November 15, 2024

ଅରବିନ୍ଦ ନଗର ପେଭର ରାସ୍ତାରେ ପାଣି ଜମୁଛି, ପ୍ରତିକାର ଦାବି 

Share

ବୁଗୁଡ଼ା : ତା ୨୪/୦୩/୨୩ : ବୁଗୁଡ଼ା ଏନ୍‌ଏସି ୩ ନମ୍ବର ଓ୍ବାର୍ଡ ଅଧିନସ୍ଥ ଅରବିନ୍ଦ ନଗର-୧ ସାହିରେ ପେଭର ରାସ୍ତାରେ ପାଣି ଜମି ରହୁଥିବାରୁ ସାହିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅଣ କୁଶଳୀ ମିସ୍ତ୍ରୀ ଦ୍ବାରା ରାସ୍ତାରେ ପେଭର ବିଛାଇଲା ବେଳେ ହିଁ ରାସ୍ତାର ମଝି ଅଂଶ ଖାଲୁଆ ରହିଥିବା ନେଇ ଅଭିଯୋଗ ହୋଇଥିଲେ ବି ଏହାକୁ ସେତେବେଳେ ଗୁରୁତ୍ତ୍ୱ ଦିଆଯାଇ ନଥିଲା । ସେହି ସାହିର ଉଭୟ ପଟ ଘରର ଦାଣ୍ଡପଟକୁ ଡ୍ରେନ୍ ବ୍ଯବସ୍ଥା ନଥାଇ ବାରିପଟକୁ ରହିଥିବା ବେଳେ ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସିତ ହୋଇ ନପାରି ରାସ୍ତା ଉପରେ ହିଁ ଜମି ରହୁଛି । ପରିବା ବଜାରକୁ ଲମ୍ବିଥିବା ସେହି ରାସ୍ତାର ପାଣିରେ ଗାଈ ଗୋବର ପଡି ଦୁର୍ଗନ୍ଧ ହେଉଛି । ସେହି ରାସ୍ତା ଦେଇ ଗାଡିଟିଏ ଯାତାୟତ କଲେ ପାଣି ଛିଟିକା ଘର ଉପରେ ପଡୁଛି । ଫଳରେ ଘର ବାହାରେ ଯାନବାହାନ ରଖିବା କିମ୍ବା ଛିଡା ହେବା ମୁସ୍କିଲ୍ ହୋଇ ପଡୁଛି । ରାସ୍ତାରେ ପେଭର ପକାଇ ତାହାକୁ ଚକାଚକ୍ କରାଗଲା ବୋଲି କହି ଏନ୍ଏସି କର୍ତ୍ତୃପକ୍ଷ ବାହାବା ନେଉଥିବା ବେଳେ ସାମାନ୍ୟ ବର୍ଷା ହେଲେ ସାହିବାସିନ୍ଦାଙ୍କୁ ଚିନ୍ତା ଘାରୁଛି । ତେଣୁ, ଏହି ଅବ୍ଯବସ୍ଥାର ପ୍ରତିକାର ପାଇଁ ଏନ୍ଏସି ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।