March 10, 2026

ଅର୍ଥାଭାବ ଓ ପରିବାରର କଷ୍ଟକୁ ସହିପାରିଲେନି: ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ସ୍ବାମୀ

IMG-20250527-WA0077
Share

 

ଖନ୍ତାପଡା ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ପଣପଣା ପଂଚାୟତ ମାଲଦାପଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ଆଜି କେହି ନଥିବା ବେଳେ ଘର ଛାତ ଉପରକୁ ଯାଇ ବେକରେ ଦଉଡ଼ି ଗୁଡ଼ାଇ ଓହଳି ପଡ଼ିଥିଲେ ପଦ୍ମଲୋଚନ।

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ହରିହର ବେହେରାଙ୍କ ପୁତ୍ର ପଦ୍ମଲୋଚନ (୪୫)। ପଦ୍ମଲୋଚନ ଗତ ତିନି ମାସ ତଳେ ବାଇକ ଦୁର୍ଘଟଣାରେ ଆହତ ହୋଇଥିଲେ। ସେବେଠାରୁ ପଦ୍ମଲୋଚନ ଚାଲିପାରୁନଥିଲେ। ପଦ୍ମଲୋଚନଙ୍କ ପତ୍ନୀ ସମସ୍ତ ଟଙ୍କା ଖର୍ଚ୍ଚକରି ସ୍ୱାସ୍ଥ୍ୟ ଅବସ୍ଥା ସୁଧାରି ଆଣିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଜେ କଷ୍ଟ ପାଉଥିବା ବେଳେ ପରିବାର ଦୁଃଖ କଷ୍ଟକୁ ଆଖିରେ ଦେଖି ସହି ପାରୁନଥିଲେ। କାରଣ ଘରେ ଏକ ମାତ୍ର ରୋଜଗାରିଆ ଥିଲେ। ସେ ନିଜେ ଜଣେ ହେଡ ପକା ମିସ୍ତ୍ରୀ ଭାବେ କାର୍ଯ୍ୟକରୁଥିବା ବେଳେ ଦୁଇଟି ସନ୍ତାନ ସହିତ ପରିବାର ପ୍ରତି ପୋଷଣ କରୁଥିଲେ। ପୁଅ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ଚତୁର୍ଥ ଶ୍ରେଣୀରେ ପଢେ। ମାତ୍ର ପରିବାରର ଏପରି ଅସହାୟ ଅବସ୍ଥାକୁ ସହି ନପାରି ଘରେ ଆଜି କେହି ନଥିବା ବେଳେ ଘର ଛାତ ଉପରକୁ ଯାଇ ବେକରେ ଦଉଡ଼ି ଗୁଡ଼ାଇ ଓହଳି ପଡ଼ିଥିଲେ।

ପରିବାର ଲୋକେ ପଦ୍ମଲୋଚନ ଓହଳି ଥିବାର ଜାଣିପାରି ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣା ସ୍ଥଳରେ ଶବକୁ ଜବତ କରିବା ସହିତ ୨୪/୨୫ ଏକ ଅପମର୍ତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛି। ଅନ୍ୟପଟେ ଅସହାୟ ପରିବାର ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପଦ୍ମଲୋଚନଙ୍କ ଏପରି ଅଦିନରେ ଚାଲିଯିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସରକାରଙ୍କ ତରଫରୁ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି.