ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର
ବୁଗୁଡା : ତା ୨୭/୦୧/୨୫ : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଦୂତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର କୁମାର ମାଲାମ୍ , ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ନାୟକ, ଜିପିଡିଓ ଲଛମନ କଅଁର ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ଭାରପ୍ରାପ୍ତ ଏପିଓ ତୁଷାର ରଞ୍ଜନ ପ୍ରଧାନ ଆର୍ଥିକ ବର୍ଷ ୨୦୨୪-୨୫ର ମନରେଗା ସମ୍ପର୍କିତ ବିବରଣୀ ପଠନ କରିଥିଲେ। ଏଥିରେ ମନରେଗା ସମ୍ପର୍କିତ ଅନୁମୋଦିତ ପ୍ରକଳ୍ପ ସଂଖ୍ୟା-୨୮୨୧ , କାର୍ଯ୍ୟ କରାଯାଇଥିବା ପ୍ରକଳ୍ପ ସଂଖ୍ୟା – ୩୨୮ , ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ସଂଖ୍ୟା – ୧୮ , ପ୍ରାପ୍ତ ଅନୁଦାନ – ୩ କୋଟି ୮୦ ଲକ୍ଷ ୨୦ ହଜାର ଟଙ୍କା , ଖର୍ଚ୍ଚ କରାଯାଇଥିବା ଅର୍ଥର ପରିମାଣ – ୩ କୋଟି ୮୦ ଲକ୍ଷ ୨୦ ହଜାର ଟଙ୍କା , ମୋଟ ପଞ୍ଜିକୃତ ପରିବାର ସଂଖ୍ୟା – ୧୮୩୮୫ , ମୋଟ ଜବକାର୍ଡଧାରୀଙ୍କ ସଂଖ୍ୟା – ୧୮୩୮୫ , କାର୍ଯ୍ଯ ଆବେଦନ କରିଥିବା ପରିବାର ସଂଖ୍ୟା – ୮୧୨୨ , କାର୍ଯ୍ଯରେ ଯୋଗ ଦେଇଥିବା ପରିବାର ସଂଖ୍ୟା – ୮୧୧୩ , ଶହେ ଦିନର କାର୍ଯ୍ଯ କରିଥିବା ପରିବାର ସଂଖ୍ୟା – ୪୨, ସୃଷ୍ଟି କରାଯାଇଥିବା ଶ୍ରମ ଦିବସ ସଂଖ୍ୟା – ୧୯୪୬୮୧ ଏବଂ ଗ୍ରହଣ କରାଯାଇଥିବା ଅଭିଯୋଗ ସଂଖ୍ୟା ଶୂନ୍ଯ ବୋଲି ଉଲ୍ଲେଖ କରାଯାଇଥିଲା। ଅନ୍ଯପକ୍ଷରେ ଉପସ୍ଥିତ କେତେକ ଜନପ୍ରତିନିଧି ସେମାନଙ୍କ ପଞ୍ଚାୟତ ସମେତ ବ୍ଲକର ୨୧ଟି ପଞ୍ଚାୟତରୁ ୧୧ଟିରେ କାହିଁକି ଉନ୍ନୟନ କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରଶ୍ନ ଉତଥାପନ କରାଯାଇଥିଲା ବେଳେ କୌଣସି ଉତ୍ତର ମିଳିପାରିନଥିଲା। ଏଥି ସହ ବାଲିପଦର ଜୋନ୍ ପ୍ରତି ସ୍ଥାନୀୟ ଉଦ୍ଯାନ କୃଷି ବିଭାଗ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗର ଅଣଦେଖା ପ୍ରତି ଅଭିଯୋଗ ହୋଇଥିଲା। ଉଭୟ ବିଭାଗର କାର୍ଯ୍ୟ କେବଳ କାଗଜପତ୍ରରେ ସୀମିତ ବୋଲି ମଧ୍ଯ ଅଭିଯୋଗ ହୋଇଥିଲା । ସେହିପରି ବନ ବିଭାଗୀୟ ଅଧିକାରୀଙ୍କ ବଦଳରେ ଯୋଗ ଦେଇଥିବା କର୍ମଚାରୀ ଜଣକ ବିଭାଗୀୟ ସମ୍ପାଦିତ କାର୍ଯ୍ୟର ତଥ୍ଯ ସଠିକ ଭାବେ ଉପସ୍ଥାପନ କରିନପାରିବାରୁ ଅପଦସ୍ଥ ହେବାକୁ ପଡିଥିଲା। ଏ ଅବସରରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ବ୍ଲକର ସମସ୍ତ ପଞ୍ଚାୟତରେ ପହଞ୍ଚି ସରକାରୀ ଉନ୍ନୟନ କାର୍ଯ୍ୟର ତଦାରଖ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ଶିବିରରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ କିମ୍ବା ପ୍ରତିନିଧି , ଜନପ୍ରତିନିଧି , କର୍ମଚାରୀଗଣ ଉପସ୍ଥିତ ରହିଥିଲେ।