November 15, 2024

ନକଲି ନିଯୁକ୍ତି ପତ୍ର ଦେଇ ଠକେଇ ଅଭିଯୋଗ ଘଟଣା , ଅଙ୍ଗନବାଡି ଦିଦି ଗିରଫ ,ଗିରଫ ସଂଖ୍ୟା ୪ ହେଲା 

Share

 

ବୁଗୁଡ଼ା : ତା ୨୫/୦୮/୨୪ : କୋର୍ଟରେ ଜୁନିୟର୍ ଟାଇପିଷ୍ଟ ପଦ ପାଇଁ ନକଲି ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଠକାମୀର ଶିକାର ହୋଇଥିବା ଯୁବକ ସମେତ ୩ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାରେ ଆଜି ଜଣେ ଅଙ୍ଗନଓ୍ବାଡି କର୍ମୀକୁ ବୁଗୁଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ମହିଳା ହେଲେ ଭଞ୍ଜନଗର ଥାନା ସାନ ତୁଳସୀପଲ୍ଲୀ ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ଏ. ଦେବକୀ ପାତ୍ର l ତାଙ୍କଠାରୁ ଡାଏରୀ , ମୋବାଇଲ ଫୋନ ଇତ୍ୟାଦି ଜବତ ହୋଇଛି l ଦେବକୀ ଚାକିରି ଆଶାୟୀମାନଙ୍କ ସହ ଡିଲ୍ କରି ଅଗ୍ରୀମ ଟଙ୍କା ନେଉଥିଲେ ଏବଂ ସେଥିରୁ ତାଙ୍କ କମିଶନ ରଖି ବାକି ଟଙ୍କା ଅଭିଯୁକ୍ତ ଟୁଲୁ ପାଣିଗ୍ରାହୀକୁ ଦେଉଥିଲେ ବୋଲି ପୋଲିସ କହିଛି l ସୂଚନା ଅନୁସାରେ ବୁଗୁଡ଼ାର ପ୍ରଭାତ କୁମାର ପାତ୍ର ବିଟେକ ପଢା ସାରି ଚାକିରି ଅନ୍ୱେଷଣରେ ଥିବା ବେଳେ ସେ ଗତ ବର୍ଷ ଜୁଲାଇ ମାସରେ ସମ୍ପର୍କୀୟ ରମେଶ ପାତ୍ରଙ୍କ ଜରିଆରେ ଟୁଲୁ ପାଣିଗ୍ରାହୀକୁ ଯୋଗାଯୋଗ କରିଥିଲେ ଏବଂ ଟୁଲୁ ଚାକିରି କରାଇଦେବ କହି ୬ ଲକ୍ଷ ଟଙ୍କାର ଡିଲ୍ କରିଥିଲା l ଚାକିରି ଆଶାରେ ପ୍ରଭାତ ଟୁଲୁଙ୍କୁ ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ବଳକା ଟଙ୍କା ଚାକିରି ହେବା ପରେ ଦେବେ ବୋଲି କଥା ଛିଣ୍ଡି ଥିଲା l ଗତ ଜୁଲାଇ ୯ ତାରିଖରେ ବୁଗୁଡ଼ା ଅଦାଲତରେ ଟାଇପିଷ୍ଟ ପଦବୀରେ ଚାକିରି ପାଇଥିବା ଏବଂ ଚଳିତ ଅଗଷ୍ଟ ୭ ତାରିଖରେ ବୁଗୁଡ଼ା ଅଦାଲତରେ ଆବଶକୀୟ ପ୍ରମାଣପତ୍ର ଦାଖଲ କରି ଚାକିରିରେ ଯୋଗ ଦେବାକୁ ରେଜିଷ୍ଟ୍ ପୋଷ୍ଟରେ ନିଯୁକ୍ତି ପତ୍ର ପାଇବା ପରେ ଆଉ ୨ ଲକ୍ଷ ୭୧ ହଜାର ଟଙ୍କା ଟୁଲୁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଭାତ ପଠାଇବା ସହ ଖୁସିରେ ପୂଜାପାଠ କରି ସାହି ପଡୋଶୀଙ୍କୁ ମିଠାଇ ବାଣ୍ଟି ସୁଟ୍ ବୁଟ୍ ପିନ୍ଧି ଗତ ୭ ତାରିଖରେ ନିଯୁକ୍ତି ପତ୍ରକୁ ଧରି ବୁଗୁଡ଼ା ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ପହଞ୍ଚିଥିଲେ । ଯାଞ୍ଚ ବେଳେ କୋର୍ଟର କର୍ମଚାରୀମାନେ ନିଯୁକ୍ତି ପତ୍ରକୁ ନକଲି ବୋଲି ଦର୍ଶାଇ ଥିଲେ ।ବୁଗୁଡ଼ା ଜେଏମଏଫସି ମାଜିଷ୍ଟ୍ରେଟ ଏହି ନିଯୁକ୍ତି ପତ୍ର ଦେଖିବା ପରେ ଏହା ନକଲି ହୋଇଥିବାଜାଣି ବୁଗୁଡ଼ା ଥାନାକୁ ଖବର ଦେଇଥିଲେ l ଏ ନେଇ ବୁଗୁଡ଼ା ଥାନା ପକ୍ଷରୁ କେସ୍ ନଂ ୩୯୮/୨୪ ରେ ଏକ ମାମଲା ରୁଜୁ ହୋଇ ପୂର୍ବରୁ ଠକେଇ ଗ୍ୟାଙ୍ଗର ରମେଶ ପାତ୍ର, ଟୁଲୁ ପାଣିଗ୍ରାହୀ ଓ ପ୍ରଭାତ କୁମାର ପାତ୍ରକୁ ଗିରଫ କରିଥିବା ବେଳେ ଆଜି ଦେବକୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ଠାରୁ ପ୍ରକାଶ ପାଇଛି ।