March 10, 2026

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ମହାରାଷ୍ଟ୍ର ଦମ୍ପତି

IMG-20250527-WA0028
Share

ପାରଳାଖେମୁଣ୍ଡି, ତା. ୨୭.୦୫.୨୦୨୫

ଆଜି ଗଜପତି ଜିଲ୍ଲାରୁ ୭୦ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ମୁମ୍ବାଇ, ମହାରାଷ୍ଟ୍ରର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପ୍ରାୟ ତିନିମାସ ତଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଶିଶୁଙ୍କୁ, ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ଶାଲୋମ ଅନୁଷ୍ଠାନ, ରାଣିପେଟାଠାରେ ରଖି ଯତ୍ନ ଓ ସୁରକ୍ଷା ପ୍ରଦାନ କରାଯାଉଥିଲା। ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଶିଶୁଟିକୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁଟିର ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା, ଯାହାଦ୍ବାରା ଶିଶୁଟି ପୋଷ୍ୟ ସନ୍ତାନ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା।

ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ ୩ ବର୍ଷରୁ ଉର୍ଦ୍ଧ ସମୟ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଉକ୍ତ ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦମ୍ପତ୍ତି ଶାରିରୀକ ସ୍ତରରେ ଶିଶୁଟିକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଉକ୍ତ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ଶିଶୁଟିର ବୟସ ୩ ମାସ, ଶିଶୁକନ୍ୟା ହୋଇଥିବାବେଳେ, ଶିଶୁଟିକୁ ପାଇ ଉକ୍ତ ଦମ୍ପତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।

ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରୀପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଗଜପତି ରୁ ଲମ୍ବୋଦର ସାହୁ ଙ୍କ ରିପୋର୍ଟ