ନଭେମ୍ବର 27 ତାରିଖ ଠାରୁ ତିନିଦିନ ଧରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆୟୋଜିତ ହେବ ଓଡିଶା ଗବେଷଣା ସମ୍ମିଳନୀ-2025: ଯୋଗ ଦେବେ ରାଜ୍ୟର 17ଟି ବିଶ୍ଵବିଦ୍ୟାଳୟରୁ 657 ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ

ଭଞ୍ଜବିହାର, ନଭେମ୍ବର 24, 2025: ରାଜ୍ୟ ଗବେଷଣା ମହାକୁମ୍ଭ କହୁଯାଉଥିବା ଓଡିଶା ଗବେଷଣା ସମ୍ମିଳନୀର ପଞ୍ଚମ ସଂସ୍କରଣକୁ ଚିଳତବର୍ଷ ଆୟୋଜନ କରୁଛି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ। ନଭେମ୍ବର 27 ତାରିଖଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅଧିନରେ ଥିବା 17ଟି ବିଶ୍ଵବିଦ୍ୟାଳୟର 657 ଜଣ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ ଯୋଗ ଦେଉଛନ୍ତି। ଏହାପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନସା ବିଶ୍ୱବିଦ୍ୟାଳୟ,ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଫକିରମୋହନ ବିଶ୍ୱବିଦ୍ୟାଳୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଚଳିତବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏହି ସମ୍ମିଳନୀକୁ ଆୟୋଜନ କରୁଥିବା ବେଳେ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ସମ୍ମିଳନୀରେ ଯୋଗଦେଉଥିବା ଗବେଶକଙ୍କ ସଂଖ୍ୟା ସର୍ବାଧିକ । ଯାହାକି ଓଡିଶା ଗବେଷଣା ସମ୍ମିଳନୀର ଏକ ସର୍ବକାଳିନ ରେକର୍ଡ। ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଏଣ୍ଡ ଇନୋଭେସନ ଫେଲୋସିପ ପ୍ରୋଗ୍ରାମ ଅଧିନରେ ଗବେଷଣା ବୃତ୍ତି ପାଉଥିବା 257 ଜଣ ଗବେଷକଙ୍କ ସହ ଡିଏସଟି, ଏସଇଆରବି, ଆଇସିଏସଏସଆର, ବିଆରଏନଏସ, ଡିଏଇ, ଡିବିଟି ଆଦି ପ୍ରମୂଖ ଅନୁଷ୍ଠାନରୁ ଗବେଷଣା ବୃତ୍ତି ପାଉଥିବା 4ଶହ ଗବେଷକ ଓ ଅଧ୍ୟାପକ ଯୋଗ ଦେଉଛନ୍ତି। ସମ୍ମିଳନୀରେ ଗବେଷଣା ସାରାଶଂ ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂ ଏହାର ଉବଲବ୍ଧତା ସଂପର୍କରେ ବିସୃତ ଆଲୋଚନା ସହ ବିଭିନ୍ନ ପେଟେଣ୍ଟ, ଷ୍ଟାର୍ଟଅପ ଇନୋଭେସନର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଗବେଷଣାତ୍ମକ ସମ୍ମିଳନୀରେ 8ଟି ବୈଷୟିକ ଅଧିବେଶନ ସହ ରାଜ୍ୟରେ ଗେବଷଣାର ଅଗ୍ରଗତି ସଂପର୍କରେ ସବିଶେଷ ଆଲୋଚନା ହେବ। ଏହାସହ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ଗବେଷଣାର ଦିଗ ଓ ଏହାର ସଫଳ ରୂପାୟନ ସଂପର୍କରେ ଶିକ୍ଷାବିତ, ବୈଜ୍ଞାନିକ, ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ବିଶେଷଜ୍ଞମାନେ ମିଳିତ ଭାବେ ବିଚାରବିମର୍ଶ କରିବେ। ଏଥିରେ ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟର କାର୍ଯ୍ୟରତ କୂଳପତି, ପୂର୍ବତନ କୁଳପତି, ଜାତୀୟସ୍ତର ବୈଷୟିକ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ, ପ୍ରମୂଖ ଶିଳ୍ପ ସଂସ୍ଥାର ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ ମାନେ ଯୋଗ ଦେଉଛନ୍ତି। ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ଏଡିଟୋରିୟମରେ ଉଭୟ ଉଦଘାଟନୀ ଓ ସମାପନ ଉତ୍ସବ ସହ ବିଭିନ୍ନ ବୈଷୟିକ ଅଧିବେଶନ ଆୟୋଜନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ଷ୍ଟାଡିୟମରେ ଗବେଷଣା ସାରାଶଂକୁ ନେଇ ପୋଷ୍ଟର ପ୍ରଦର୍ଶନ କରାଯିବ। ସମ୍ମିଳନୀର ଉଦଘାଟନି ତଥା ସମାପନ ଉତ୍ସବରେ ଯୋଗ ଦେବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ଥାନୀୟ ବିଧାୟକ ତଥା ବିଣିଜ୍ୟ, ପରିବହନ,ଷ୍ଟିଲ ଓ ଖଣିଜ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଓ ସ୍ଥାନୀୟ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଉଦଘାଟନି ଉତ୍ସବରେ ଯୋଗ ଦେବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୂଖ ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ହାଇଦ୍ରାବାଦ ସ୍ଥିତ କେନ୍ଦ୍ରିୟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଭାରତୀୟ ସମାଜ ବିଜ୍ଞାନ ଗବେଷଣା ପରିଷଦର ସଦସ୍ୟ ସଚିବ ପ୍ରଫେସର ଧନଞ୍ଜୟ ସିଂହ ପ୍ରମୂଖ ଯୋଗ ଦେବା ପାଇଁ ସମ୍ମତି ଦେଇସାରିଛନ୍ତି। ସେହିପରି ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥିଭାବେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶଦାତା ପଦ୍ମଶ୍ରୀ ଏ.ପି. ଦାଶ ଯୋଗ ଦେବା ପାଇଁ ସମ୍ମତି ଜଣାଇଛନ୍ତି। ସମ୍ମିଳନୀକୁ ସଫଳ ରୂପାୟନ କରିବା ପାଇଁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଅଧ୍ୟକ୍ଷତା 11ଟି କମିଟି ଗଠନ କରାଯାଇଛି। ଏଥିରେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚ୍ଚିଦନନ୍ଦ ନାୟକ, ବିତ୍ତିୟ ନିୟନ୍ତ୍ରକ ଅଶୋକ ଧାଙ୍ଗଡମାଝି ପ୍ରମୂଖ ଅଛନ୍ତି। ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କୁ ସମ୍ମିଳନୀର ନୋଡାଲ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ବିରିଷ୍ଠ ପ୍ରଧ୍ୟାପକମାନଙ୍କୁ ନେଇ ବିଭିନ୍ନ ଟିମ ଗଠନ କରାଯାଇଛି। ଓଡିଶା ଗବେଷଣା ସମ୍ମିଳନୀରେ ରାଜ୍ୟର କୋଣଅନୁକୋଣରୁ ଗବେଷକମାନେ ଯୋଗ ଦେଉଥିବା ରୁ ସେମାନଙ୍କ ରହଣି, ଖାଦ୍ୟପେୟ, ଗମନାଗମନ, ସୁରକ୍ଷା ଆଦି ପାଇଁ ବ୍ରହ୍ମୁପୁର ବିଶ୍ଵବଦ୍ୟାଳୟ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଗବେଷକମାନେ ନଭେମ୍ବର 27 ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପହଞ୍ଚି ପଞ୍ଜିକରଣ କରିବା ପରେ ବିଭିନ୍ନ ଅଧିବେଶନ ତଥା ପୋଷ୍ଟର ପ୍ରଦର୍ଶନ କରିବା ପାଇଁ ସୂଚନା ପାଇପାରିବେ। ସନ୍ଧ୍ୟାରେ ଅଂଶଗ୍ରହଣକାରୀଙ୍କ ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯକ୍ରମର ବ୍ୟବସ୍ଥା କରାଯାଇଛି।
