November 15, 2024

ସ୍ଥାନୀୟ ସମସ୍ୟା ନେଇ ବେଦାନ୍ତ ଅଧିକାରୀଙ୍କୁ ଦାବୀପତ୍ର ..

Share

    ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଗ୍ରାମର ବଡ଼ପଡ଼ାବାସୀ ବିଭିନ୍ନ ସମସ୍ୟା ନେଇ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ବଡ଼ପଡ଼ା ନିକଟସ୍ଥ ବଂଶଧାରା ନଦୀରେ ଏକ ପୋଲ ନିର୍ମାଣ, ଶିବ ମନ୍ଦିରରୁ ବଡ଼ପଡ଼ା ଶେଷମୁଣ୍ଡ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ଗାର୍ଡ଼ୱାଲ ଓ ଡ୍ରେନ ନିର୍ମାଣ, ବଡ଼ପଡ଼ା ଶେଷମୁଣ୍ଡରୁ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ମହିଳା ଗୋଷ୍ଠୀ ଓ ଜନସାଧାରଣଙ୍କ ପାଇଁ ଦୁଇଟି କମ୍ୟୁନିଟି ହଲ ନିର୍ମାଣ, କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଓ ଠିକା କାର୍ଯ୍ୟରେ ଅଗ୍ରାଧିକାର ଆଦି ଅନ୍ୟତମ l ଦାବିପତ୍ର ଦେବା ସମୟରେ ବ୍ଲକ ଉପାଧ୍ୟକ୍ଷ୍ୟ ସଂଜୀବ ନାୟକ, ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କ ସମେତ ବଡ଼ପଡ଼ା ଡେଭଲପମେଣ୍ଟ କମିଟି ପକ୍ଷରୁ ସଭାପତି ମାଲେଶ ନାଏକ, ସମ୍ପାଦକ ପରମାନନ୍ଦ ନାଏକ, ହରେକୃଷ୍ଣ ତାଣ୍ଡି, ମହାଦେବ ହରିଜନ, ରୋଶନ ନାଏକ, ଥବିର ନାଏକ, ଖିତ ନାଏକ, କିରଣ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଦାବୀପତ୍ରର ନକଲ ଲାଞ୍ଜିଗଡ଼ ସରପଞ୍ଚ, ବିଡିଓ, କଳାହାଣ୍ଡି ଜିଲ୍ଲାପାଳ ଓ ବିଧାୟକଙ୍କୁମଧ୍ୟ ପ୍ରେରଣ କରାଗଲା l ଯଦି ଦଶ ଦିନ ମଧ୍ୟରେ ଦାବି ମୁତାବକ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ, ତାହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତେଇ ଦିଆଯାଇଛି l

ଏଠାରେ କହିରଖୁ ଯେ, ବେଦାନ୍ତ କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ଯେଉଁସବୁ ପ୍ରତିଶୃତି ଦେଇଥିଲା, ତାହା ଆଦୌ କାର୍ଯ୍ୟକାରୀ କରିନାହିଁ l ପାରିପାର୍ଶ୍ଵିକ ଉନ୍ନତିର ନାମ ନାହିଁ l ଲାଞ୍ଜିଗଡ଼ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରାସ୍ତା ଘାଟର ଅବସ୍ଥା ସହିତ ପରିବେଶ ଯେପରି ଶୋଚନୀୟ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ l ଏ କଥା ସମସ୍ତେ ଜାଣନ୍ତି ଯେ, ବେଦାନ୍ତ ବିଜ୍ଞାପନ ଦ୍ୱାରା ଏ ଅଞ୍ଚଳର ଯେଉଁ ସବୁ ବିକାଶର ଚିତ୍ର ଦେଖାଉଛି ସେ ସବୁ ସମ୍ପୂର୍ଣ୍ଣ ମିଥ୍ୟା l ଯଦି ଆମ ସରକାର ବେଦାନ୍ତ କମ୍ପାନୀ ଦ୍ୱାରା ଏ ଅଞ୍ଚଳର ବିକାଶ କରାଇବାକୁ ଚାହାନ୍ତି, ତାହେଲେ କମ୍ପାନୀ ଦେଇଥିବା ପ୍ରତିଶୃତି ଅନୁଯାୟୀ ସମସ୍ତ କାର୍ଯ୍ୟ କରିବାକୁ କମ୍ପାନୀ ଉପରେ ଚାପ ପ୍ରୟୋଗ କରନ୍ତୁ l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର