କାରକୁ ଧକ୍କା ଦେଲା ବାଇକ୍ , ୧ ମୃତ, ୧ ଗୁରୁତର
ବୁଗୁଡା : ତା ୨୫/୦୮/୨୪ : ବୁଗୁଡା – ନୟାଗଡ ରାଜ୍ଯ ରାଜପଥର ନୂଆଗାଁ ଛକ ନିକଟରେ ଏକ କାରକୁ ଧକ୍କା ଦେଇ ବାଇକ୍ ଚାଳକ ମୃତ୍ଯୁ ବରଣ କରିଥିବା ବେଳେ ଅନ୍ଯ ଆରୋହୀ ଜଣକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ମୃତକ ଜଣକ ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ଶମ୍ଭୁନାଥ ଗୌଡ (୨୦) ଓ ଗୁରୁତର ଜଣକ ସେହି ଗାଁର ସରୋଜ ସେଠୀ (୧୮)ବୋଲି ଜଣାଯାଇଛି । ପ୍ରକାଶ ଯେ , ଆଜି ସକାଳେ ଶମ୍ଭୁ ଓ ସରୋଜ ଏକ ପଲସର୍ ବାଇକରେ ଅତି ଦ୍ରୁତ ଗତିରେ ଗାଁରୁ ବୁଗୁଡାକୁ ଆସୁଥିଲେ ଏବଂ ସାମନା ପଟୁ ନୟାଗଡ ଅଭିମୁଖେ ଏକ କାର ଯାଉଥିଲା । କାର୍ ଚାଳକ ସାମନା ପଟୁ ଦ୍ରୁତ ଗତିରେ ଆସୁଥିବା ବାଇକକୁ ଦେଖି ବ୍ରେକ୍ ମାରି ରହିଯାଇଥିଲେ ସୁଦ୍ଧା ବାଇକଟି ପ୍ରବଳ ବେଗରେ ଆସି କାରଟିର ବାମ ପଟକୁ ଧକ୍କା ଦେଇ ଫୋପାଡି ହୋଇଯାଇଥିଲା । ଦୁର୍ଘଟଣାରେ ବାଇକ୍ ସହ ଶମ୍ଭୁ ଓ ସରୋଜ ବହୁ ଦୂରରେ ଫୋପାଡି ହୋଇ ପଡିଥିଲା ବେଳେ ଶମ୍ଭୁର ବାମ ହାତଟି କଟି ଯାଇ କାର ଭିତରେ ରହିଯାଇଥିଲା । ସ୍ଥାନୀୟ ଲୋକେ ସେ ଦୁହିଁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ଶମ୍ଭୁନାଥଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ଯପକ୍ଷରେ ପିପୁଲ୍ସ କଲେଜର +୩ କଳାର ଦ୍ବିତୀୟ ବର୍ଷ ଛାତ୍ର ସରୋଜର ବାମ ଗୋଡ ଭାଙ୍ଗି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଓ କାର(ନଂ-ଓଡି ୦୭ – ୬୬୦୦)କୁ ଜବତ କରିବା ସହ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇଥିବା ବେଳେ ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ଏସ୍ଆଇ ଅର୍ଜୁନ କହଁର ନିୟୋଜିତ ଥିବା ଜଣାଯାଇଛି।