November 27, 2024

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି

Share

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛ। ଏହି ଦିବସ ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଡ. ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ ଶିକ୍ଷାର୍ଥିମାନେ ଉପସ୍ଥିତ ରହି ବାବାସାହେବ ଙ୍କୁ ସମ୍ମାନ ପ୍ରଦାନ କରିଥିଲେ। ପରେ ଉଭୟ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ଓ ଲୋକପ୍ରଶାସନ ବିଭାଗ ମିଳିତ ଭାବେ ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ। ଏହି ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜିତ ହୋଇଥିଲା। ଲୋକପ୍ରଶାସନ ବିଭାଗର ସଂଯୋଜକ ଶ୍ରୀ ସଞ୍ଜୟ ମେହେର୍ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସମୟରେ ରାଜନୀତି ବିଜ୍ଞାନ ବିଭାଗର ସଂଯୋଜକ ଡ. ସାରଦା ପ୍ରସନ୍ନ ରାଉତ କାର୍ଯ୍ୟକ୍ରମର ପରିଚାଳନା କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରଥମେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ରାଜେଶ ସେଠ୍ ଉକ୍ତ ଆଲୋଚନାଚକ୍ର ର ବିଷୟବସ୍ତୁର ପରିଚୟ ପ୍ରଦାନ କରି ସେଥି ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ପରେ ଆମନ୍ତ୍ରିତ ମୁଖବକ୍ତା ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ଆଲୋଚ୍ୟ ବିଷୟ “ଭାରତରେ ସାମ୍ବିଧାନିକତାର ପୁନର୍ଚିନ୍ତନ” ସମ୍ପର୍କରେ ଆଲୋଚନା କରିବାକୁ ଯାଇ ସମ୍ବିଧାନ ପ୍ରତି ସୃଷ୍ଟି ହେଉଥିବା ଆହ୍ୱାନ ଏବଂ ସେଗୁଡିକର ସମାଧାନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହାଛଡା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ସାମ୍ବିଧାନିକ ମହତ୍ତ୍ୱ ଏବଂ ମୂଲ୍ୟବୋଧ ସମ୍ପର୍କରେ ମତ ପୋଷଣ କରିଥିବା ବେଳେ , ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଦେଶରେ ସମ୍ବିଧାନର ଗୁରୁତ୍ୱ ସମ୍ପର୍କରେ ମତ ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ଓ ଲୋକପ୍ରଶାସନ ବିଭାଗ ଅଧ୍ୟାପକ ଓ ଅଧ୍ୟାପିକା, ଅନ୍ୟ ବିଭାଗର ଅଧ୍ଯାପକ ଓ ଅଧ୍ୟାପିକା ଏବଂ ବହୁ ବିଭାଗର ଶିକ୍ଷାର୍ଥୀ ମାନେ ଉପସ୍ଥିତ ରହିଥିଲେ। ପରିଶେଷରେ ଡ. ସୌମେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।