘୋଷଣା ପରେ ଉଭୟ ଦଳର ନେତା କର୍ମୀ ଉତ୍ସବ ମନାଇଛନ୍ତି।କିନ୍ତୁ ଏହା ଭୋଟରଙ୍କୁ କିଭଳି ପ୍ରଭାବିତ କରିବ ତାହାହିଁ ବଡ ପ୍ରଶ୍ନବାଚୀ। ଏମାନଙ୍କ ଉତ୍ସବ ଦେଖି ଭୋଟରଙ୍କ ଭାବନା କ’ଣ ରହୁଛି ତାହାହିଁ ବଡ କାରଣ ହେବ।
ବିଜେପିର ଧର୍ମେନ୍ଦ୍ର ଗତ ୬ ମାସରୁ ଅଧିକ ସମୟ ଧରି ଏହି ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ କେିବା ଓ ସାମିଲ ହେବାକୁ ନେଇ ସେଯେ ସମ୍ବଲପୁର ରୁ ଠିଆହେବେ ଏହା ଆଗରୁ ଜଣାଥିଲା।ସେହିପରି ଗତ ୩ ମାସ ତଳେ ସମ୍ବଲପୁର ଲୋକସଭା ଆସନରୁ ଯଦି ମୁଖ୍ୟମନ୍ତ୍ରୀ ଓ ଆମ ନେତା ମତେ ସୁଯୋଗ ଦେବେ ନିର୍ବାଚନ ଲଢିବାକୁ ମୁଁ ତୟାର ବୋଲି ପ୍ରଣବ ପ୍ରକାଶ ଦାଶ ଓରଫ ବବି ଭାଇ ଚର୍ଚାର ମଞ୍ଜି ବୁଣିଥିଲେ। ଆଉ ତାହା ଆଜି ଦ୍ରୁମରେ ପରିଣତ ହୋଇଛି।କେବଳ ଦେଖିବାକୁ ବାକିରହିଲା ଦ୍ରୁମ ଆଗକୁ କେତେ ବୃହତକାୟ ଗଛର ରୂପ ଧାରଣ କରିବ!
ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନୁଗୁଲ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସୁଥିବା ବେଳେ ଦେବଗଡର ଦେବଗଡ ଓ ସମ୍ବଲପୁର ଜିଲ୍ଲାର ରେଢାଖୋଲ, କୁଚିଣ୍ଡା,ରେଙ୍ଗାଲି ଓ ସମ୍ବଲପୁର ବିଧାନସଭା କ୍ଷେତ୍ର ଆସୁଛି।ଏହି ୭ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଆଠମଲ୍ଲିକ, ଛେଣ୍ଡିପଦା,ଦେବଗଡ ଓ ରେଢାଖୋଲ ରେ ଚଷା ଜାତିର ଭୋଟରଙ୍କ ସବୁବେଳେ ନିର୍ଣ୍ଣାୟକ ଭୂମିକା ରହିଥାଏ।ଏଥିରେ ଚଷାପୁଅ ହିସାବରେ ଧର୍ମେନ୍ଦ୍ର ନିଜକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ଆସିଥିବା ବେଳେ ଏବେ ପାଇକ ପୁଅ ବବିଙ୍କ ସହିତ ମହାଲଢ଼େଇର ସାମ୍ନା ହେବାକୁ ପଡୁଛି।ଅବଶ୍ୟ କଂଗ୍ରେସ ତାର ପ୍ରାର୍ଥୀ ନାମ ଘୋଷଣା କରିନି। କିନ୍ତୁ ଶୁଣା ଯାଉଛି ଅମରନାଥ ପ୍ରଧାନଙ୍କୁ ରିପିଟ୍ କରୁଛି। ତେବେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଛିଡା ହେବା ସମ୍ଭାବନା ନେଇ ଆଲୋଚନା ହେଉଛି।ଯାହାବି ହେଉ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଧିତା ହେଉଥିବା ନେଇ ଏବେ ବଡ ଚର୍ଚାର ଖୋରାକ ଜମୁଛି। ଆଗକୁ କ’ଣ ହେବ କହିବା ଏବେ ଠାରୁ ସହଜ ନୁହେଁ।କିନ୍ତୁ ଏହି ହାଇଭୋଲଟେଜର ହାଇପ୍ରୋଫାଇଲ ମହାଲଢ଼େଇ ହେଉଥିବାରୁ ଭୋଟର ମଧ୍ୟ ବିଗଫାଇଟର ସୁଯୋଗ ନେବାକୁ ଅନେଇ ରହିଛନ୍ତି। ହଟ୍ ସିଟ୍ ରେ ଏବେ ସମ୍ବଲପୁର ଥିବାରୁ ରାଜନୈତିକ ଉଷ୍ମତା ମଧ୍ୟ ଧିରେ ଧିରେ ବଢ଼ିବା ଆରମ୍ଭ ହୋଇଛି।ସମ୍ବଲପୁର ସ୍ୱାଭିମାନର ମହାଲଢ଼େଇରେ କେଉଁ ଦଳର କ’ଣ ରହୁଛି ରଣକୌଶଳ ତାହା ବର୍ତ୍ତମାନ ଦେଖିବାକୁ ବାକି ରହିଲା।(ରାଜାରାମ ଷଡଙ୍ଗୀ)