May 20, 2025

ଭାରତ ବିଶ୍ବ ରେ ଏକ କ୍ରିୟାଶୀଳ ପ୍ରଜାତନ୍ତ୍ର ଭାବରେ ଉଭା ହୋଇଛି:ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେ

Share

ଆମ ଦେଶର ସମ୍ବିଧାନ ର ମୂଳ ମନ୍ତ୍ର ନ୍ୟାୟ, ସ୍ବାଧୀନତା, ସମାନତା ଓ ଭାଇଚାରା।ଏଥିପାଇଁ ଭାରତ ସମଗ୍ର ବିଶ୍ୱ ରେ ଏକ କ୍ରିୟାଶୀଳ ପ୍ରଜାତନ୍ତ୍ର ଭାବେ ଉଭା ହୋଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ ପୁରୀ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ, ପାରେଡ ପରିଦର୍ଶନ ଓ ଅଭିବାଦନ ଗ୍ରହଣ କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ ସ୍ୱାଧୀନତା ଆନ୍ଦୋଳନର ସଂଗ୍ରାମୀ ମାନଙ୍କ ପ୍ରତି ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ଓ ଆମ ସମସ୍ତଙ୍କ ସମନ୍ୱୟରେ ୨୦୩୬ ସୁଦ୍ଧା ଉତ୍କର୍ଷ ଓଡିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ହୋଇ ପାରିବ ବୋଲି କହିଥିଲେ।ନୂତନ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରୁଛନ୍ତି।ସରକାର ଗଠନ ହେବା ପରେ ପରେ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିର ୪ ଦ୍ଵାର ଖୋଲାଯିବା ସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା କରିଛନ୍ତି।ସୁଭଦ୍ରା ଯୋଜନା ରେ ଏକ କୋଟି ମହିଳା ଙ୍କୁ ୪୦୦ କୋଟି ଟଙ୍କା ବିତରଣ କରାଯାଇଛି ଓ ଚଳିତ ମାର୍ଚ୍ଚ ସୁଦ୍ଧା ସମସ୍ତଙ୍କୁ ୨ ୟ ପର୍ଯ୍ୟାୟ ଅର୍ଥ ପ୍ରଦାନ କରାଯିବ।କୃଷକ ମାନଙ୍କୁ ଇନପୁଟ ସବସିଡ ହିସାବରେ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ହିସାବରେ ପ୍ରାୟ ୨ ହଜାର କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି।ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ଛାତ ଉପରେ ସୋଲାର ପ୍ରୋଜେକ୍ଟ ପାଇଁ ଅତିରିକ୍ତ୨୫ ହଜାର ଟଙ୍କା ଦେବାକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି।ପ୍ରଥମ ଥର ପାଇଁ ଅଦିନିଆ ବର୍ଷା କୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯାଇ ସହଯୋଗ ମିଳିଛି।ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରେ ଭାରତ ର ୨୯ ହଜାରରୁ ଅଧିକ ହସପିଟାଲ ରେ କ୍ୟାସଲେସ ଚିକିତ୍ସା ର ସୁବିଧା କରାଯାଇଛି।ସାମାଜିକ ସୁରକ୍ଷା ଯୋଜନା ରେ ୮୦ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ ଓ ୮୦ ଭାଗରୁ ଅଧିକ ଥିବା ଭିନ୍ନକ୍ଷମ ଙ୍କୁ ସହାୟତା ରାଶି ୧୨୦୦ ରୁ ୩୫୦୦ ଟଙ୍କା କୁ ବୃଦ୍ଧି କରାଯାଇଛି।ରାଜ୍ୟ ରେ ଜାତୀୟ ଶିକ୍ଷା ନିତି ଲାଗୁ କରାଯାଇଛି।ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ରେ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାର୍ଷିକ ୫ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି।୧୮ ତମ ପ୍ରବାସୀ ଭାରତୀୟ ଦିବସ ସଫଳ ଭାବେ ରାଜ୍ୟ ଆୟୋଜନ କରିଛି।ଚଳିତ ମାସ ୨୮ ଓ ୨୯ ତାରିଖରେ ଓଡ଼ିଶାକୁ ଶିଳ୍ପର ହବ କରିବାକୁ ଉତ୍କର୍ଷ ଓଡ଼ିଶାର ଆୟୋଜନ କରାଯାଇଛି ବୋଲି ଶ୍ରୀ ସିଂହ ଦେଓ କହିବା ସହ ମିଳିମିଶି ଓଡ଼ିଶା କୁ ସର୍ବଶ୍ରେଷ୍ଠ ରାଜ୍ୟ ରେ ପରିଣତ କରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପାଇଁ ୧୭ ଜଣ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଉପ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।ସେହିପରି ପ୍ୟାରେଡ଼ ରେ ସିନିୟର ଡିଭିଜନ ଏନସିସିରେ ଏସ ସି ଏସ କଲେଜ, ଜୁନିୟର ଏନସିସିର ପୋଲିସ ହାଇସ୍କୁଲ ଓ ବିଶ୍ବମ୍ଭର ବିଦ୍ୟାପୀଠ, ସ୍କାଉଟରେ ଭୋଳାନାଥ ବିଦ୍ୟାପୀଠ ଗାଇଡରେ ବ୍ଲେସ୍ଡ଼ ସାକ୍ରାମେଣ୍ଟ ହାଇସ୍କୁଲ, ସିଭିଲିଆନରେ ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିର ଓ ବ୍ଲେସଡ ସାକ୍ରାମେଣ୍ଟ ହାଇସ୍କୁଲ ଓ ଶୃଙ୍ଖଳାରେ ସରକାରୀ ମହିଳା ମହାବିଦ୍ୟାଳୟ ଏନ ସି ସି ଦଳଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା।ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ଓ ପୋଷାକ, ମୁଖ୍ୟ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।ଗୋପବନ୍ଧୁ ଆୟୁର୍ବେଦିକ କଲେଜ ପରିସରରେ ରେଡକ୍ରସ ଶାଖା, ଭାରତ ବିକାଶ ପରିଷଦ, ବଡଶଙ୍ଖ ଯୁବ ସାଂସ୍କୃତିକ ପରିଷଦ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭାପତି ସ୍ୱାପ୍ନାରାଣୀ ସ୍ୱାଇଁ,ଏସ ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ରାଜ କିଶୋର ଜେନା, ପୌରନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଡିଏମଓ ଡା ରୂପ ଭାନୁ ମିଶ୍ର,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା।ଗାନ୍ଧୀ ଘାଟ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ