ନେଟଙ୍ଗା ସବୁଜ ବାହିନୀର ରବିବାର ଟାଇମ୍ ପାସ୍ କାର୍ଯ୍ୟକ୍ରମ ବୃକ୍ଷ ସୁରକ୍ଷା ପାଇଁ ” ଟ୍ରି ଗାର୍ଡ ” ପ୍ରଦାନ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ବ୍ଳକର ନେଟଙ୍ଗା ଗ୍ରାମପଞ୍ଚାୟତର ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହିନୀ ର ସଦସ୍ୟ ମାନଙ୍କ ଦ୍ଵାରା ଆଜି ” ରବିବାର ଟାଇମ୍ ପାସ୍ ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମ ମଧ୍ୟରେ ରାସ୍ତାର ଦୁଇ ପାର୍ଶ୍ଵରେ ଲଗାଯାଇଥିବା ବୃକ୍ଷ ଚାରା ଗୁଡିକରେ ” ଟ୍ରି ଗାର୍ଡ ” ବା ” ବୃକ୍ଷ ସୁରକ୍ଷା କବଚ ” ଲଗାଯାଇଛି। ଗ୍ରାମର ବଦାନ୍ୟ ବ୍ୟକ୍ତି ତଥା ନିଜ ଭିଟାମାଟି କୁ ଭଲପାଉଥିବା ଗ୍ରାମ ପ୍ରେମୀ ମାନଙ୍କ ଦ୍ଵାରା ପୋଷ୍ୟ ରୂପେ ଗ୍ରହଣ କରାଯାଇଥିବା ବୃକ୍ଷ ଚାରା ଗୁଡିକୁ ଲୁହା ରେ ନିର୍ମିତ ଓ ପ୍ଲାଷ୍ଟିକ ଜାଲି ଘେରା “ଟ୍ରି ଗାର୍ଡ” ପ୍ରଦାନ କରାଯାଇଥିଲା। ଏହି ଟ୍ରି ଗାର୍ଡ ର ସମସ୍ତ ଖର୍ଚ୍ଚ ବହନ କରିଥିଲେ, ସେହି ବଦାନ୍ୟ ବ୍ୟକ୍ତି ମାନେ ଯେଉଁମାନେ ବିଭିନ୍ନ ସହରରେ ଜିବୀକା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ନେଟଙ୍ଗା ସବୁଜ ବାହିନୀ ର ସମସ୍ତ ସଦସ୍ୟ, ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ଦ୍ଵିତୀକୃଷ୍ଣ ଲେଙ୍କା, ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ ଓ ଗ୍ରାମବାସୀ ସାହାଯ୍ୟ ଓ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଆଗରୁ ଏହି ଗ୍ରାମର ଯୁବଗୋଷ୍ଠୀ ନିଜ ଗ୍ରାମ ମଶାଣିରେ ବୃକ୍ଷ ଚାରା ରୋପଣ, ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ଚାରା ରୋପଣ ଓ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ, ନଦୀ ହୁଡ଼ାରେ ବୃକ୍ଷ ଚାରା ରୋପଣ ଓ ନିମ ବୃକ୍ଷ ସୁରକ୍ଷା ଅଭିଯାନ ଆୟୋଜନ କରିଥିଲେ। ଆଜକୁ ୨ ବର୍ଷ ହେଲା ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହିନୀ ତରଫରୁ ସମସ୍ତ ପର୍ବପର୍ବାଣି, ଜାତୀୟ ଦିବସ ଓ ଜାତୀୟ ଉତ୍ସବ, ଉତ୍ସାହୀ ଓ ଆଗ୍ରହୀ ବ୍ୟକ୍ତିମାନଙ୍କ ପରିବାରର ବିବାହ, ଜନ୍ମ ବାର୍ଷିକୀ, ଶ୍ରାଦ୍ଧବାର୍ଷିକୀ, ମାଙ୍ଗଳିକ କାର୍ଯ୍ୟକ୍ରମ ମାନଙ୍କରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ, ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଂରକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଅଛି। ଏହି କାର୍ଯ୍ୟକ୍ରମରେ ଉତ୍ସାହିତ ଓ ଆକର୍ଷିତ ହୋଇ ଜନସାଧାରଣ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି। ଏଥିପାଇଁ ସବୁ ମହଲରେ ଏହି ମହାନ୍ କାର୍ଯ୍ୟକ୍ରମ କୁ ସ୍ଵାଗତ, ସମର୍ଥନ ଓ ପ୍ରଶଂସା କରାଯାଉଛି।