ଭଞ୍ଜନଗର ମେଡିକାଲରେ ଅବ୍ୟବସ୍ଥା; ଶୌଚାଳୟରୁ ସରି ଯାଉଛି ପାଣି, ହନ୍ତସନ୍ତ ରୋଗୀ..

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଚିକିସାଳୟରେ ଏକ ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଛି। ମେଡିକାଲର ଦୁଇ ମହଲା କୋଠାରେ ରହିଥିବା ଶୌଚାଳୟରେ ତାଲା ପଡ଼ିଥିବାବେଳେ ଅନ୍ୟ କେତେକ ଶୌଚାଳୟରୁ ପାଣି ସରିଯାଉଛି। ଫଳରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମାନେ ବାଧ୍ୟହୋଇ ଡାକ୍ତରଖାନା କ୍ୟାମ୍ପସ ବାହାରେ ଥିବା ଶୌଚାଳୟକୁ ଯାଉଛନ୍ତି।କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଉପଖଣ୍ଡ ଚିକିତ୍ସାଳୟର ଏଭଳି ଅବ୍ୟବସ୍ଥା ସାଧାରଣରେ ପ୍ରଶ୍ନବାସୀ ସୃଷ୍ଟି କରିଛି। ସେହିଭଳି ସଂକ୍ରାମକ ରୋଗ ବିଭାଗରେ ଥିବା ଶୌଚାଳୟ ଠିକ୍ ଭାବରେ ପରିଷ୍କାର କରାଯାଉନଥିବା ଅଭିଯୋଗ ହୋଇଛି।
ଏହି ଉପଖଣ୍ଡ ଚିକିତ୍ସାଳୟ ଉପରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ସମେତ ପଡୋଶୀ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ବାସିନ୍ଦା ନିର୍ଭର କରିଥାନ୍ତି।ଏଠାରେ ଦୈନିକ ଶତାଧିକ ରୋଗୀ ଆଉଟ୍ ଡୋରରେ ଚିକିତ୍ସିତ ହେଉଥିବା ବେଳେ ବିଭିନ୍ନ ଓ୍ବାର୍ଡରେ ମଧ୍ୟ ରୋଗୀ ରହି ଚିକିତ୍ସିତ ହୋଇଥାନ୍ତି। ଡାକ୍ତର ଅଭାବ ଏଠାରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଚକ୍ଷୁ,ଅସ୍ଥିଶଲ୍ୟ,ପାଥୋଲୋଜି ଓ ନିଶ୍ଚେତକ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ବିଶେଷଜ୍ଞ ପଦବି ଖାଲି ପଡିଛି। ମୋଟ ୫୫ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ଏଠାରେ ୧୭ ଜଣ ଡାକ୍ତର ଏବେ କାର୍ଯ୍ୟରତ ଅଛନ୍ତି। ଏଠାରେ ଅଲଟ୍ରାସାଉଣ୍ଡ୍ ଓ ଡାଏଲିସିସ୍ ସୁବିଧା ଉପଲବ୍ଧ ରହିଥିବା ବେଳେ ସିଟି ସ୍କାନ୍ ଓ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇ ପାରିନି। ସକାଳ ୮ଟା ପରେ ମେଡିକାଲର ବିଭିନ୍ନ ଓ୍ବାର୍ଡରେ ଥିବା ଶୌଚାଳୟରୁ ପାଣି ସରିଯାଉଥିବା ଅଭିଯୋଗ ହୋଇଛି।ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିରାମୟ ନିକଟ ଶୌଚାଳୟ ଦୁର୍ଗନ୍ଧ ରେ ଫାଟି ପଡୁଛି।ସେହି ରାସ୍ତା ଦେଇ ଯାଉଥିବା ରୋଗୀ ମୁହଁରେ ରୁମାଲ ଭିଡି ଯାତାୟାତ କରୁଛନ୍ତି। ସମସ୍ତ ଶୌଚାଳୟକୁ ଯେପରି ୨୪ ଘଣ୍ଟିଆ ଜଳ ଯୋଗାଣ ହୋଇ ପାରିବ ସେ ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ସାଧାରଣ ରେ ଦାବି ହୋଇଛି।