‘ଓଡିଶା ବନ୍ଦ’ ଡାକରାରେ ଭବାନୀପାଟଣାରେ ବନ୍ଦ ସମ୍ପୂର୍ଣ ସଫଳ..

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଓଡ଼ିଶାରେ ଚଳିତ ଡବଲ ଇଂଜିନ ସରକାରଙ୍କ ଆଦୁରଦର୍ଶି ନୀତି ଏବଂ ଏହାର ଆଳରେ ସରକାରୀ କର୍ମଚାରିଙ୍କ ଦୁର୍ନୀତି ଯୋଗୁଁ ବର୍ତ୍ତମାନ ସମଗ୍ର ଓଡିଶା ବାସୀ ଅତିଷ୍ଠ ହୋଇପଡିଲେଣି। ଖାସ କରି କୃଷି ପ୍ରଧାନ ଓଡିଶା ରାଜ୍ୟର ଆର୍ଥିକ ମେରୁଦଣ୍ଡ କୃଷି ଥିବାବେଳେ, ଚଳିତ ସରକାର ସେହି ମେରୁଦଣ୍ଡ ଭାଙ୍ଗିବାରେ ଲାଗିପଡିଛନ୍ତି। ସରକାରୀ ନୀତି ଓ ଦୁର୍ନୀତି ଯୋଗୁଁ ଓଡିଶାର କୃଷକ ଭାଇ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସ୍ଥାନରେ ମଣ୍ଡି ଗୁଡିକ ଖୋଲି ନଥିବାବେଳେ, ଯେଉଁଠି ମଣ୍ଡି ଖୋଲା ଯାଇଛି, ସେଠି ଚାଷୀଙ୍କୁ ନିୟମାନୁଯାୟୀ ଟୋକନ ମିଳୁନି ଏବଂ ଯାହାକୁ ଟୋକନ ମିଳିଛି, ମଣ୍ଡିରୁ ତାହାର ଧାନ ଉଠୁନାହିଁ। ଚାଷୀଭାଇ ମାନେ ଧାନ ଉଠିବା ଆଶା ନେଇ ଶୀତ କାକରରେ ଦିନ ରାତି ମଣ୍ଡିରେ ପଡିରହିଛନ୍ତି। କିନ୍ତୁ ଏହାର ଶୀଘ୍ର ସମାଧାନକୁ ନେଇ ସରକାରଙ୍କ କୌଣସି ପଦକ୍ଷେପ ନେବା ନଜରରେ ଆସୁନାହିଁ। ଏପରି ପରିସ୍ଥିତି ଉପୁଜିବାର ସମ୍ଭାବନାକୁ ନେଇ କଳାହାଣ୍ଡି, କେସିଙ୍ଗା ମିଲର୍ସ ସଂଘ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଲିଖିତ ଭାବରେ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଗତ କିଛି ମାସ ପୂର୍ବରୁ ଚେତାଇଥିବାବେଳେ, ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ଚେତା ପଶିନାହିଁ।
ବିଗତ ସରକାରଙ୍କ ଦୀର୍ଘ କାଳର ସୁଶାସନରେ ଓଡିଶାରେ ବିଭିନ୍ନ ପ୍ରକାରର କୃଷି କ୍ଷେତ୍ରରେ ଉନ୍ନତି ସହ ଅନ୍ୟାନ୍ୟ ଉନ୍ନୟନ ମୁଳକ କାର୍ଯ୍ୟ ଗୁଡିକ ସହ ନାରୀ ସଶକ୍ତି କରଣ ଉପରେ ଗୁରୁତ୍ୱ ଦେଇ ସୁଭଦ୍ରା ଯୋଜନା ଆରମ୍ଭ କରି ଯୋଗ୍ୟ ବିବେଚିତ ମହିଳାଙ୍କ ତାଳିକା ପୂର୍ବରୁ ଜାରି କରିଥିବାବେଳେ, ଠିକ ସମୟରେ ନିର୍ବାଚନରେ ଅତି ଆଶ୍ଚର୍ଯ୍ୟ ଜନକ ଭାବରେ ସରକାର ବଦଳିବା ସହ, ଚଳିତ ସରକାର ଏକା ଥରକେ ଦଶ ପାଦ ଆଗକୁ ଡେଇଁ ସୁଭଦ୍ରା ଯୋଜନାକୁ ପଣ୍ଡ କରିବା ଉପରେ ବସିଲେଣି। ସୁଭଦ୍ରା ଯୋଜନାରେ ଟଙ୍କା ପକାଇବାକୁ ଅର୍ଥ ନଥିବାବେଳେ, ଅର୍ଥ ଯୋଗାଡ଼ର କିଛି ଉପାୟ ନଦିଶିବାରୁ, ଯାନବାହାନ ଗୁଡିକ ଉପରେ ପ୍ରଦୂଷଣ ଠାରୁ ଆରମ୍ଭ କରି ହେଲମେଟ ଉପରେ ମାତ୍ରାଧିକ ଫାଇନ ପକାଇବା ନେଇ ସାଧାରଣରେ ଚର୍ଚ୍ଚା ଓ ଘୋର ଅସନ୍ତୋଷର ବିଷୟ ପାଲଟିଛି।
ଏହାଛଡା ପୁଞ୍ଜିପତିଙ୍କ ଦଲାଲ ସାଜିଥିବା ଏହି ସରକାର ରାଜ୍ୟର ଆକର୍ମଣ୍ୟ ବିଦ୍ୟୁତ ବିଭାଗକୁ ଟାଟା ପାୱାର ହାତରେ ଅର୍ପଣ କରିବା ପରେ, ଟାଟା ପାୱାର ବର୍ତ୍ତମାନ ଘରେ ଘରେ ଯୋରଜବରଦସ୍ତ ଭାବରେ ଟଙ୍କା ଟାଣିବା ସ୍ମାର୍ଟ ମିଟର ଲଗାଇ ମନଇଚ୍ଛା ଟଙ୍କା ଶୋଷଣ କରିଚାଲିଥିବାବେଳେ, ସରକାରଙ୍କ ପାଇଁ ଏହା ଅନ୍ୟ ଏକ ଜନ ଅସନ୍ତୋଷର କାରଣ ପାଲଟିଛି।
ଏସବୁ ସମସ୍ୟା ଗୁଡିକୁ ନେଇ,ମଣ୍ଡି ବ୍ୟବସ୍ଥାରେ ଶୀଘ୍ର ସୁଧାର ଆଣିବା, ଯାନବାହାନ ଗୁଡିକ ଉପରୁ ମନଇଛା ଫାଇନକୁ ବନ୍ଦ କରିବା ନେଇ, ଟାଟା ପାୱାରର ସ୍ମାର୍ଟ ମିଟର ଶୋଷଣ କରିଚାଲିଥିବା ନେଇ ଏବଂ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀଙ୍କ ଗୁଣ୍ଡା ଆକ୍ରମଣର ପ୍ରତିବାଦରେ ‘ନବ ନିର୍ମାଣ କୃଷକ ସଂଘ’ ତରଫରୁ ଆଜି ପାଇଁ ୮ ଘଣ୍ଟିଆ ‘ଓଡିଶା ବନ୍ଦ’ ଡାକରା ଦିଆଯାଇଥିଲା। ଏହାର ସମର୍ଥନରେ ଓଡିଶା ପି.ସି.ସି ସଭାପତି ଶ୍ରୀ ଭକ୍ତଚରଣ ଦାସ, ଓଡିଶାର ସମସ୍ତ ଜିଲ୍ଲା କଂଗ୍ରେସ କମିଟିକୁ ସମର୍ଥନ ଜଣାଇବା ପାଇଁ ନିର୍ଦେଶ ଦେଇଥିଲେ। ଏହି ୮ ଘଣ୍ଟିଆ ‘ଓଡିଶା ବନ୍ଦ’ ର ପ୍ରଭାବ ଆଜି ଭବାନୀପାଟଣାରେ ସମ୍ପୂର୍ଣ ଭାବରେ ସଫଳ ହୋଇଥିବା ଦେଖିବାକୁ ମିଳିଛି। ସହରର ଘୋଡା ଘାଟ ଛକ ଠାର, ନବ ନିର୍ମାଣ କୃଷକ ସଂଘ ଏବଂ ଏହାକୁ ସମର୍ଥନ କରି ଜିଲ୍ଲା କଂଗ୍ରେସ କମିଟି ଓ ‘ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି’ ସଂଗଠର ସମର୍ଥନରେ ଆଜି ସକାଳ ୬ ଟା ରୁ ୨ ଟା ପର୍ଯ୍ୟନ୍ତ ରାସ୍ତା ରୋକ କରାଯାଇ, ଚାଷ ବଞ୍ଚାଅ, ଚାଷୀ ବଞ୍ଚାଅ ଓ ଦେଶ ବଞ୍ଚାଅ ଆଦି ସ୍ଲୋଗାନ ଦେଇ ସମ୍ପୂର୍ଣ ରାସ୍ତା ରୋକ କରାଯାଇଥିଲା ଏବଂ ଏହାକୁ ସମର୍ଥନ କରି ଭବାନୀପାଟଣା ସହରର ସମସ୍ତ ଦୋକାନ ବଜାର,ପେଟ୍ରୋଲ ପମ୍ପ, ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା ଏବଂ ସମସ୍ତ ଯାନ ବାହାନ, ଭାରିଯାନ, ଯାତ୍ରିବାହୀ ବସ ଗୁଡିକ ବନ୍ଦ ରହିଥିଲା।
