March 30, 2025

ଗୋ ଶାଳା କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଚଳାଉଛନ୍ତି,ମୁଁ କିଛି ନୁହେଁ କହିଲେ ଜଗୁନି ଭାଇ ..

Share

 

 

ପୁରୀ – ହଁ ଆଜ୍ଞା ଆମେ କହିବାକୁ ଚାହୁଁଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ଦାସମହାପାତ୍ର ଓରଫ ଜଗୁନି ଭାଇଙ୍କ ଗୋଶାଳା ବିଷୟରେ l ଜଗୁନି ଭାଇ ନିଜ ଘର ପାଖରେ ଦୁଇଶହରୁ ଉର୍ଦ୍ଧ ଦେଶିଗାଇ, ହରିୟାନା ଗାଇ, ଜର୍ସି ଗାଇ ସହିତ ବିଭିନ୍ନ ରକମର ଦୁଇଶହରୁ ଉର୍ଦ୍ଧ ଗାଇ ରଖି ଏକ ସୁନ୍ଦର ଗୋଶାଳା କରିଛନ୍ତି l ଜଗୁନି ଭାଇଙ୍କ କହିବାନୁସାରେ ଯେତେବେଳେ ସେ ସ୍କୁଲରେ ପାଠ ପଢୁଥିଲେ ତାଙ୍କ ବାବା ଏକ ଛୋଟ ଗୋଶାଳା କରିଥିଲେ l ଜଗୁନି ଭାଇ ଦିନେ ବିଦ୍ୟାଳୟ ରୁ ଫେରିବା ବାଟରେ ଦୁଇଶହ ଟଙ୍କା ଦେଇ ଏକ ଗାଇ କିଣି ଆଣିଥିଲେ l ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଗୋସେବାରେ ନିଜକୁ ନିୟୋଜିତ କରିଛନ୍ତି ଜଗନ୍ନାଥ ସ୍ୱାଇଁ ଦାସମହାପାତ୍ର l ତାଙ୍କ କହିବାନୁସାରେ ତାଙ୍କ ଗୋଶାଳାରେ ଯେତେଜଣ କାମ କରୁଛନ୍ତି ମହାମାରୀ କୋଭିଡ ରୋଗ କାହାକୁ ସ୍ପର୍ଶ କରିନି l ଏହି ଗୋଶାଳା ରେ ପ୍ରତିଦିନ ଦଶଜଣ କର୍ମୀଙ୍କ ସହିତ ଜଗୁନି ଭାଇ ନିଜେ ମିଶି ଗୋସେବା କରୁଛନ୍ତି l ତାଙ୍କ କହିବାନୁସାରେ ଗୋସେବା କରିବା ଦ୍ୱାରା କୌଣସି ଦୁରାରୋଗ ସ୍ପର୍ଶ କରିବନାହିଁ l କୂଅ ପାଣିରେ ଗାଧୋଇବା, ଗୋସେବା କରି ସେ ବିପୁଳ ଆତ୍ମଶାନ୍ତି ପାଉଛନ୍ତି l ଏହି ଗୋଶାଳାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତ ମାନଙ୍କ ସାହାଯ୍ୟରେ ଚଳାଉଛନ୍ତି l କର୍ମୀମାନଙ୍କ ଭରଣପୋଷଣ ଏବଂ ଗୋମାତାଙ୍କ ସେବାରେ ପ୍ରତିମାସରେ ଅଢେଇ ଲକ୍ଷରୁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସବୁ ଜଗନ୍ନାଥ କରୁଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜଗନ୍ନାଥ ସ୍ୱାଇଁ ଦାସମହାପାତ୍ର l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ