October 7, 2024

ଟଙ୍କା ଦେଣନେଣକୁ ନେଇ ତେଜରାତି ଦୋକାନୀକୁ ହତ୍ଯା ଅଭିଯୋଗ

Share

ଟଙ୍କା ଦେଣନେଣକୁ ନେଇ ତେଜରାତି ଦୋକାନୀକୁ ହତ୍ଯା ଅଭିଯୋଗ
ବୁଗୁଡ଼ା : ତା ୨୭/୧୦/୨୩ : ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ ଅନ୍ତର୍ଗତ ଝାଡ଼ପଡା ଗାଁ ନିକଟସ୍ଥ ଏକ ବିଲ ମାଳରୁ ଉଦ୍ଧାର କରାଯାଇଥିବା ଜନୈକ ବ୍ଯକ୍ତିଙ୍କ ମୃତ ଦେହକୁ ପୋଲିସ ଜବତ କରିଥିବା ବେଳେ ଏନେଇ ମୃତକଙ୍କ ପରିବାର ପକ୍ଷରୁ ହତ୍ଯା ଅଭିଯୋଗ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ କରଚୁଲି ଗ୍ରାମର ସୁଶାନ୍ତ ପାତ୍ର(୪୮) । ପୋଲିସ ଏ ନେଇ କେସ୍ ନଂ ୭୯୦/୨୩ ରେ ଏକ ମାମଲା ରୁଜୁଷ କରିଥିବା ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କ ଠାରୁ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ , କରଚୁଲି ପଞ୍ଚାୟତର କିରିଆମ୍ବା ଗ୍ରାମରେ ତେଜରାତି ଦୋକାନ କରିଥିବା ସୁଶାନ୍ତଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ କିରିଆମ୍ବା ଗ୍ରାମର କିଛି ଲୋକ ଟଙ୍କା ଦେଣନେଣକୁ ନେଇ ଗଣ୍ଡଗୋଳ କରିବା ସହ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏଥିରେ ଭୟଭୀତ ହୋଇ ସୁଶାନ୍ତ ତାଙ୍କର ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକଙ୍କ ସହ ଗ୍ରାମବାସୀ କିରିଆମ୍ବା ଗାଁକୁ ଗଲାବେଳେ ଝାଡ଼ପଡା ଗାଁ ନିକଟ ରାସ୍ତା କଡରେ ସୁଶାନ୍ତଙ୍କ ବାଇକଟି ଥୁଆ ହୋଇଥିବାର ଦେଖିବାକୁ ପାଇଲେ । ସେମାନେ କିରିଆମ୍ବା ଗାଁରେ ପହଞ୍ଚି ସୁଶାନ୍ତଙ୍କ ସମ୍ପର୍କରେ ପଚାରିବାରୁ ସେ ଫେରିଯାଇଥିବା କଥା ଗାଁର କିଛି ଲୋକ କହିଥିଲେ । କରଚୁଲି ଗ୍ରାମବାସୀ କିରିଆମ୍ବା ଗାଁ ଲୋକଙ୍କ କଥାକୁ ସନ୍ଦେହ କରି ଆଖପାଖ ଅଞ୍ଚଳରେ ଟର୍ଚ୍ଚ ଲାଇଟ୍ ଧରି ବହୁ ସମୟ ଖୋଜାଖୋଜି ପରେ ରାତି ଘଣ୍ଟେ ବେଳକୁ ଏକ ବିଲମାଳରେ ସୁଶାନ୍ତଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସୁଶାନ୍ତଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସାଙ୍ଗକୁ ବେକ ପାଖ ଫୁଲି ଯାଇଥିବା ଦେଖିବାକୁ ମିଳିଥିଲା । ଏ ନେଇ ଖବର ପାଇବା ପରେ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଘଟଣା ସ୍ଥଳରେ ଏଏସପି ପ୍ରଫୁଲ ଚନ୍ଦ୍ର ବଡଜେନା ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଥିବା ଜଣାଯାଇଛି ।