ପାକିସ୍ତାନରେ ଆତଙ୍କୀ ହମଲା– ରକ୍ତରେ ଭିଜିଲା ବିବାହ ଉତ୍ସବ, ଆତ୍ମଘାତୀ ବିସ୍ଫୋରଣରେ ୭ ମୃତ
ଇସଲାମାବାଦ(ବ୍ୟୁରୋ)ଉତ୍ତର-
ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଏକ ଭୟଙ୍କର ଆତଙ୍କବାଦୀ ଘଟଣା ଘଟିଛି।ଯାହା ସମଗ୍ର ଦେଶକୁ ଥରାଇ ଦେଇଛି।ଖାଇବର ପଖତୁନଖ୍ୱାରେ ଆତଙ୍କବାଦୀଙ୍କ ବଢୁଥିବା ଆକ୍ରମଣ ଘଟଣା ମଧ୍ୟରେ ଏକ ବିବାହ ଉତ୍ସବକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଟାର୍ଗେଟ କରିଛନ୍ତି।ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୭ ଜଣଙ୍କ ଜୀବନ ଯାଇଛି।ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଧିକାରୀଙ୍କ ସୂତ୍ର ଅନୁଯାୟୀ ଲୋକ ମାନେ ଉତ୍ସବ ପାଳନ କରୁଥିବା ବେଳେ ଏହି ଆକ୍ରମଣ ଘଟିଥିଲା ବୋଲି କହିଛନ୍ତି।ଡେରା ଇସମାଇଲ ଖାନ ଜିଲ୍ଲାରେ ସରକାର ସମର୍ଥକ ସମ୍ପ୍ରଦାୟ ନେତା ନୁର ଆଲାମ ମେହସୁଦଙ୍କ ବାସଭବନରେ ଏକ ବିବାହ ସମୟରେ ଏହି ଆତ୍ମଘାତୀ ଆକ୍ରମଣ ଘଟିଥିଲା।ବିସ୍ଫୋରଣ ସମୟରେ ଘର ଭିତରେ ଅତିଥି ମାନଙ୍କର ଭିଡ଼ଥିଲା।ସ୍ଥାନୀୟ ପୋଲିସ ମୁଖ୍ୟ ଆଦନାନ ଖାନ ନିଶ୍ଚିତ କରିଛନ୍ତି ଯେ ଆକ୍ରମଣକାରୀ ଭିଡ଼ର ସୁଯୋଗ ନେଇ ବୋମା ବିସ୍ଫୋରଣ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀ କହିବା ଅନୁସାରେ ବିବାହ ଉତ୍ସବରେ ଲୋକ ମାନେ ସଙ୍ଗୀତର ତାଳେ ତାଳେ ନାଚୁଥିଲେ ଓ ଖାଦ୍ୟର ମଜା ନେଉଥିଲେ। ହଠାତ୍ ଜୋରରେ ବିସ୍ଫୋରଣ ହୋଇଥିଲା।ଲୋକଙ୍କ ଚିତ୍କାର ସହିତ ସମଗ୍ର ଅଞ୍ଚଳ କଳା ଧୂଆଁ ବ୍ୟାପି ଯାଇଥିଲା।ଉତ୍ସବ ସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଲୋକେ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବା ପାଇଁ ଦୌଡ଼ା ଦୌଡ଼ି କରିବାକୁ ଲାଗିଥିଲେ।
ଆହତଙ୍କ ଅବସ୍ଥା ସଙ୍କଟାପନ୍ନ
ବିସ୍ଫୋରଣ ପରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ହସ୍ପିଟାଲ ସୂତ୍ର ଅନୁଯାୟୀ ୨୫ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ।କର୍ତ୍ତୃପକ୍ଷ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।ଆହତଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ଯୋଗାଇବା ପାଇଁ ଡାକ୍ତରଙ୍କ ଏକ ଦଳକୁ ନିୟୋଜିତ କରାଯାଇଛି।ସନ୍ଦେହ ଘେରରେ ଟିଟିପି ଆତ୍ମଘାତୀ ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଆନୁଷ୍ଠାନିକ ଭାବରେ ନିଜକୁ ଦାୟୀ କରି ନାହାନ୍ତି।କିନ୍ତୁ ସନ୍ଦେହ ତେହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି)ଆଡ଼କୁ ଇଙ୍ଗିତ କରୁଛି।ଗତ କିଛି ବର୍ଷ ଧରି ଟିଟିପି ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଓ ସରକାରୀ ସମର୍ଥକ ମାନଙ୍କୁ ଟାର୍ଗେଟ କରି ବାରମ୍ବାର ଆକ୍ରମଣ କରିଆସୁଛି।ଏହି ଆକ୍ରମଣ ଟିଟିପିର କାମ କି ନାହିଁ ତାହା ଜାଣିବା ପାଇଁ ପୁଲିସ ଓ ସୁରକ୍ଷା ଏଜେନ୍ସି ଗୁଡ଼ିକ ଘଟଣାର ତଦନ୍ତ କରୁଛନ୍ତି।
ଆକ୍ରମଣ ପୁଣିଥରେ ଖାଇବର ପଖତୁନଖ୍ୱା ଭଳି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ଓ ଗୁଇନ୍ଦା ବିଫଳତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।ସରକାର ସମର୍ଥକ ନେତା ମାନଙ୍କୁ ଟାର୍ଗେଟ କରିବା ସୂଚାଇ ଦେଉଛି ଯେ ଆତଙ୍କବାଦୀ ମାନେ ସ୍ଥାନୀୟ ସମ୍ପ୍ରଦାୟରେ ଭୟ ସୃଷ୍ଟି କରିବାକୁ ଚାହୁଁଛନ୍ତି।ଅଞ୍ଚଳରେ ଉତ୍ତେଜନା ବିସ୍ଫୋରଣ ପରେ ଡେରା ଇସମାଇଲ ଖାନ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ପୁଲିସ ତଥା ସୁରକ୍ଷାକର୍ମୀ ମୁତୟନ କରାଯାଇଛି।ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି। ସନ୍ଦିଗ୍ଧ ଲୋକଙ୍କୁ ଧରିବା ପାଇଁ ଏକ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି।କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ ଓ ଯେକୌଣସି ସନ୍ଦେହ ଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ସୁରକ୍ଷା ବାହିନୀକୁ ରିପୋର୍ଟ କରିବାକୁ ନିବେଦନ କରିଛନ୍ତି।
