March 10, 2026

ବିଜେଡି ବିଧାୟକ ଦଳ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ

IMG-20251126-WA0080
Share

 

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

 

ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅପାରଗତା ଉପରେ ବିଧାନ ସଭାରେ ସ୍ୱର ଉଠାଇବ ବିଜେଡି ।

 

ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ସ୍କାମ ଆଦି ବିଭିନ୍ନ ବିଷୟରେ ସରକାରଙ୍କଠାରୁ ଉତ୍ତର ମାଗିବ ବିଜେଡି।

 

ବିଜେଡି ବିଧାୟକ ଦଳର ବୈଠକ ଆଜି ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଉଦ୍‌ବୋଧନ ଦେଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡି ପଡିଛି । ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦର ଠାରୁ ଆରମ୍ଭ କରି ଖୋର୍ଦ୍ଧା, ବାଘମାରୀ ଓ କଟକ SCB Medical College ରେ ନିକଟରେ ଘଟି ଯାଇଥିବା ନାରୀ ନିର୍ଯ୍ୟାତନା ଘଟଣା ଅତ୍ୟନ୍ତ ପୀଡା ଦାୟକ । ଏଭଳି ସମ୍ବେଦନଶୀଳ ଘଟଣା ସରକାରଙ୍କର ଅପାରଗତାକୁ ପଦାରେ ପକାଇଛି । ଏତେ ଘଟଣା ପରେ ଏ ସରକାରର ନିଦ କେବେ ଭାଙ୍ଗିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ ।

ସେହିପରି ଶାନ୍ତି ଓ ସଦ୍‌ଭାବ ପାଇଁ ସୁନାମ ଥିବା ଓଡିଶାରେ ସାଂପ୍ରଦାୟିକ ଉତ୍ତେଜନା ବଢି ଚାଲିଥିବା ବେଦନା ଦାୟକ । ଗତ ୧୮ ମାସ ଭିତରେ ରାଜ୍ୟରେ ସ୍ଥିତିରେ ଅବନତି ଘଟିଛି । ନିକଟରେ କଟକ ସହରରେ ଦୁର୍ଗାପୂଜା ସମୟରେ ଘଟି ଯାଇଥିବା ଦଙ୍ଗା ଓଡିଶାର ମୁଣ୍ଡ ତଳକୁ କରିଦେଇଛି ବୋଲି ଶ୍ରୀ ପଟ୍ଟନାୟକ ଖେଦୋକ୍ତି ପ୍ରକାଶ କରିଥିଲେ ।

ଶ୍ରୀ ପଟ୍ଟନାୟକ କହିଲେ ଯେ ଆଜି ରାଜ୍ୟରେ ଚାଷୀ ଓ ମହିଳାମାନେ ସବୁଠାରୁ ଅଧିକ ଦୁଃଖରେ ଅଛନ୍ତି । ସରକାର ନା ଚାଷୀଙ୍କୁ ଠିକ୍‌ ସମୟରେ ସାର ଯୋଗାଇ ପାରୁଛନ୍ତି, ନା ମିଶନ ଶକ୍ତି ମା’ ମାନଙ୍କୁ ଋଣ ସହାୟତା ଦେଇ ପାରୁଛନ୍ତି । ଚାଷୀ ଓ ମିଶନ ଶକ୍ତି ମା’ ମାନଙ୍କ ପ୍ରତି ସରକାରଙ୍କର ଉଦାସୀନତାର ଦୃଢ ବିରୋଧ କରାଯିବ ବୋଲି ସେ କହିଥିଲେ ।

ରାଜ୍ୟରେ ଚାଲିଥିବା ବିଜେପି ସରକାରକୁ ଚାଷୀ, ମହିଳା ଓ ଯୁବ ବର୍ଗର ବିରୋଧୀ ବୋଲି ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କ୍ଷମତାକୁ ଆସିବା ପରେ ବିଜେପି ସରକାର ଏ ପର୍ଯ୍ୟନ୍ତ ଗୋଟିଏ ବି ନିଯୁକ୍ତି ପରୀକ୍ଷା ତ୍ରୁଟି ଶୂନ୍ୟ ଭାବରେ ପରିଚାଳନା କରିପାରି ନାହାନ୍ତି । ଯାହାକି ଯୁବ ବର୍ଗ ମଧ୍ୟରେ ହତାଶା ସୃଷ୍ଟି କରିଛି ।

ତେଣୁ ଜନସାଧାରଣ ସମ୍ମୁଖୀନ ହେଉଥିବା ଏହି ସବୁ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ହେବାକୁ ପଡିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ବିରୋଧୀ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପଶ୍ଚିମ ଓଡିଶାରେ ଧାନ ସଂଗ୍ରହ ନେଇ ଦେଖା ଦେଇଥିବା ସମସ୍ୟା ବିଷୟ ଉଠାଇଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ବିଭିନ୍ନ ଆଳରେ ଗରୀବ ଲୋକଙ୍କ ରାସନ କାର୍ଡ କାଟିବା ପାଇଁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବିରୋଧୀ ଦଳ ନେତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଗୃହରେ ବିରୋଧୀ ଦଳର ରଣନୀତି ଉପରେ ଆଲୋକପାତ କରିବା ସହିତ ଆସନ୍ତା କାଲି ମାନ୍ୟବର ରାଷ୍ଟ୍ରପତିଙ୍କ ବିଧାନସଭା କାର୍ଯ୍ୟକ୍ରମ ସମ୍ପର୍କରେ ସଭ୍ୟମାନଙ୍କୁ ଅବଗତ କରିଥିଲେ।