July 1, 2024

ଗଜପତି:- ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ୨୦୨୪ ପାଳନ ଅବସରରେ ବିଭିନ୍ନ ସଚେତନତା ଧର୍ମି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସକାଳ ସମୟରେ ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରିଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଜିଲ୍ଲାପାଳ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ଏହି ସଚେତନତା ପଦଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଏଥିରେ ଶତାଧିକ ସଂଖ୍ୟାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ବିଭିନ୍ନ ପ୍ଲା-କାର୍ଡ ଓ ବ୍ୟାନର ଧରି ବିଭିନ୍ନ ସଚେତନତା ଧର୍ମୀ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।
ପୂର୍ବାହ୍ନରେ ଏହି ଅବସରରେ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ସମେତ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ବିଭାଗୀୟ ଜିଲ୍ଲା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ , ଏସପି: ସ୍ଵାତୀ ଏସ: କୁମାର , ଡିଏଫଓ: ଶ୍ରୀ ଏସ: ଆନନ୍ଦ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ ଏବଂ ସିଡ଼ିଏମଓ: ଡ଼ାଃ ଏମ: ମୁବାରକ ଅଲ୍ଲୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ନିଶା’ର ଅପବ୍ୟହାର ଓ ଅବୈଧ କାରବାର ଯୋଗୁଁ ଏହା ସମାଜ ଉପରେ କିଭଳି କୁପ୍ରଭାବ ପକାଇଥାଏ , ତାର ବିଭିନ୍ନ ଦିଗ ସମ୍ପର୍କରେ କହି ନିଶାମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଦ୍ବାରା ହିଁ ସମ୍ଭବ ହୋଇପାରିବ ବୋଲି କହିଥିଲେ ।
ଏହି ଅବସରରେ ନିଶା ଛାଡି ଜିଲ୍ଲା ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହୋଇ ନିଶା କବଳରୁ ମୁକ୍ତ ହେବା ସହ ସମାଜରେ ଏକ ସୁସ୍ଥ ଓ ସୁନ୍ଦର ଜୀବନ ଯାପନ କରୁଥିବା ୨ ଜଣ ବ୍ୟକ୍ତି ଶ୍ରୀ ବନମାଳୀ ବରାଡ ଏବଂ ଶ୍ରୀ ହିମାଂଶୁ ଶେଖର ସାମଲଙ୍କୁ ପୁଷ୍ପଗୁଚ୍ଛ , ପୁରସ୍କାର ଓ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରାଯିବା ସହ ପୂର୍ବରୁ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରବନ୍ଧ ଲିଖନ , ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ ଜିଲ୍ଲା ନିଶାସକ୍ତ ପୁନଃବାସ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ବିଷ୍ଣୁପଦ ମିଶ୍ରଙ୍କ ଲିଖିତ ଏକ ନାଟକ ଯାହାକି , ନିଶା ସେବନ ଯୋଗୁଁ ପରିବାର କିଭଳି ଉଜୁଡ଼ି ଯାଇଥାଏ ସେ ସମ୍ପର୍କିତ ଏକ ସଚେତନତା ଧର୍ମି ନାଟକ ପୋଲିସ ବିଭାଗ କର୍ମଚାରୀ ମାନେ ଶ୍ରୀ ରାଜୁ ପାଢ଼ାଲଙ୍କ ନିର୍ଦ୍ଦେଶନାରେ ପରିବେଷଣ କରିଥିଲେ ।
ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶ୍ରୀମତୀ ଉତ୍ସର୍ଗିତା ବଡ଼ରଇତ , ରୀଙ୍କୁ ମହାରଣା , ଶେଷଗିରି ବେହେରା , ସୁମନ ମିଶ୍ର , ଗୌରବ ରବିନ ରଇତ ଏବଂ ୱାଇ: ଅନୁଷା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————–