May 10, 2026

ଗରମରେ ରେକର୍ଡ ଭାଙ୍ଗିବ ମାର୍ଚ୍ଚ: ଚେତାବନୀ ଦେଲାଣି ଆଇଏମଡି…..  

IMG-20250228-WA0057
Share

 

 

ନୂଆଦିଲ୍ଲୀ (ଦେବାଶିଷ ଦାଶ )

 

ଏଥର ତାତିରୁ ତ୍ରାହି ନାହିଁ । ସବୁ ବର୍ଷର ରେକର୍ଡ ଭାଙ୍ଗିବ । ଜଳିବେ ଦେଶବାସୀ । କିଛି କିଛି ସ୍ଥାନରେ ଫେବୃଆରୀ ତାତି ଅସହ୍ୟ ହୋଇଥିବା ବେଳେ ଏବେ ମାର୍ଚ୍ଚ ମାସ ନେଇ ସତର୍କ କରାଇଲାଣି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚ ମାସର ତାତି ସବୁ ରେକର୍ଡ ଭାଙ୍ଗିବ ବୋଲି ଆଗରୁ ସତର୍କ ଘଣ୍ଟି ବଜାଇଛି ।ଭାରତ ପାଣିପାଗ ବିଭାଗ, ଆଇଏମଡି ଅନୁସାରେ, ଭାରତ ସବୁଠାରୁ ଉଷ୍ମ ମାର୍ଚ୍ଚ ମାସର ସାକ୍ଷୀ ହେବାକୁ ଯାଉଛି ।ମାର୍ଚ୍ଚ ମାସର ଅଧିକାଂଶ ସମୟ, ତାପମାତ୍ରା ହାରାହାରି ଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି । ଯାହାର ସିଧା ପ୍ରଭାବ ପରିପକ୍ୱ ଗହମ ଫସଲ ଉପରେ ପଡିପାରେ । ଫଳରେ ଏହି ମାର୍ଚ୍ଚ ମାସର ଅସହ୍ୟ ଗରମ ଗହମ ଅମଳ ହ୍ରାସ କରିପାରେ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି ଆଇଏମଡି ଅଧିକାରୀ ।

 

ଏଥିସହିତ ଅଡ଼ିକାରୀ ଏହା ବି କହିଛନ୍ତି, ମାର୍ଚ୍ଚ ମାସରେ ଉଭୟ ଦିନ ଏବଂ ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ଏବଂ ଅଧିକାଂଶ ଦିନ ଏହି ସ୍ଥିତି ଦେଖିବାକୁ ମିଳିବ । ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଦିନ ତାପମାତ୍ରା ବୃଦ୍ଧି ପାଇବ। ଅଧିକାଂଶ ରାଜ୍ୟରେ ମାସ ଶେଷ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରି ଟପିବ ବୋଲି ଆକଳନ କରାଯାଇଛି । ବିଶ୍ବର ଦ୍ବିତୀୟ ବୃହତ୍ତମ ଗହମ ଉତ୍ପାଦନକାରୀ ଭାରତ ୨୦୨୫ରେ ପ୍ରଚୁର ଗହମ ଅମଳ ହେବ ବୋଲି ଆଶା ରଖିଥିଲା । ହେଲେ ୨୦୨୨ରୁ ଗହମ ଅମଳ ହ୍ରାସ ପାଉଥିବା‌ ବେଳେ ଚଳିତ ବର୍ଷ ଏହା ସ୍ବାଭାବିକ ରହିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଲଗାତାର ଚତୁର୍ଥ ବର୍ଷ ପାଇଁ ଦେଶ କମ୍‌ ଉତ୍ପାଦନ ସ୍ଥିତିର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପଟେ ରାଜ୍ୟରେ ମଧ୍ୟ ଆଜି ଠାରୁ ରାତି ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୭ ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କୌଣସି ସ୍ଥାନରେ ବର୍ଷାର ସମ୍ଭାବନା ନାହିଁ। ତେବେ ମାର୍ଚ୍ଚ ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ୩ ଓ ୪ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ଫୁଲବାଣୀ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରି ଡେଇଁଯିବ । ସେହିପରି ପୁରୀ, ପାରାଦୀପ, ଚାନ୍ଦବାଲି, ଗୋପାଳପୁର, ଛତ୍ରପୁର, ପାର‌ଳାଖେମୁଣ୍ଡି ପରି ସହରରେ ସର୍ବନିମ୍ନ ପାରଦ ୨୪ ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଗତକାଲି ବୌଦ୍ଧ ଓ ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଥିବା ବେଳେ ଝାରସୁଗୁଡ଼ାରେ ୩୫.୬, ଟିଟିଲାଗଡ଼ରେ ୩୫.୫, ସମ୍ବଲପୁରରେ ୩୫.୩, ନବରଙ୍ଗପୁରରେ ୩୫ ଡିଗ୍ରି ରହିଥିଲା ।